ତୁରନ୍ତ ବିମାନ ଟିକେଟ ବୁକିଂ ବନ୍ଦ କରିବାକୁ ଗୋଫାଷ୍ଟକୁ ନିର୍ଦ୍ଦେଶ ଦେଲା ଡିଜିସିଏ

ନୂଆଦିଲ୍ଲୀ: ତୁରନ୍ତ ବିମାନ ଟିକେଟ ବୁକିଂ ବନ୍ଦ କରିବାକୁ ଗୋଫାଷ୍ଟକୁ ନିର୍ଦ୍ଦେଶ ଦେଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ)। ଏହା ସହ ସୁରକ୍ଷିତ, ନିୟମିତ ଏବଂ ନିର୍ଭରଯୋଗ୍ୟ ଢ଼ଙ୍ଗରେ ଉଡ଼ାଣ ଜାରି ରଖିବାରେ ବିଫଳ ହୋଇଥିବାରୁ ଡିଜିସିଏ ବିମାନ ନିୟମ ୧୯୩୭ଅନୁଯାୟୀ ଗୋଫାଷ୍ଟକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ଜଣାପଡ଼ିଛି। ନୋଟିସ ପଠାଇବା ସହ ଡିଜିସିଏ ଗୋଫାଷ୍ଟକୁ ୧୫ଦିନ ମଧ୍ୟରେ ନୋଟିସର ଜବାବ ଦେବାକୁ କହିଛି।

ଗୋଫାଷ୍ଟ ହଠାତ୍ ବିମାନ ଚଳାଚଳ ବାତିଲ କରିବା ଏବଂ ଆଇବିସି ଅଧୀନରେ ନିଜକୁ ଦେବାଳିଆ ଘୋଷଣା କରିବାକୁ ଏନସିଏଲଟିରେ ଆବେଦନ କରିବା ପରେ ଡିଜିସିଏ ବିମାନ ନିୟମ ୧୯୩୭ ଅନୁଯାୟୀ ଗୋଫାଷ୍ଟକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଏହି ନୋଟିସର ଜବାବ ୧୫ଦିନ ଭିତରେ ଦେବାକୁ କହିବା ସହ ଆଗାମୀ ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ ଟିକେଟ ବୁକିଂ ଆରମ୍ଭ ନକରିବାକୁ କହିଛି।

ଏହା ପୂର୍ବରୁ ଗୋଫାଷ୍ଟକୁ ଦେବାଳିଆ ଘୋଷଣା କରିବାକୁ ନ୍ୟାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲଙ୍କ ନିକଟରେ ଆବେଦନ କରିବା ପରେ ମେ’ ୧୫ପର୍ଯ୍ୟନ୍ତ ବିମାନ ଟିକେଟ ବୁକିଂ ସ୍ଥଗିତ ରଖିଥିଲା ଏୟାରଲାଇନ। ଗୋଫାଷ୍ଟ  ସିଇଓ କୌଶିକ ଖୋନା କହିଥିଲେ ଯେ, ପ୍ରାଟ୍ ଆଣ୍ଡ୍ ହ୍ବିଟନି ( ପି ଆଣ୍ଡ୍ ଡବ୍ଲ୍ୟୁ) ଠିକ ସମୟରେ ଇଞ୍ଜିନ୍ ଯୋଗାଣ ନକରିବା କାରଣରୁ ଗୋଫାଷ୍ଟ  ୨୮ଟି ବିମାନ ଉଡ଼ାଣ କରି ନପାରି ଠିଆ ହୋଇ ରହିଛି। ଏହି କାରଣରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି ଏୟାର ଲାଇନ୍ସ। ଏଥି ସହିତ, ଗୋଫାଷ୍ଟ ଏୟାରଲାଇନ୍ସର ୬୦ପ୍ରତିଶତରୁ ଅଧିକ ବିମାନର ଉଡ଼ାଣ ବନ୍ଦ କରାଯାଇଛି।

ସମ୍ବନ୍ଧିତ ଖବର