ମରଣ ମୁହଁରେ ଦାଦନ : ଟ୍ରକ୍, ଟ୍ରଲି ଦୁର୍ଘଟଣା: ୩୦ ମୃତ

ନୂଆଦିଲ୍ଲୀ : ଲକ୍ ଡାଉନ୍ ଯୋଗୁ ସର୍ବାଧିକ କ୍ଷତିଗ୍ରସ୍ତ ପ୍ରବାସୀ ଶ୍ରମିକମାନଙ୍କ ଲାଗି ପ୍ରଧାନମନ୍ତ୍ରୀ ବଡ଼ ଧରଣର ପ୍ୟାକେଜ ଘୋଷଣା କରିଥିବା ବେଳେ ସେମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିନଥିବା ଭଳି ଦେଖାଯାଉଛି। ଏବେ ବି ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଭୋକ ଉପାସରେ ନିଜ ରାଜ୍ୟକୁ ଫେରୁଛନ୍ତି। କିଏ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଅନ୍ୟ କେତେକ ଟ୍ରକ୍ ଓ ଅନ୍ୟାନ୍ୟ ଗ‌ାଡ଼ିରେ ଫେରୁଛନ୍ତି। ତଥାପି ‌ଦୁର୍ଦଶା ସେମାନଙ୍କର ପିଛା ଛାଡ଼ୁନାହିଁ। କିଛିଦିନ ତଳେ ଏଭଳି ୧୬ ଶ୍ରମିକ ଘରକୁ ଫେରିବା ସମୟରେ ରେଳ ଧାରଣା ଉପରେ ଶୋଇଥିବା ବେଳେ ସେମାନଙ୍କ ଉପରେ ମାଲଗାଡ଼ି ଚଢ଼ିଯାଇଥିଲା। ଏହି ହୃଦୟବିଦାରକ ଦୃଶ୍ୟ ମନରୁ ଲିଭି ନଥିବା ବେଳେ ଆଜି ଦୁଇଟି ସ୍ଥାନରେ ପ୍ରବାସୀ ଶ୍ରମିକମାନଙ୍କୁ ନେଇଯାଉଥିବା ଟ୍ରକ ଓ ଟ୍ରଲି ଦୁର୍ଘଟଣାଗ୍ରସ୍ତ ହୋବରୁ ୩୦ ଜଣ ପ୍ରାଣ ହରାଇଛନ୍ତି।

ଉତ୍ତରପ୍ରଦେଶରେ ଆଜି ଭୋର୍‌ ସମୟରେ ହୋଇଥିବା ପ୍ରଥମ ସଡ଼କ ଦୁର୍ଘଟଣାରେ ୨୫ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଆହୁରି ୩୫ ଜଣ ଆହତ ହୋଇଛନ୍ତି। ଅରେୟା ଜିଲ୍ଲା ସ୍ଥିତ କୋଟୱାଲି ଥାନା ଅଂଚଳରେ ଆଜି ଭୋର ପ୍ରାୟ ୩.୩୦ ସମୟରେ ଏକ ଦ୍ରୁତଗାମୀ ମିନି ଟ୍ରକ୍‌ ଅନ୍ୟ ଏକ ଷ୍ଟେସନାରି ଟ୍ରକ୍‌ ଟ୍ରଲି ଉପରକୁ ମାଡ଼ିଯିବା ଫଳରେ ୨୪ ଜଣଙ୍କ ଜୀବନ ଚାଲିଯାଇଛି। ମିନି ଟ୍ରକ୍‌ରେ ୧୮ ଜଣ ପ୍ରବାସୀ ଶ୍ରମିକ ଏବଂ ଟ୍ରକ୍‌ ଟ୍ରଲି‌ରେ ପ୍ରାୟ ୪୨ ଜଣ ପ୍ରବାସୀ ଥିଲେ। ଟ୍ରକ୍‌ ଟ୍ରଲିରେ ଥିବା ପ୍ରବାସୀମାନେ ରାଜସ୍ଥାନର ଜୟପୁର ଏବଂ ଭରତପୁର ଜିଲ୍ଲାର ନିଜ ଗ୍ରାମକୁ ଯାଉଥିଲେ। ଅନ୍ୟପକ୍ଷେ ମିନି ଟ୍ରକ୍‌ରେ ଦିଲ୍ଲୀରୁ ପ୍ରବାସୀମାନେ ମଧ୍ୟପ୍ରଦେଶର ସାଗର ଅଭିମୁଖେ ଯାତ୍ରା କରୁଥିଲେ।

ସେହିଭଳି ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ ଆଜି ଆଉ ଏକ ସଡ଼କ ଦୁର୍ଘଟଣାରେ ୫ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଏବଂ ୧୯ ଜଣ ଆହତ ହୋଇଛନ୍ତି। ଉକ୍ତ ପ୍ରବାସୀ ଶ୍ରମିକମାନେ ମହାରାଷ୍ଟ୍ରରୁ ଉତ୍ତରପ୍ରଦେଶକୁ ଏକ ଟ୍ରକ୍‌ରେ ଯାଉଥିବାବେଳେ ମଧ୍ୟପ୍ରଦେଶ ସାଗର ଜିଲ୍ଲା ନିକଟରେ ସେମାନଙ୍କ ଟ୍ରକ୍‌ ଓଲଟି ଯାଇଥିଲା। ଫଳରେ ୫ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର