ଶ୍ରୀମନ୍ଦିରରେ ଜେଟିପି, ମାଳି ନିଯୁକ୍ତିରେ ଅନିୟମିତତା! ବିନା ସାର୍ଟିଫିକେଟ୍‌ ଯାଞ୍ଚରେ ସ୍ଥାୟୀ ଚାକିରି

ପୁରୀ : ଶ୍ରୀମନ୍ଦିରରେ ଜେଟିପି, ମାଳି ନିଯୁକ୍ତିରେ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ବିନା ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚରେ ବହୁ ଜେଟିପି, ମାଳିଙ୍କୁ ଚୁକ୍ତିଭିତ୍ତିକ ଚାକିରିରୁ ସ୍ଥାୟୀ ନିଯୁକ୍ତି ମିଳିଥିବା ଅଭି ଯୋଗ ଉଠିଛି। ଯେଉଁଠି ଯାଞ୍ଚ କମିଟି ୨୩ ଜଣଙ୍କ ପ୍ରମାଣପତ୍ର ଉପର ସନ୍ଦେହ ପ୍ରକଟ କରି ବୋର୍ଡରୁ ପୂର୍ଣ୍ଣାଙ୍ଗ ଯାଞ୍ଚ ପାଇଁ ସୁପାରିସ କରିଛି, ସେଠି କମିଟିର ଏହି ସୁପାରିସକୁ ଅଣଦେଖା କରାଯାଇ ଭିତିରିଆ ଜେଟିପି, ମାଳିଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଚଞ୍ଚକତାରେ ଶ୍ରୀମନ୍ଦିରର ବହୁ ଅଧିକାରୀ ଓ କର୍ମଚାରୀଙ୍କ ସହ ସେବାୟତ ବି ସଂପୃକ୍ତ ଥିବା ଅଭିଯୋଗ ଉଠିଛି। ନିକଟରେ ବି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ନକଲି ପ୍ରମାଣପତ୍ରରେ ଚାକିରି କରିଥିବା ଜଣାପଡ଼ିବା ପରେ ତାଙ୍କୁ ବହିଷ୍କାର କରାଯାଇଛି। ଅନ୍ୟ ଜଣଙ୍କ ଉପରେ ତଦନ୍ତ ଚାଲିଛି। ଏଭଳି ସ୍ଥିତିରେ ଦ୍ବିତୀୟ ପର୍ଯ୍ୟାୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ନେଇ ଯେଉଁ ଚଞ୍ଚକତା ଅଭିଯୋଗ ଉଠିଛି, ଶ୍ରୀମନ୍ଦିର ପ୍ରଶାସନ ତାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବ ବୋଲି ବରିଷ୍ଠ ସେବାୟତ ଆଶାପୋଷଣ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଶ୍ରୀମନ୍ଦିରରେ କିଛି ମାସ ତଳେ ପ୍ରଥମ ପର୍ଯ୍ୟାୟରେ ବହୁ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିଥିଲା। ଯେଉଁ ପଦବିରେ ଜେଟିପି, ମାଳି ଆଦି ରହିଥିଲେ। ଖାଲି ଥିବା ପଦବି ପୂରଣ ପରେ କିଛି ଆବେଦନକାରୀଙ୍କୁ ପ୍ରତୀକ୍ଷା ତାଲିକା(ୱେଟିଂ ଲିଷ୍ଟ୍‌)ରେ ରଖାଯାଇଥିଲା। ଯଦି କେହି ଚାକିରିରେ ଯୋଗ ନ ଦିଅନ୍ତି, ସେହି ପଦବିରେ ପ୍ରତୀକ୍ଷା ତାଲିକାରେ ଥିବା ଆବେଦନକାରୀଙ୍କୁ ନିଯୁକ୍ତି ମିଳିବ ବୋଲି ସ୍ପଷ୍ଟ କରାଯାଇଥିଲା। ନିଯୁକ୍ତି ପରେ କିଛି ପଦବି ଖାଲି ପଡ଼ିବାରୁ ଦ୍ବିତୀୟ ପର୍ଯ୍ୟାୟରେ ପ୍ରତୀକ୍ଷା ତାଲିକାରେ ଥିବା ଆବେଦନକାରୀଙ୍କୁ ଏହି ପଦବିରେ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିଲା। ଚୁକ୍ତିଭିତ୍ତିକ ଚାକିରିଆଙ୍କୁ ସ୍ଥାୟୀ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ଘୋଷଣା ପରେ ଦ୍ବିତୀୟ ପର୍ଯ୍ୟାୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ଜେଟିପି, ମାଳି ଆଦିଙ୍କ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା।

ସାର୍ଟିଫିକେଟ୍‌ ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଯାଞ୍ଚ କମିଟି ଗଠନ ହେଲା। ଯେହେତୁ ଜେଟିପି, ମାଳି ଆଦିଙ୍କ ଚାକିରି ପାଇଁ ଦଶମ ପାସ୍‌ ଶିକ୍ଷାଗତ ପ୍ରମାଣପତ୍ର ଆବଶ୍ୟକ ଥିଲା, ସେଥିପାଇଁ ସମସ୍ତଙ୍କୁ ଦଶମ ପାସ୍‌ ଶିକ୍ଷାଗତ ପ୍ରମାଣପତ୍ର ସହ ଅନ୍ୟାନ୍ୟ ପ୍ରମାଣପତ୍ର ଦେଖାଇବାକୁ କୁହାଯାଇଥିଲା। ଯାଞ୍ଚ କମିଟି ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ବେଳେ ୨୩ଜଣଙ୍କ ପ୍ରମାଣପତ୍ର ଉପରେ ସନ୍ଦେହ ହୋଇଥିଲା। ମୂଳ ପ୍ରମାଣପତ୍ର ସହ ଜେରକ୍ସ ପ୍ରମାଣପତ୍ର ମେଳ ଖାଇନଥିଲା। ଚାକିରି ପାଇଥିବା ଜେଟିପି, ମାଳିମାନେ ଦେଇଥିବା ଶିକ୍ଷାଗତ ପ୍ରମାଣପତ୍ରରୁ କିଛି ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ବୋର୍ଡ ଓ କିଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ‌ବୋର୍ଡର ପ୍ରମାଣପତ୍ର ରହିଥିଲା। ଏଣୁ ଯାଞ୍ଚ କମିଟି ୨୩ଜଣଙ୍କ ଶିକ୍ଷା ପ୍ରମାଣପତ୍ର ଅସଲି କି ନକଲି, ଯାଞ୍ଚ ପାଇଁ ସମ୍ପୃକ୍ତ ବୋର୍ଡକୁ ପଠାଇବାକୁ ସୁପାରିସ କରିଥିଲା। କିନ୍ତୁ ସେବାୟତଙ୍କ ଚାପରେ ଚାଞ୍ଚ କମିଟିର ଏହି ରି ପୋର୍ଟକୁ ବରିଷ୍ଠ ଅଧିକାରୀମାନେ ଚପାଇ ରଖିଲେ। ସମ୍ପୃକ୍ତ ବୋର୍ଡକୁ ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ ପଠାଇଲେନି କି ଆପତ୍ତି ଉଠାଯାଇଥିବା ୨୩ଜଣ ଆବେଦନକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେନି। ବହୁ ମାସ ଯାଞ୍ଚ କମିଟି ରିପୋର୍ଟକୁ ଚାପି ରଖିବା ପରେ ଗତ ମାସରେ ୨୩ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଛି। ଏହାକୁ ନେଇ ସେବାୟତ ମହଲରେ ତମ୍ବିତୋଫାନ ଆରମ୍ଭ ହୋଇଯାଇଛି।

ଜଣେ ବରିଷ୍ଠ ସେବାୟତ କହିଛନ୍ତି, ଅନେକ ଉଚ୍ଚଶିକ୍ଷିତ ଚାକିରି ଆଶାୟୀ ଅଛନ୍ତି, ଯେଉଁମାନେ ଶ୍ରୀମନ୍ଦିରରେ ଚାକିରି ପାଇବାକୁ ଯୋଗ୍ୟ। କିନ୍ତୁ କିଛି ଦୁର୍ନୀତିଖୋର ଅଧିକାରୀ ଏମାନଙ୍କ ବାଟ ଓଗାଳିଛନ୍ତି। ନକଲି ପ୍ରମାଣପତ୍ରରେ ଚାକିରି କରାଉଛନ୍ତି। କେଉଁଭଳି ପରିସ୍ଥିତିରେ ୨୩ଜଣଙ୍କୁ ନିଯୁକ୍ତି ମିଳିଲା, ତାର ଉଚ୍ଚସ୍ତରୀୟ ତଦନ୍ତ ହେଉ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ କହିଛନ୍ତି, ମୁଁ ଏ ସମ୍ପର୍କରେ ଜାଣିନି। ଏହାର ଅନୁସନ୍ଧାନ ପରେ କିଛି କହିପାରିବି। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି ଏସ ଚନ୍ଦ୍ରଶେଖର ରାଓ କହିଛନ୍ତି, ମୋ ପାଖରେ ଏ ସମ୍ପର୍କିତ କୌଣସି ଅଭିଯୋଗ ପହଞ୍ଚିନି। ଯଦି ଏଭଳି କିଛି ହୋଇଥିବ, ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧିତ ଖବର