ସମ୍ପତ୍ତି ବନ୍ଧା ପକାଇ ସାହାଯ୍ୟ କଲେ ସୋନୁ ସୁଦ୍

ଲୋକଙ୍କୁ ସହାୟତା କରିବା ପାଇଁ ବଲିଉଡ୍ ଅଭିନେତା ସୋନୁ ସୁଦ୍ ନିଜ ଘର ବନ୍ଧା ପକାଇଛନ୍ତି। ମୁମ୍ବାଇର ଜୁହୁସ୍ଥିତ ଦୁଇଟି ଦୋକାନ ଓ ୬ ଘରକୁ ବନ୍ଧା ପକାଇ ୧୦ କୋଟି ଟଙ୍କା କରଜ ଆଣିଛନ୍ତି। ସୂଚନା ମୁତାବକ, ୧୫ ସେପ୍ଟେମ୍ବର ସୋନୁ ଋଣ ପାଇଁ ଚୁକ୍ତିନାମା ସ୍ବାକ୍ଷର କରିଥିଲେ ଏବଂ ୨୪ ନଭେମ୍ବରରେ ଏହା ରେଜିଷ୍ଟ୍ରେସନ୍ ହୋଇଥିଲା। ଏହି ଟଙ୍କାକୁ ଆଣି ସୋନୁ ସୁଦ୍ ଗରିବଙ୍କ ସହିତ ପାଠ ପଢ଼ା ପାଇଁ ବହୁ ଶିକ୍ଷାର୍ଥୀଙ୍କୁ ସହଯୋଗ କରୁଥିବା ଜଣାପଡ଼ିଛି। ତେବେ ଗତ ଅଗଷ୍ଟରେ ୧୧୩୭ ମେଲ୍, ୧୯ ହଜାର ଫେସ୍‌ବୁକ୍ ମେସେଞ୍ଜର୍, ୪୮୧୨ ଇନ୍‌ଷ୍ଟାଗ୍ରାମ୍ ମେସେଜ୍, ୬୭୪୧ ଟ୍ବିଟରରେ ସହାୟତା ମାଗିଥିବା ସୋନୁ କହିଥିଲେ। ସୋନୁ ସମସ୍ତଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ବର୍ତ୍ତମାନ ଚେଷ୍ଟା କରୁଥିବା କହିଛନ୍ତି। ଏପରିକି ଯଦି କୌଣସି ଗୋଟିଏ ବି ମେସେଜ୍ ଭୁଲରେ ଛାଡ଼ିଦିଅନ୍ତି, ତେବେ ତାଙ୍କୁ କ୍ଷମା କରିବାକୁ ସେ ଲୋକଙ୍କୁ ନିବେଦନ କରିଛନ୍ତି। ତେବେ ସୋନୁଙ୍କର ପରୋପକାର ସେବା ପାଇଁ ତାଙ୍କୁ ୟୁନାଇଟେଡ୍ ନେସନ୍ ଡେଭଲପ୍‌ମେଣ୍ଟ୍ ପ୍ରୋଗାମ୍ ପକ୍ଷରୁ ଏସ୍‌ଡିଜି ସ୍ପେସାଲ୍ ୟୁନିଟୋରିୟନ୍ ଆକ୍ସନ ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର