ଇଣ୍ଡିଜ୍ ବିପକ୍ଷ ଦ୍ରୁତ ୪୪ ରନ୍‌ ମୋ’ ପସନ୍ଦର ପାଳି: ସଚିନ

ଗାଙ୍ଗୁଲିଙ୍କ ସହ ଆଲୋଚନା କରି ମ୍ୟାକ୍‌ଗ୍ରାଙ୍କୁ ଆକ୍ରମଣ କରିଥିଲେ

ନୂଆଦିଲ୍ଲୀ: ସଚିନ ତେନ୍ଦୁଲକରଙ୍କ ୧୦୦ ଅନ୍ତର୍ଜାତୀୟ ଶତକର କଥା ବିଶ୍ବବ୍ୟାପୀ ପ୍ରତି‌ ସେକେଣ୍ଡ୍‌ରେ ଚର୍ଚା ହୋଇଥାଏ। କିନ୍ତୁ ଅନେକଙ୍କ ଅଜଣା ଶତକବିହୀନ କେଉଁ ପାଳିଟି ତାଙ୍କର ସବୁଠୁ ପସନ୍ଦର। ୧୯୯୭ ମସିହାରେ ଏକ କଦର୍ଥ ପଡିଆରେ କର୍ଟନି ୱାଲ୍ସ ଓ କର୍ଟଲି ଆମ୍ବ୍ରୋସଙ୍କ ବିପକ୍ଷ ଦ୍ରୁତ ୪୪ ରନ୍‌କୁ ସେ ଅନ୍ୟତମ ଶ୍ରେଷ୍ଠ ଦିନିକିଆ ପାଳିର ଆଖ୍ୟା ‌ଦେଇଛନ୍ତି। ୨୦୦୧ ମସିହାର ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ଦିନିକିଆ ଶୃଙ୍ଖଳା ବିଜୟର ପାଳି ଛୋଟ‌ ହେଲେ ବି ଗୁରୁତ୍ବପୂର୍ଣ୍ଣ ଓ ସ୍ମରଣୀୟ ବୋଲି ମନେ ପକାଇଛନ୍ତି। ‘୨୦୦୧ ମସିହାର ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ଟେଷ୍ଟ୍ ଶୃଙ୍ଖଳା ବିଜୟ ପରେ ପରେ ପ୍ରଥମ ଦିନିକିଆରେ ମୁଁ ଏବଂ ଭିଭିଏସ୍ ଲକ୍ଷ୍ମଣ ଦଳକୁ ଭଲ ଆରମ୍ଭ ଦେଇଥିଲୁ। ପ୍ରଥମରୁ ହିଁ ମୁଁ ଗ୍ଲେନ୍ ମ୍ୟାକ୍‌ଗ୍ରାଙ୍କ ବିପକ୍ଷରେ ଆକ୍ରମଣାତ୍ମକ ବ୍ୟାଟିଂ କରିବାକୁ ନିଷ୍ପତ୍ତି‌ ନେଇଥିଲି। ତାଙ୍କ ଲୟ ବିଗାଡ଼ିବା ସହ ଅସ୍ଥିର କରିଦେବା ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହ‌ି ଯୋଜନା କାର୍ଯ୍ୟକାରୀ ହୋଇଥିଲା। ତାଙ୍କୁ ଗୋଟିଏ ଓଭରରେ ୩ ଚୌକା ଓ ୧ ଛକା ମାରିଥିଲି। ୩୫ ରନ୍‌ କରି ମୁଁ ରନ୍‌ ଆଉଟ୍ ହୋଇଯାଇଥିଲି। କିନ୍ତୁ ଫର୍ମ ବଜାୟ ରଖିଥିଲି’ ବୋଲି ସଚିନ କହିଛନ୍ତି। ଅନ୍ୟ ଏକ ପସନ୍ଦର ପାଳି ହେଉଛି ୧୯୯୭ ମସିହାର କଥା। ତ୍ରିନିଦାଦରେ ଆମେ ପ୍ରଥମେ ବ୍ୟାଟିଂ କରୁଥାଉ, ମେଘୁଆ ଆକାଶ ଓ ସକାଳର ଭିଜା ୱିକେଟ୍‌ ଥିଲା। କେବଳ ଆହ୍ବାନଭରା ୱିକେଟ୍‌ ନୁହେଁ, ସେମାନଙ୍କ ବୋଲିଂ ବାହିନୀ ବି ବଢ଼ିଆ ଥିଲା। କର୍ଟନି ୱାଲ୍ସ, କର୍ଟଲି ଆମ୍ବ୍ରୋସ, ଇଆନ୍ ବିଶପ, ଫ୍ରାଙ୍କଲିନ୍ ରୋଜ୍‌ଙ୍କୁ ନେଇ ଏହି ପେସ୍‌ ବ୍ୟାଟେରି ପ୍ରସ୍ତୁତ ଥିଲା। ମୁଁ କିନ୍ତୁ ପ୍ରତି ଆକ୍ରମଣ କରି ଦ୍ରୁତ ୪୪ ରନ୍ କରିଥିଲି। ଆମ୍ବ୍ରୋସଙ୍କ ବଲରେ କଟ୍‌ ବିହାଇଣ୍ଡ୍‌ ହୋଇଥିଲି, ଏହା ପୁଣି ଅମ୍ପାୟାରିଂ ତ୍ରୁଟି ଥିଲା। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ ଆମେ ହାରିଯାଇଥିଲୁ, କିନ୍ତୁ ଅତ୍ୟନ୍ତ କଠୋର ପରିବେଶରେ ଖେଳିଥିବା ଏହି ପାଳି ମୋ ପସନ୍ଦର ତାଲିକାରେ ରହିଛି’‌ ବୋଲି ସଚିନ ପ୍ରକାଶ କରିଥିଲେ। ୨୦୦୦ ମସିହାରେ ନାଇରୋବିଠାରେ ଅଷ୍ଟ୍ରେଲିଆ ବିପକ୍ଷ ଚର୍ଚ୍ଚିତ ପାଳିକୁ ମଧ୍ୟ ସଚିନ ଭୁଲି ନ ଥିବା କହିଥିଲେ। ସେଠାରେ ମଧ୍ୟ ପଡିଆ ଓଦା ରହିଥିଲା, ବ୍ୟାଟିଂ ଏତେ ସହଜ ନ ଥିଲା। ପିଚ୍‌ ଜୀବନ୍ତ ଥିଲା, ଗ୍ଲେନ୍ ମ୍ୟାକ୍‌ଗ୍ରା ପ୍ରଥମ ଓଭର ‌ବୋଲିଂ କରିଥିଲେ। ସୌରଭ (ଗାଙ୍ଗୁଲି)ଙ୍କ ସହ ଆଲୋଚନା କରି ମୁଁ ତାଙ୍କୁ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲି। ତାଙ୍କୁ ଉତ୍‌କ୍ଷିପ୍ତ କରାଇଲେ ସେ ମୋ ୱିକେଟ୍‌ ନେବା ପରିବର୍ତ୍ତେ ଶରୀରକୁ ବଲ୍ ପକାଇବେ ବୋଲି ଜାଣିଥିଲି। କିଛି ବଲ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଆମେ ଚାହୁଁଥିବା ଯାଗାରେ‌ ସେ ବୋଲିଂ କରିଥିଲେ। ମୁଁ ଦ୍ରୁତ ୩୮ ରନ୍ କରିଥିଲି ଏବଂ ଏହା ଦଳର ବିଜୟରେ ଆସିଥିବାରୁ ଖୁସି ଲାଗିଥିଲା ବୋଲି ସଚିନ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର