ବିବାହର ୫୪ ବର୍ଷ ପରେ ସନ୍ତାନସୁଖ

ସନ୍ତାନଲାଭ କରିବା ହେଉଛି ବୈବାହିକ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ମାତ୍ର ସେ ସୁଯୋଗ ସମସ୍ତଙ୍କ ଭାଗ୍ୟରେ ଜୁଟିନଥାଏ। ଅନେକ ନିଃସନ୍ତାନ ଦମ୍ପତି ଏଥିପାଇଁ ସାମାଜିକ ସ୍ତରରେ ନିଜକୁ ନ୍ୟୂନ ମନେ କରିଥା’ନ୍ତି ଏବଂ ମାନସିକ ଦୁଶ୍ଚିନ୍ତାରେ ଜୀବନ ବିତାନ୍ତି। ତେବେ ରାଜସ୍ଥାନର ଏକ ବୃଦ୍ଧ ଦମ୍ପତି ବିବାହର ୫୪ ବର୍ଷ ପରେ ସନ୍ତାନଲାଭ କରିବା ଘଟଣା ସେମାନଙ୍କ ପାଇଁ ଅତୁଳନୀୟ ସୁଖ ଆଣିଦେବା ସହ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁଯାୟୀ, ୭୫ ବର୍ଷୀୟ ଗୋପିଚାନ୍ଦ ଓ ତାଙ୍କ ୭୦ ବର୍ଷୀୟା ପତ୍ନୀ ଚନ୍ଦ୍ରାବତୀଙ୍କର ଏକମାତ୍ର ଅବସୋସ ଥିଲା ସନ୍ତାନପ୍ରାପ୍ତି। ଦୀର୍ଘ ୫୪ ବର୍ଷର ବୈବାହିତ ଜୀବନରେ ସେମାନଙ୍କ କୋଳକୁ ସନ୍ତାନଟିଏ ନ ଆସିବା ହିଁ ସେମାନଙ୍କ ମନକୁ ଭାଙ୍ଗି ଚୂରମାର କରିଚାଲିଥିଲା। ତେବେ ଦେଢ଼ ବର୍ଷ ତଳେ ସେମାନେ ଅଲଵାର ସ୍ଥିତ ଏକ ଗର୍ଭଧାରଣ କେନ୍ଦ୍ର(ଇନ୍-ଭିର୍ଟୋ ଫର୍ଟିଲିଟି କ୍ଲିନିକ୍) ସହ ଯୋଗାଯୋଗ କରିଥିଲେ। ତେବେ ଚନ୍ଦ୍ରାବତୀଙ୍କର ପରିଣତ ବୟସ ହିଁ ଗର୍ଭଧାରଣ ପାଇଁ ମୁଖ୍ୟ ସମସ୍ୟା ଥିଲା। ଅବଶ୍ୟ ପୂର୍ବରୁ ଗୁଜରାଟର ୭୦ ବର୍ଷୀୟା ଜିବୁବେନ୍ ବଲଭାଇ ରବାନ୍ ନାମକ ଜନୈକା ମହିଳା ସନ୍ତାନ ଜନ୍ମ କରିଥିବା ଘଟଣା ସେମାନଙ୍କ ଉଦ୍ୟମ ପାଇଁ ସକାରାତ୍ମକ ବାର୍ତ୍ତା ଆଣିଥିଲା। ଶେଷରେ ବିଶେଷଜ୍ଞ ଡାକ୍ତରଙ୍କ ପ୍ରୟାସ କ୍ରମେ ଚନ୍ଦ୍ରାବତୀ ଗର୍ଭଧାରଣ କରିଥିଲେ। ତେବେ ଦୁଇ ଥରର ଗର୍ଭଧାରଣ ପ୍ରକ୍ରିୟା ବିଫଳ ହେବା ପରେ ତୃତୀୟ ପ୍ରଚେଷ୍ଟାରେ ଚନ୍ଦ୍ରାବତୀ ନିକଟରେ ଏକ ସୁସ୍ଥ ପୁତ୍ରସନ୍ତାନ ଜନ୍ମ ଦେଇଛନ୍ତି।

ସମ୍ବନ୍ଧିତ ଖବର