୮୮ ଛାତ୍ରୀଙ୍କୁ ଉଲଗ୍ନ କଲେ ୩ ଶିକ୍ଷୟତ୍ରୀ

ଇଟାନଗର: ଅରୁଣାଚଳ ପ୍ରଦେଶର କେବଳ ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ଆବାସିକ ବିଦ୍ୟାଳୟରେ ଏକ ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ସାଗାଲିଠାରେ ଥିବା ଏକ ଆବାସିକ ବିଦ୍ୟାଳୟର ତିନି ଜଣ ଶିକ୍ଷୟତ୍ରୀ କେତେକ ଛାତ୍ରୀ ପ୍ରଧାନ ଶିକ୍ଷୟତ୍ରୀ ଏବଂ ଅନ୍ୟ ଛାତ୍ରୀଙ୍କ ଉପରେ ଅଶ୍ଳୀଳ ଟିପ୍ପଣୀ ଦେଇଥିବା ଜାଣିବା ପରେ କ୍ଷୁବ୍ଧ ହୋଇଥିଲେ । ସେମାନେ ଉକ୍ତ ଛାତ୍ରୀମାନଙ୍କୁ ଏସଂପର୍କ ରେ ସ୍ପଷ୍ଟୀକରଣ ମାଗିଥିଲେ । ଖାସ୍‌ କରି ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରୀମାନଙ୍କୁ ଏଥିନେଇ ଉକ୍ତ ତିନି ଶିକ୍ଷୟତ୍ରୀ ତାଗିଦ୍‌ କରିଥିଲେ । କିନ୍ତୁ ଅଭିଯୁକ୍ତ ଛାତ୍ରୀମାନେ ଏସଂପର୍କରେ କିଛି ଜଣାଇ ନଥିଲେ ।
ଏଥିରେ କ୍ଷୁବ୍ଧ ହୋଇ ତିନି ଶିକ୍ଷୟତ୍ରୀ ଷଷ୍ଠ ଓ ସପ୍ତମ ଶ୍ରେଣୀର ୮୮ ଜଣ ଛାତ୍ରୀଙ୍କୁ ଅନ୍ୟାାନ୍ୟ ଛାତ୍ରୀମାନଙ୍କ ସମ୍ମୁଖରେ ଉଲଗ୍ନ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଛାତ୍ରୀମାନେ ମଧ୍ୟ ଉଲଗ୍ନ ହୋଇଥିଲେ ବୋଲି ଅଲ୍‌ ପପୁମ୍‌ ପେଆର୍‌ ଡିଷ୍ଟ୍ରିକ୍ଟ୍‌ ଷ୍ଟୁଡେଣ୍ଟସ ୟୁନିଅନ୍‌ ପକ୍ଷରୁ ଅଭିଯୋଗ କରାଯାଇଥିଲା ।
ଏହି ଘଟଣା ପଦାକୁ ଆସିବାର ଦୁଇ ଦିନପରେ ଅଲ୍‌ ସାଗାଲି ଷ୍ଟୁଡେଣ୍ଟସ ୟୁନିଅନ୍‌ ( ଏ ଏସ୍‌ ଏସ୍‌ ୟୁ) ପକ୍ଷରୁ ପପୁମ୍‌ ପେଆର୍‌ ଜିଲ୍ଲାର ତାନି ହପ୍ପା ଅଞ୍ଚଳରେ ଥିବା ଆବାସିକ ବିଦ୍ୟାଳୟର ଉକ୍ତ ତିନି ଶିକ୍ଷୟିତ୍ରୀଙ୍କ ବିରୋଧରେ ସାଗାଲି ଥାନାରେ ଏତଲା ଦିଆଯାଇଥିବା ଜଣାଯାଇଛି । ପରେ ଏହି ଘଟଣାର ଅନୁସନ୍ଧାନ କରିବାକୁ ଇଟାନଗର ମହିଳା ଥାନାକୁ ମାମଲା ହସ୍ତାନ୍ତରିତ ହୋଇଛି । ତେବେ ଏ ଯାବତ୍‌ କାହାରିକୁ ଏ ମାମଲାରେ ଗିରଫ କରାଯାଇ ନାହଁ ବୋଲି ପପୁମ୍‌ ପେଆର୍‌ ଜିଲ୍ଲା ଏସପି ତୁମ୍ମେ ଆମୋ କହିଛନ୍ତି ।

ସମ୍ବନ୍ଧିତ ଖବର