ପୁରୁଣା ବଲିଉଡ୍ ଯୋଡ଼ିଙ୍କ ନୂଆ ମିଳାମିଶା

୧୯୯୦ ଦଶକରେ ସିନେଜଗତରେ ଚହଳ ପକାଇ ଦେଇଥିବା ଅକ୍ଷୟ କୁମାର ଓ ରବିନା ଟଣ୍ଡନଙ୍କ ଯୋଡ଼ି ବିଭିନ୍ନ ଗୁଜବ କାରଣରୁ ଚର୍ଚ୍ଚାରେ ରହୁଥିଲା। ତେବେ ସେମାନଙ୍କ ସମ୍ପର୍କରେ ଫାଟ ଆସିବା ସହ ଉଭୟ ନିଜେ ନିଜର ଘରସଂସାର କରିବା ପରଠାରୁ ପରଦାରେ କିମ୍ବା ପରଦା ବାହାରେ ସେମାନଙ୍କର ମିଳାମିଶା ଆଉ ଦେଖିବାକୁ ମିଳିନଥିଲା, ଯାହା ସିନେପ୍ରେମୀମାନଙ୍କୁ ମର୍ମାହତ କରିଥିଲା। ତେବେ ନିକଟରେ ଏକ କାର୍ଯ୍ୟକ୍ରମରେ ଉଭୟ ଅକ୍ଷୟ-ରବିନା ଯୋଗ ଦେବା ସହ ଏକାଠି ବୁଲାବୁଲି କରିବା ଓ ଗପସପ କରିବା ଘଟଣା ପୁଣି ଚର୍ଚ୍ଚାର ବିଷୟ ହୋଇଛି। ଏକ ଭିଡିଓରେ ଏହି ଯୋଡ଼ି ଗୋଟିଏ ମଞ୍ଚରେ ଏକାଠି ପାଖାପାଖି ବସି ମଉଜ ମଜଲିସରେ ମାତିଥିବା ଦେଖାଯାଇଛି। ତାହାକୁ ଦେଖି ପ୍ରଶଂସକମାନେ ନିଜ ନିଜ କଳ୍ପନାରେ ସକାରାତ୍ମକ ଟିପ୍ପଣୀମାନ କରିବାରେ ଲାଗିଛନ୍ତି। କେହି କେହି ଏହି ଦୃଶ୍ୟକୁ ଅବିଶ୍ବସନୀୟ ବୋଲି କହିଥିବା ବେଳେ ସବୁଠୁ ଉଷ୍ମତମ ଯୋଡ଼ିଙ୍କୁ ପୁଣି ଏକାଠି ଦେଖିବାକୁ ମିଳିଲା ବୋଲି କେହି କେହି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ‘ତୁ ଚିଜ୍‌ ବଡ଼ି ହେ ମସ୍ତ ମସ୍ତ’ ପରି ସର୍ବକାଳୀନ ହିଟ୍‌ ଗୀତ ଧାରଣ କରିଥିବା ହିନ୍ଦୀ ଫିଲ୍ମ ‘ମୋହରା’ ସମେତ ‘ଖିଲାଡ଼ିୟୋଁ କା ଖିଲାଡ଼ି’, ‘ବାରୁଦ’, ‘କିମତ୍‌’ ଓ ‘ପୁଲିସ ଫୋର୍ସ’ ଆଦି ଫିଲ୍ମରେ ଅକ୍ଷୟ-ରବିନାଙ୍କ ଯୋଡ଼ି ଖୁବ୍‌ ଚର୍ଚ୍ଚିତ ହୋଇଥିଲା। ତେବେ ନିକଟରେ ସେମାନଙ୍କ ଅତୀତ ସମ୍ପର୍କରେ ରବିନା ଏକ ସାକ୍ଷାତକାରରେ କହିଥିଲେ, ‘ଝିଅମାନେ ପ୍ରତି ସପ୍ତାହରେ କଲେଜରେ ପୁଅସାଙ୍ଗ ବଦଳାଉଥିବା ବେଳେ ଭାଙ୍ଗିଯାଇଥିବା ଗୋଟିଏ ସମ୍ପର୍କ କାହିଁକି କେଜାଣି ମୋ’ ମୁଣ୍ଡରେ ସେମିତି ବସାବାନ୍ଧି ରହିଯାଇଛି।’ ତେବେ ସମସ୍ତଙ୍କୁ ଆଗକୁ ବଢ଼ିବାର ଅଛି ଏବଂ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି କହି ରବିନା କଥାକୁ ସେଇଠି ଛିଣ୍ଡେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର