ଗାନ୍ଧୀ ଦୃଷ୍ଟି: ଖାଲି ମନ ସଇତାନର ଘର

ଗୌରାଙ୍ଗ ଚରଣ ପରିଡ଼ା

୧୯୪୭ ମସିହା ଜାନୁଆରି ମାସ ୩୧ ତାରିଖ। ଗାନ୍ଧୀଜୀ ସେଦିନ ନୋଆଖାଲିର ‘ନବଗ୍ରାମ’ ନାମକ ଏକ ଦଙ୍ଗା ପ୍ରପୀଡ଼ିତ ଗାଁରେ ରହୁଥିଲେ। ସନ୍ଧ୍ୟାରେ ମହିଳାମାନଙ୍କ ପ୍ରାର୍ଥନା ସଭାଟିଏ ଅନୁଷ୍ଠିତ ହୋଇଥିଲା। ରାମଧୁନ୍ ଗାନ ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଥିଲା। ଜଣେ ମହିଳା ଗାନ୍ଧୀଙ୍କୁ ପ୍ରଶ୍ନ କଲେ, ‘ବାପୁ, ବର୍ତ୍ତମାନର ଏ ସାମ୍ପ୍ରଦାୟିକ ସଙ୍କଟ ସମୟରେ ଆମେ କରିବୁ କ’ଣ?’ ଗାନ୍ଧୀଜୀ ଉତ୍ତର ଦେଲେ, “ଇଂରେଜୀରେ ଏକ ଉକ୍ତି (ପ୍ରୋଭର୍ବ) ଅଛି- ‘ଆନ୍ ଏମ୍ପଟି ମାଇଣ୍ଡ ଇଜ୍ ଡେଭିଲ୍‌ସ ୱାର୍କସପ୍’, ଅର୍ଥାତ୍ ‘ଖାଲି ମନ ସଇତାନର ଘର।’ ବଙ୍ଗଳାରେ ବି ଏମିତି ଲୋକୋକ୍ତି ଥିବ। ଏ ଜନପ୍ରିୟ ଉକ୍ତି ଆମକୁ ଶିଖାଏ ଯେ କିଛି କାମ ନ କରି ଅଳସୁଆ ହୋଇ ବସି ରହିଲେ ମନ ନିଷ୍କ୍ରିୟ ହୋଇଯାଏ। ହଜାରେ କୁଚିନ୍ତା ମନକୁ କାବୁ କରିନିଏ। ସଇତାନଟିଏ ମନରେ ଘର କରିଦିଏ। ସେଥିପାଇଁ କିଛି ନା କିଛି କାମ କରିବା ଦରକାର ଯେଉଁ କାମ ପରୋପକାରରେ ଲାଗିବ। ମହିଳାମାନଙ୍କ ନିମନ୍ତେ ଅନେକ ଭଲ କାମ କରିବା ପାଇଁ ଅଛି। ସାମ୍ପ୍ରତିକ ସମସ୍ୟାର ଏହା ହିଁ ଉତ୍କୃଷ୍ଟ ସମାଧାନ।”
ଗାନ୍ଧୀଜୀଙ୍କୁ ବୟସ ସେତେବେଳେ ୭୮ ବର୍ଷ। ଦଙ୍ଗାଗ୍ରସ୍ତ ଅଞ୍ଚଳ ଯାଇ ଶାନ୍ତିର ବାର୍ତ୍ତା ପ୍ରଚାର କରିବାର ସାହସ କିନ୍ତୁ ମନରୁ କମି ନ ଥିଲା। ବିସ୍ତୃତ ବିବରଣୀ ଥିବା ମହିଳାଙ୍କ ଆବେଦନ ପାଇ ସେ କଲିକତାରୁ ନୋଆଖାଲିକୁ ବାହାରି ପଡ଼ିଥିଲେ। ଉଦ୍ଦେଶ୍ୟ ଥିଲା ସେଠି ସେ ପଦଯାତ୍ରା କରିବେ। ଏକାକୀ ଗାଁ ଗାଁ ବୁଲିବେ। କଲିକତା ଛାଡ଼ିବା ବେଳେ କିଛି ବନ୍ଧୁ ସତର୍କ କରାଇ କହିଥିଲେ, ‘ବାପୁ, ସେମାନେ ସେଠି ଆପଣଙ୍କୁ ହତ୍ୟା କରିପାରନ୍ତି।’ ଗାନ୍ଧୀଙ୍କ ଉତ୍ତର ଥିଲା, ‘ଗାନ୍ଧୀ କେବଳ ଗାନ୍ଧୀକୁ ହତ୍ୟା କରି ପାରିବ। ମୋ ଆତ୍ମାକୁ ଧ୍ବଂସ କରିବାର କ୍ଷମତା ଅନ୍ୟ କାହାର ନାହିଁ।’
ସେବେ ଭାରତର ସବୁଠାରୁ ଦୁର୍ଗମ ଅଞ୍ଚଳ ଥିଲା ନୋଆଖାଲି। ବର୍ତ୍ତମାନ ଏହା ବଙ୍ଗଳାଦେଶ ଅନ୍ତର୍ଭୁକ୍ତ। ଗଙ୍ଗା ଏବଂ ବ୍ରହ୍ମପୁତ୍ରର ଏହା ଏକ ତ୍ରିକୋଣଭୂମି ଅଞ୍ଚଳ। ଗାଁକୁ ଗାଁ ଯିବାକୁ ପାଦଚଲା ରାସ୍ତା ବ୍ୟତୀତ ଅନ୍ୟ କିଛି ଗମନାଗମନର ସୁବିଧା ନଥିଲା। ଅଧିକାଂଶ ଗ୍ରାମକୁ ନୌକାରେ ଯିବାକୁ ପଡୁଥିଲା।
ଗାନ୍ଧୀ ନୋଆଖାଲିରେ ପହଞ୍ଚିଲେ ୧୯୪୬ ମସିହା ନଭେମ୍ବର ୬ ତାରିଖରେ। ସାତ ତାରିଖରୁ ହିଁ ସେ ତାଙ୍କର ଶାନ୍ତି ପଦଯାତ୍ରା ଆରମ୍ଭ କରି ଦେଇଥିଲେ। ସକାଳ ଚାରିଟାରୁ ଗାନ୍ଧୀ ଉଠି ପଡୁଥିଲେ। ଖାଲି ପାଦରେ ୩ /୪ ମାଇଲ ଚାଲିଚାଲି ସେ ଅନ୍ୟ ଗାଁକୁ ଯାଉଥିଲେ। ଲୋକଙ୍କ ସହ ମିଶୁଥିଲେ। କଥା ହେଉଥିଲେ। ସନ୍ଧ୍ୟାରେ ପ୍ରାର୍ଥନା ସଭା କରି ଭାଇଚାରା କଥା କହୁଥିଲେ।
ଅନେକ ଜାଗାରେ ମୁସଲିମ ଯୁବକମାନେ ଗାନ୍ଧୀଙ୍କୁ ବିରୋଧ କରୁଥିଲେ। ବାଟରେ କଣ୍ଟା, ମଇଳା ବିଛେଇ ଦେଉଥିଲେ। ନିଜ ହାତରେ ଏ ସବୁକୁ ସଫା କରି ଗାନ୍ଧୀ ଚାଲୁଥିଲେ। ହାତରେ ଥିଲା ତାଙ୍କର ବାଉଁଶ ବାଡ଼ି। ପାଟିରେ ଗୁଣୁଗୁଣେଇ ହେଉଥିଲେ ଟାଗୋରଙ୍କ ଗୀତ, ‘ଏକଲା ଚଲୋ’। କଣ୍ଟା ବାଜି ପାଦରୁ ରକ୍ତ ବାହାରୁଥିଲେ ବି ଖାତିର ନଥିଲା। ରାତିରେ ପାଦରେ ଗରମ ପାଣି ସେକ ଦେଲା ବେଳେ ମନୁଙ୍କୁ ଗାନ୍ଧୀ କହୁଥିଲେ, ‘ମନୁ, ଆମେ କ’ଣ ଏ ମିଶନରେ ସଫଳ ହେବାନି? ଗୋଟିଏ ଗୋଷ୍ଠୀ ଏଠି ଭୟଭୀତ ଅଛନ୍ତି। ଅନ୍ୟ ଗୋଷ୍ଠୀଟି ଭୟ ସୃଷ୍ଟି କରି ବି ଖୁସିରେ ନାହାନ୍ତି। ଯେପର୍ଯ୍ୟନ୍ତ ସଂଖ୍ୟାଗରିଷ୍ଠ ଗୋଷ୍ଠୀ ସଂଖ୍ୟାଲଘୁଙ୍କ ସୁରକ୍ଷା ଦାୟିତ୍ୱ ନ ନେଇଛି, ହିଂସା କମିବା ଅସମ୍ଭବ।’
ନୋଆଖାଲିରେ ଗାଁ ଏବଂ ଆଶ୍ରୟ ସ୍ଥଳୀମାନଙ୍କର ସେଇ ଏକା ଦୃଶ୍ୟ ଥିଲା ଯାହା ଗାନ୍ଧୀ ଭାରତର ଅନ୍ୟ ଅଞ୍ଚଳ ଭ୍ରମଣ ବେଳେ ଦେଖିଥିଲେ। ଦୁଇ ବର୍ଷ ଧରି ଏଠି ଚାଷ କାମ ହୋଇ ପାରି ନଥିଲା। ମୁସଲିମ ମଜୁରିଆମାନେ ହିନ୍ଦୁଙ୍କ ଜମିରେ କାମ କରୁ ନ ଥିଲେ କିମ୍ବା ହିନ୍ଦୁମାନେ ମୁସଲିମଙ୍କୁ ସାହାଯ୍ୟ କରୁ ନଥିଲେ। ଏକ ପ୍ରକାର ଅର୍ଥନୈତିକ ବାସନ୍ଦ ଥିଲା ସବୁଠି। ଗାଁର ପୁରୁଷମାନେ କୌଣସି କାମ ନ କରି ଅଳସୁଆ ହୋଇ ବସି ରହିଥିଲେ। ତାସ୍, ପଶା, ଜୁଆ ଖେଳୁଥିଲେ। ଘରେ ବସି ବି ବଢ଼େଇ, କମାର, ଲୁଗାବୁଣା, ସିଲେଇ କାମ ସେମାନେ କରି ପାରି ଥାଆନ୍ତେ। ଆଳସ୍ୟ ତାଙ୍କୁ କିନ୍ତୁ ଜଡ଼ କରି ଦେଇଥିଲା। ନିଷ୍କ୍ରିୟ ମନରେ ତେଣୁ ଭୟ ଆସୁଥିଲା। ଭୟରୁ ପ୍ରତିଶୋଧ, ଘୃଣା ଏବଂ ହିଂସା ଆସୁଥିଲା।
୧୯୩୭ ମସିହା ଫେବ୍ରୁଆରି ୨୦ ତାରିଖ ‘ହରିଜନ’ରେ ଗାନ୍ଧୀ ତାଙ୍କର ଏକ ପ୍ରବନ୍ଧରେ କିଛି ପ୍ରସ୍ତାବ ଦେଇ ଲେଖିଥିଲେ- ଗାଁକୁ ଚାଲ, ଗାଁକୁ କାମ ଦିଅ। ଗାଁର ସମ୍ପତ୍ତି ଓ ଉତ୍ପାଦରେ ଦେଶ ସମୃଦ୍ଧ ହେବ। ଗାଁ ଲୋକ ସହରୀ ଲୋକଙ୍କ ଠାରୁ ପୃଥକ୍‌ ନୁହନ୍ତି। ବୈଜ୍ଞାନିକ ଚିନ୍ତା, ଗ୍ରାମୀଣ ଅର୍ଥନୀତି, ଆତ୍ମନିର୍ଭରତା ସମ୍ପର୍କରେ କହିଲେ ସେମାନେ ବୁଝି ପାରିବେ। ଧାର୍ମିକ ନୈତିକ ମୂଲ୍ୟବୋଧକୁ ଆଦରି ନେବେ। ଅସ୍ପୃଶ୍ୟତା ଦୂରୀକରଣ, ନିଶା ନିବାରଣ କାର୍ଯ୍ୟକ୍ରମକୁ ସେମାନେ ନିଷ୍ଠାର ସହ କାର୍ଯ୍ୟକାରୀ କରିପାରିବେ।
ନୋଆଖାଲିରେ ଗାନ୍ଧୀଙ୍କ ଚାରି ମାସର ରହଣି ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା ୧୯୪୭ ମସିହା ଜାନୁଆରି ୨୬ ତାରିଖ। ୧୯୨୯ ମସିହା ଲାହୋର କଂଗ୍ରେସର ସଂକଳ୍ପ ଅନୁଯାୟୀ ୧୯୩୦ ମସିହାରୁ ପ୍ରତି ବର୍ଷ ଜାନୁଆରି ୨୬ ତାରିଖକୁ ଭାରତର ସ୍ୱାଧୀନତା ଦିବସ ରୂପେ କଂଗ୍ରେସ ପାଳନ କରି ଆସୁଥିଲା। ଗାନ୍ଧୀ ତ୍ରିରଙ୍ଗା ଉତ୍ତୋଳନ କଲେ ନୋଆଖାଲିର ‘ବଂଶ’ ଗାଁରେ। ଉଡ଼ନ୍ତା ପତାକା ତଳେ ଛିଡ଼ା ହୋଇ ଗାନ୍ଧୀଜୀ କହିଲେ, ‘ଆଉ କିଛି ଦିନ ପରେ ଆମକୁ ସ୍ୱାଧୀନତା ମିଳିବ। ଇଂରେଜମାନେ ଖୁବ୍‌ ଶୀଘ୍ର ଭାରତ ଛାଡ଼ି ଚାଲିଯିବାର ସୂଚନା ମିଳିସାରିଲାଣି। ଏଇ ସ୍ୱାଧୀନତା ପାଇଁ ସୁଭାଷ ବୋଷ ଏବଂ ଅନେକ ମହାନ ଦେଶପ୍ରେମୀ ଜୀବନ ତ୍ୟାଗ କରି ଯାଇଛନ୍ତି। ତ୍ରିରଙ୍ଗା ଆମର ସର୍ବଧର୍ମର ପ୍ରତୀକ। ‘ଜନଗଣମନ ଅଧିନାୟକ’ ଜାତୀୟ ସଂଗୀତ ଆମକୁ ଏକାଠି ରଖିବାର ଏକ ମହାମନ୍ତ୍ର। ଏକାଠି ନ ରହି ପାରିଲେ ଏ ପୃଥିବୀ ଆମକୁ ବୋକା ବୋଲି କହିବ।’
୭୬ ବର୍ଷ ତଳେ ନୋଆଖାଲିରେ ଗାନ୍ଧୀ ଦେଇଥିବା ସନ୍ଦେଶ ସ୍ୱାଧୀନ ଭାରତରେ ଆଜି ବି ପ୍ରାସଙ୍ଗିକ।
ମୋ: ୯୮୬୧୪୬୯୩୨୮

ସମ୍ବନ୍ଧିତ ଖବର