ଲିସାଙ୍କୁ ଘାରିଛି ଘରସଂସାରର ନିଶା

ଅଭିନେତ୍ରୀ ପତ୍ରଲେଖା ପାଲ୍‌ଙ୍କ ପରି ଲିସା ହେଡନ୍‌ଙ୍କ ଅଭିନୟ ଜୀବନ ପାଇଁ ମଧ୍ୟ ବୈବାହିକ ଜୀବନ ଦାଉ ସାଧିଛି। ଫଳସ୍ବରୂପ ତାଙ୍କ ପରି ଜଣେ ଅଗ୍ରଣୀ କଳାକାରଙ୍କର ଗତ ୬ ବର୍ଷ ହେଲା କୌଣସି ସିନେମା ନାହିଁ କି ଟିଭି ଧାରାବାହିକ ମଧ୍ୟ ନାହିଁ। ତେବେ ସେଥିପାଇଁ ତାଙ୍କର ଅବସୋସ ନାହିଁ। ସ୍ବାମୀ ଓ ତିନି ସନ୍ତାନ ବିଶିଷ୍ଟ ଘରସଂସାର ତାଙ୍କୁ ଯଥେଷ୍ଟ ଆତ୍ମସନ୍ତୁଷ୍ଟି ଦେଇଚାଲିଛି ବୋଲି ଲିସା କହିଛନ୍ତି। ତେବେ ସୁଯୋଗ ମିଳିଲେ ସେ ପୁଣି ରୁପେଲି ପରଦାକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ମଧ୍ୟ ଆଶା ରଖିଛନ୍ତି।

ଚେନ୍ନାଇରେ ୧୯୮୬ ଜୁଲାଇ ୧୭ରେ ଜନ୍ମିତ ଲିସାଙ୍କର ପିତା ଜଣେ ଭାରତୀୟ ତାମିଲ ଓ ମାତା ଅଷ୍ଟ୍ରେଲୀୟ। ତାଙ୍କର ବାଲ୍ୟକାଳ ଓ କିଶୋରାବସ୍ଥା ଅଷ୍ଟ୍ରେଲିଆ ଓ ଆମେରିକାରେ କଟିଥିଲା। ଜଣେ ପ୍ରଶିକ୍ଷିତା ଭାରତ ନାଟ୍ୟମ୍‌ ନୃତ୍ୟାଙ୍ଗନା ଥିବା ଲିସା ତାଙ୍କ ମଡେଲିଂ କଳାକାର ଭଉଣୀଙ୍କ ଦ୍ବାରା ପ୍ରଭାବିତ ହୋଇ ଗ୍ଳାମର ଦୁନିଆଁରେ ଲାଖି ରହିଥିଲେ। ତେବେ ମନସ୍ତତ୍ତ୍ବ ବିଜ୍ଞାନରେ ସ୍ନାତକ ଶିକ୍ଷା ଲାଭ କରୁଥିବା ବେଳେ ସେ ଜଣେ ଯୋଗଗୁରୁ ହେବାକୁ ଇଚ୍ଛା କରିଥିଲେ। ଏହି ଅବସରରେ ନିଜର ବ୍ୟକ୍ତିଗତ ଖର୍ଚ୍ଚ ଭରଣା ପାଇଁ ମଡେଲିଂ କରିବାକୁ ତାଙ୍କର ଜଣେ ବାନ୍ଧବୀ ପ୍ରବର୍ତ୍ତାଇଥିଲେ। ତେଣୁ ପ୍ରଥମେ ସେ ଅଷ୍ଟ୍ରେଲିଆରେ ଏକ ପ୍ରସାଧନ ସାମଗ୍ରୀ ବିଜ୍ଞାପନରେ ମଡେଲିଂ କରିଥିଲେ।

ଏହା ପରେ ସେ ତାଙ୍କ ଭଉଣୀ ମଲିକା ହେଡନ୍‌ଙ୍କ କଥାରେ ଭାରତ ଚାଲି ଆସିଥିଲେ। ଏଠାରେ ସେ ବହୁ ନାମୀଦାମୀ ଉତ୍ପାଦ ପାଇଁ ମଡେଲିଂ କରିବା ସହ ଅନେକ ପ୍ରତିଷ୍ଠିତ ଗ୍ଳାମର ପତ୍ରିକାର ପ୍ରଚ୍ଛଦ ମଣ୍ଡନ ମଧ୍ୟ କରିବାର ସୌଭାଗ୍ୟ ଅର୍ଜିଥିଲେ। ଏପରିକି ସେ ୨୦୦୯ରେ କସ୍ମୋପଲିଟାନ୍‌ ପତ୍ରିକା ଓ ଡିଏନ୍‌ଏ ଚ୍ୟାନେଲ୍‌ ପକ୍ଷରୁ ଶ୍ରେଷ୍ଠ ସୁରୂପ ସମ୍ମାନ ପାଇଥିଲେ। ସେହିପରି ୨୦୧୦ରେ ମେରି କ୍ଲେୟାର ପକ୍ଷରୁ ଶ୍ରେଷ୍ଠ ମଡେଲ୍‌ ଆଖ୍ୟା ଲାଭ କରିବା ସହ ୨୦୧୧ରେ କିଙ୍ଗଫିସର ବାର୍ଷିକ କ୍ୟାଲେଣ୍ଡରରେ ସ୍ଥାନ ପାଇଥିଲେ। ଏହି ଅବସରରେ ଅଭିନେତା ତଥା ପ୍ରଯୋଜକ ଅନୀଲ କପୂର ଲିସାଙ୍କୁ ଏକ କଫିଦୋକାନରେ ଆବିଷ୍କାର କରି ତାଙ୍କୁ ଅନୀଲଙ୍କ ଝିଅ ସୋନମ୍‌ କପୂର ଅଭିନୀତ ହାସ୍ୟରସାତ୍ମକ ହିନ୍ଦୀ ସିନେମା ‘ଐସା’ରେ ସୁଯୋଗ ଦେଇଥିଲେ। ଏହି ଫିଲ୍ମରେ ଲିସା ନିଭାଇଥିବା ‘ଆରତି ମେନନ’ ଭୁମିକାକୁ ଦର୍ଶକ ଓ ସମୀକ୍ଷକମାନେ ଖୁବ୍‌ ଗ୍ରହଣ କରିଥିଲେ। ଅବଶ୍ୟ ଏଥିପାଇଁ ଲିସାଙ୍କୁ ନ୍ୟୁୟର୍କ ଯାଇ ତିନିମାସ କାଳ ଅଭିନୟ କଳା ସମ୍ପର୍କରେ ଏକ ସଂକ୍ଷିପ୍ତ ପ୍ରଶିକ୍ଷଣ ନେବାକୁ ପଡ଼ିଥିଲା।

ଏହାପରେ ସେ ଅନ୍ୟତମ ହିନ୍ଦୀ ସିନେମା ‘ରାସ୍କାଲ୍‌ସ’ରେ ଅନୁରୂପ ଲୋକପ୍ରିୟତା ସାଉଁଟିଥିଲେ। ତେଲୁଗୁ ଫିଲ୍ମ ‘ରଚା’ରେ ତାଙ୍କ ପ୍ରଥମ ପଦାର୍ପଣର କ୍ଷୁଦ୍ର ଭୂମିକା ମଧ୍ୟ ଉଚ୍ଚକୋଟୀର ହୋଇଥିଲା। ତେବେ ୨୦୧୪ରେ ହିନ୍ଦୀ ସିନେମା ‘କ୍ବିନ୍‌’ ତାଙ୍କ ପାଇଁ ଅପୂର୍ବ ଲୋକପ୍ରିୟତା ଆଣିଦେଇଥିଲା। ସେହିପରି ‘ଦି ସୌକିନ୍‌ସ’, ‘ସାଣ୍ଟା ବାଣ୍ଟା ପ୍ରା. ଲି.’ ଓ ‘ହାଉସଫୁଲ୍‌-୩’ ଆଦି ପରବର୍ତ୍ତୀ ସିନେମାଗୁଡ଼ିକରେ ନିଜର ଉପସ୍ଥିତିକୁ ସେ ଜାହିର କରିପାରିଥିଲେ। ୨୦୧୬ରେ ମୁକ୍ତିଲାଭ କରିଥିବା ତାଙ୍କର ଶେଷ ଫିଲ୍ମ ହେଉଛି ‘ୟେ ଦିଲ୍‌ ହୈ ମୁସ୍କିଲ’। ଏହି ଅବସରରେ ୨୦୧୬ ଅକ୍ଟୋବରରେ ବ୍ରିଟିସ ବ୍ୟବସାୟୀ ଦିନୋ ଲାଲବାନିଙ୍କୁ ବିବାହ କଲା ପରଠାରୁ ମାୟା ନଗରୀରେ ଲିସାଙ୍କ ହାତ ଖାଲି ପଡ଼ିଛି। ଅବଶ୍ୟ ୨୦୧୭ରେ ଟିଭି ଧାରାବାହିକ ‘ଦି ଟ୍ରିପ୍‌’ ଓ ୨୦୧୮ରେ ‘ଟପ୍‌ ମଡେଲ୍‌ ଇଣ୍ଡିଆ’ରେ ସେ ଦର୍ଶକଙ୍କୁ ପୁଣି ଥରେ ଭେଟିବାର ପ୍ରୟାସ କରିଛନ୍ତି। ମାତ୍ର ତାହା ତାଙ୍କୁ ସନ୍ତୋଷ ଦେଇପାରିନାହିଁ।

ସମ୍ବନ୍ଧିତ ଖବର