ପୃଥ୍ବୀରାଜଙ୍କୁ ‘ଆନ୍ଧ୍ର ମଡେଲ୍‌’ କଥା କହି କଟାକ୍ଷ କଲା ବିଜେଡି

ଆନ୍ଧ୍ରରେ ବିଧାନ ପରିଷଦ ସଭ୍ୟ ପଦ ପାଇଁ ଟଙ୍କା ଆଦାୟ ପ୍ରସଙ୍ଗ ଉଠିଲା

ଭୁବନେଶ୍ୱର : ଓଡ଼ିଶାରେ ତାମିଲନାଡୁ ମଡେଲ ଶାସନ ଚାଲିଛି ବୋଲି ମନ୍ତବ୍ୟ ଦେଇଥିବା ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କୁ ବିଜେଡି କଟାକ୍ଷ କରିଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ଯେ ଜୀବନରେ ୱାର୍ଡମେମ୍ବର ନିର୍ବାଚନରେ ବି ଜିତି ପାରିନଥିବା ଓଡ଼ିଶା ବିଜେପିର କୁହାଳିଆ ନେତା ପୃଥ୍ୱୀରାଜ ହରିଚନ୍ଦନ ସବୁବେଳେ ଓଡ଼ିଶାବିରୋଧୀ ବୟାନ ଦିଅନ୍ତି। ଓଡ଼ିଶାରେ କେଉଁ ମଡେଲ ଶାସନ ଚାଲିଛି, ସେ ବିଷୟରେ ବଡ଼ ବଡ଼ କଥା କହୁଥିବା ପୃଥ୍ୱୀରାଜ ବାବୁ ନିଶ୍ଚୟ ଭଲ ଭାବରେ ଜାଣିଥିବେ ଯେ ଗୋଟିଏ ‘ଆନ୍ଧ୍ର ମଡେଲ୍’ ମଧ୍ୟ ରହିଛି। ଯେଉଁ ମଡେଲରେ ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦର ସଦସ୍ୟ କରିଦେବା ପାଇଁ ଆଶାୟୀମାନଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ ହୋଇଛି। ଶୁଣିବାକୁ ମିଳୁଛି, ଏହି କେଳେଙ୍କାରୀକୁ ନେଇ ଫୌଜଦାରୀ ମାମଲା ମଧ୍ୟ ହେବାକୁ ଯାଉଛି ଓ ଏଥିରେ ସଂପୃକ୍ତ ଲୋକ ଖୁବଶୀଘ୍ର ଗିରଫ ହେବାର ସମ୍ଭାବନା ରହିଛି।

ଶ୍ରୀ ପଣ୍ଡା ଆହୁରି କହିଛନ୍ତି ଯେ ଓଡ଼ିଶା ବିଜେପିର କାର୍ଯ୍ୟଶୈଳୀ ଦେଖି ଲାଗୁଛି, ବୋଧହୁଏ ତାଙ୍କ ଦଳର ରାଜ୍ୟ ସଂଗଠନରେ କେହି ବିଧାୟକ କିମ୍ବା ସାଂସଦ ନାହାନ୍ତି ଯିଏକି ରାଜନୈତିକ ପ୍ରସଙ୍ଗରେ ମନ୍ତବ୍ୟ ଦେଇପାରିବେ। ନହେଲେ ଫୌଜଦାରୀ ମାମଲାରେ ଛନ୍ଦି ହୋଇ ଯେକୌଣସି ମୁହୂର୍ତ୍ତରେ ଜେଲ ଯିବାର ଆଶଙ୍କା ଥିବା ଜୁନିୟର ଲୋକଙ୍କୁ ଗଣମାଧ୍ୟମରେ ମନ୍ତବ୍ୟ ଦେବାକୁ ଛାଡ଼ି ନ ଥାନ୍ତେ। ଏଭଳି ବିବାଦୀୟ ଓ କଳଙ୍କିତ ଛବି ଥିବା ନେତାଙ୍କ ଯୋଗୁଁ ଦଳକୁ ବହୁ ମୂଲ୍ୟ ଦେବାକୁ ପଡ଼ିପାରେ।

‘ଆନ୍ଧ୍ର ମଡେଲ୍‌’ ଓ ବିଧାନ ପରିଷଦ ସଦସ୍ୟ କରିଦେବା ପାଇଁ ଟଙ୍କା ଆଦା‌ୟ ପ୍ରସଙ୍ଗରେ ପୃଥ୍ବୀରାଜଙ୍କ ସଂପୃକ୍ତି ନିର୍ଦ୍ଦିଷ୍ଟ ଭାବେ କ’ଣ ରହିଛି, ତାହା ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। କିନ୍ତୁ ଏହି ଅଭିଯୋଗ ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ ଯୋଗାଇଛି।

ସମ୍ବନ୍ଧିତ ଖବର