ଦୂରଦର୍ଶନ ସିରିଏଲ୍‌ ‘ନୁକ୍କଡ୍‌’ରେ ଜନପ୍ରିୟ ଖୋପ୍‌ଡୀ ଚରିତ୍ରର ଅଭିନେତା ସମୀର ଖାଖର୍‌ଙ୍କ ଦେହାନ୍ତ

ମୁମ୍ବାଇ: ୮୦ ଦଶକର ଜନପ୍ରିୟ ଦୂରଦର୍ଶନ ସିରିଏଲ୍‌ ‘ନୁକ୍କଡ୍‌’ରେ ଖୋପ୍‌ଡୀ ଭୂମିକାରେ ଅଭିନୟ କରି ସୁନାମ ଅର୍ଜନ କରିଥିବା ଅଭିନେତା ସମୀର ଖାଖର୍‌ଙ୍କର ଆଜି ମୁମ୍ବାଇରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା।

ଗଣମାଧ୍ୟମକୁ ସମୀରଙ୍କ ଭାଇ ଗଣେଶ କହିଛନ୍ତି, ଗତକାଲି ସକାଳେ ସେ ଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ଆମେ ଘରକୁ ଡାକ୍ତର ଡକାଇଥିଲୁ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବାକୁ ସେ ପରାମର୍ଶ ଦେଲେ। ତେଣୁ, ଆମେ ତାଙ୍କୁ ଡାକ୍ତରଖାନା ନେଲୁ ଓ ତାଙ୍କୁ ‘ଆଇସିୟୁ’ରେ ଭର୍ତ୍ତି କରାଗଲା। ତା’ପରେ ତାଙ୍କର ଏକାଧିକ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇଗଲା ଓ ପାହାନ୍ତା ୪.୩୦ରେ ମୃତୁ ଘଟିଲା।

ଦୀର୍ଘ ୪ ଦଶନ୍ଧି ଧରି ସେ ମଞ୍ଚ, ଚଳଚ୍ଚିତ୍ର ଏବଂ ଟେଲିଭିଜନ୍‌ରେ ଅଭିନୟ କରିଥିଲେ। କିନ୍ତୁ, କିଛି ବର୍ଷ ହେବ ସେ ଆଉ ଅଭିନୟ କରୁ ନ ଥିଲେ। ଯୁକ୍ତରାଷ୍ଟ୍ର ଆମେରିକାରେ ବସବାସ କରିବା ପରେ ୧୯୯୬ରେ ସମୀରଙ୍କର ପୁନରାଗମନ ହୋଇଥିଲା। ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଥିଲା ‘ଜୟ ହୋ’ ଏବଂ ‘ସଞ୍ଜିବନୀ’ ନାମକ ‘ଟିଭି’ ସୋ’ରେ ବି ସେ ଅଭିନୟ କରିଥିଲେ।

Image Courtesy of Stars Unfolded

ଗୁଜରାଟୀ ନାଟକରେ ଅଭିନୟ ଆରମ୍ଭ କରିଥିବା ସମୀର ‘ଟିଭି ସିରିଏଲ୍‌’ ‘ନୁକ୍କଡ୍‌’ରେ ଅଭିନୟ କରି ଦର୍ଶମାନଙ୍କର ପ୍ରିୟଭାଜନ ହୋଇପାରିଥିଲେ। ଏଥିରେ ଅଭିନୟ କରିଥିବା ଭୂମିକା ଯୋଗୁଁ ଜଣେ ଦକ୍ଷ ଚରିତ୍ର ଅଭିନେତା ଭାବେ ତାଙ୍କର ଖ୍ୟାତି ବୃଦ୍ଧି ପାଇଥିଲା। ସମୀର ଅଭିନୟ କରିଥିବା ଜନପ୍ରିୟ ‘ଟିଭି ସିରିଏଲ୍‌’ମାନଙ୍କ ମଧ୍ୟରେ ଥିଲା ‘ସର୍କସ୍‌’, ‘ନୟା ନୁକ୍କଡ୍‌’, ‘ଶ୍ରୀମାନ୍‌ ଶ୍ରୀମତୀ’, ‘ମଣିରଞ୍ଜନ’ ଏବଂ ‘ଅଦାଲତ’।

ନିକଟ ଅତୀତରେ ‘ଆମାଜନ୍‌ ପ୍ରାଇମ୍‌ ଭିଡିଓ’ର ‘ଫର୍ଜି’, ‘ଜି୫’ର ‘ସନ୍‌ଫ୍ଲାୱାର୍‌’ ଏବଂ ସୁଧୀର ମିଶ୍ରାଙ୍କ ‘ସିରିୟସ୍‌ ମେନ୍‌’ରେ ମଧ୍ୟ ସେ ଅଭିନୟ କରିଥିଲେ।

ଏହାଛଡ଼ା, ହିନ୍ଦୀ ଚଳଚ୍ଚିତ୍ର ‘ହସି ତୋ ଫସି’, ‘ପଟେଲ୍‌ କ‌ୋ ପଞ୍ଜାବୀ ସାଦି’, ‘ପୁଷ୍ପକ’, ‘ପରିନ୍ଦା’ ଏବଂ ‘ସାହେନ୍‌ଶାହ୍‌’ ଆଦିରେ ମଧ୍ୟ ସେ ଅଭିନୟ କରିଥିଲେ।

ତାଙ୍କର ପତ୍ନୀ ଜୀବିତ ଅଛନ୍ତି। ବୋରିବାଲିସ୍ଥି ‘ବାଭାଇ ନାକା ଶ୍ମଶାନ’ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

ସମ୍ବନ୍ଧିତ ଖବର