୨୦୦କୋଟି କ୍ଲବ୍‌ରେ ଅକ୍ଷୟଙ୍କ ‘ଗୁଡ୍‌ ନ୍ୟୁଜ୍’

ପରଦା

ସମାନ ସାଙ୍ଗିଆ ଥିବା ଦୁଇ ଦମ୍ପତି ଇନ୍‌-ଭିଟ୍ରୋ ଫର୍ଟିଲାଇଜେନସ୍‌ ବା ଟେଷ୍ଟ-ଟ୍ୟୁବ୍‌ ବେବି କରିବାକୁ ଚିନ୍ତା କରନ୍ତି। କିନ୍ତୁ ସମାନ ସାଙ୍ଗିଆ ଯୋଗୁଁ ଦମ୍ପତିଦ୍ବୟଙ୍କ ଶୁକ୍ରାଣୁ ମିଶିଯିବା ଫଳରେ ଆରମ୍ଭ ହୁଏ ପ୍ରକୃତ ସମସ୍ୟା। ଏହି ସମସ୍ୟାକୁ ନେଇ କାହାଣୀ ଗଡ଼ି ଚାଲେ। ହସର କୁହୁକ ପସରା ସହ ସମାଜ ପାଇଁ ଏକ ଶକ୍ତ ବାର୍ତ୍ତା ମଧ୍ୟ ଦିଏ। ଏଭଳି ଏକ ମନୋରଞ୍ଜନଧର୍ମୀ କାହାଣୀକୁ ନେଇ ମୁକ୍ତିଲାଭ କରିଥିବା ରାଜ୍‌ ମେହେଟ୍ଟାଙ୍କ ନିର୍ଦ୍ଦେଶିତ ତଥା ଅକ୍ଷୟ କୁମାର ଓ କରୀନା କପୁର ଖାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗୁଡ୍‌ ନ୍ୟୁଜ୍‌’ ଆଜି ୨୪ ଦିନରେ ବି ବକ୍ସ ଅଫିସ୍‌ରେ ଧୂଆଁଧାର ପ୍ରଦର୍ଶନ ଜାରି ରଖିଛି। ଏହା ପରେ ଅଜୟ ଦେବଗନ୍‌ଙ୍କ ‘ତାନାଜି’ ଓ ଦୀପିକା ପାଦୁକୋନଙ୍କ ‘ଛପାକ୍‌’ ମୁକ୍ତିଲାଭ କରିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ‘ଗୁଡ୍‌ ନ୍ୟୁଜ୍‌’ ଉପରେ ପଡ଼ିନାହିଁ। କାରଣ ଶନିବାର ସୁଦ୍ଧା ଚଳଚ୍ଚିତ୍ର ମୁକ୍ତିଲାଭର ୨୩ଦିନ ଭିତରେ ‘ଗୁଡ୍‌ ନ୍ୟୁଜ୍’ ୨୦୨.୧୦ କୋଟି ଟଙ୍କା ବ୍ୟବସାୟ କରିବା ସହ ଅକ୍ଷୟ କୁମାରଙ୍କ ଏହି ଚଳଚ୍ଚିତ୍ର ୨୦୦ କୋଟିର କ୍ଲବ୍‌ରେ ସାମିଲ ହୋଇଛି। କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ‘ଗୁଡ୍‌ ନ୍ୟୁଜ୍‌’ ଭଲ ପ୍ରଦର୍ଶନ କରିବା ସହ ଭଲ ବ୍ୟବସାୟ ମଧ୍ୟ କରୁଛି। ଚଳଚ୍ଚିତ୍ରରେ ଅକ୍ଷୟ ଓ କରୀନାଙ୍କ ଅଭିନୟ ସହ ଯୋଡ଼ିକୁ ବି ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଶୁକ୍ର ଓ ଶନିବାର ଚଳଚ୍ଚିତ୍ରଟି ୨ କୋଟି ଟଙ୍କା ଲେଖାଏ ବ୍ୟବସାୟ କରିଥିବା ବେଳେ ରବିବାରର ସବୁ ସୋ’ ହାଉସ୍‌ଫୁଲ୍‌ ଥିବା ଦେଖିବାକୁ ମିଳିଥିଲା। ଏବେ ଦେଖିବାକୁ ରହିଲା, ଚଳଚ୍ଚିତ୍ରଟି ମୋଟ୍‌ ଉପରେ କେତେ ବ୍ୟବସାୟ କରୁଛି। ସେହିପରି ମୁକ୍ତିଲାଭର ୯ ଦିନରେ ଅଜୟଙ୍କ ‘ତାନାଜୀ’ ୧୦୦ କୋଟି ଓ ଦୀପିକାଙ୍କ ‘ଛପାକ୍‌’ ୩୩ କୋଟି ଟଙ୍କାର ବ୍ୟବସାୟ କରିଛନ୍ତି।

ସମ୍ବନ୍ଧିତ ଖବର