ଦିଲ୍ଲୀ ବିଜୟର ୨୪ ଘଣ୍ଟା ମଧ୍ୟରେ ‘ଆପ୍‌’ରେ ଯୋଗ ଦେଇଛନ୍ତି ୧୦ ଲକ୍ଷ ବ୍ୟକ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବାର ୨୪ ଘଣ୍ଟା ମଧ୍ୟରେ ‘ଆପ୍‌’ରେ ୧୦ ଲକ୍ଷରୁ ଅଧିକ ବ୍ୟକ୍ତି ଯୋଗ ଦେଇଛନ୍ତି। ଗୁରୁବାର ଦିନ ଟୁଇଟ୍‌ କରି ଏ କଥା ‘ଆପ୍‌’ ତରଫରୁ ଜଣାଇ ଦିଆଯାଇଛି।

୭୦ ଆସନବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ନେତୃତ୍ୱାଧୀନ ‘ଆମ୍‌ ଆଦ୍‌ମି ପାଟି’ ୬୨ଟି ଆସନରେ ବିଜୟ ଲାଭ କରିଛି। ଏହା ହେଉଛି ଦିଲ୍ଲୀରେ ‘ଆପ୍‌’ର କ୍ରମାଗତ ତୃତୀୟ ବିଜୟ।

ଦେଶକୁ ବିକାଶ ପଥରେ ଆଗେଇ ନେବା ଲାଗି ‘ଆପ୍‌’ ଗତ ମଙ୍ଗଳବାର ଠାରୁ ରାଷ୍ଟ୍ର ନିର୍ମାଣ ଅଭିଯାନ ଆରମ୍ଭ କରିଛି। ଏହାର ନାମ ରଖାଯାଇଛି ‘ଆମ୍‌ ଆଦ୍‌ମି ପାର୍ଟିର ରାଷ୍ଟ୍ର ନିର୍ମାଣ’ ଅଭିଯାନ। ଏଥିରେ ଯୋଗ ଦେବାକୁ ଭାରତର ନାଗରିକମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା।

Image Source: Zee News

୨୦୧୨ରେ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ‘ଆମ୍‌ ଆଦ୍‌ମି ପାର୍ଟି’। ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନ ମାନଚିତ୍ରରୁ ଏହା କଂଗ୍ରେସର ସ୍ଥିତି ଦୁର୍ବଳ କରି ଦେଇଥିଲା। ଏଥର ବିଧାନସଭା ନିର୍ବାଚନରେ ମଧ୍ୟ ‘ଆପ୍‌’ ଦିଲ୍ଲୀରୁ କଂଗ୍ରେସକୁ ବିଲୁପ୍ତ କରି ଦେଇଛି।

କେବଳ କଂଗ୍ରେସ ନୁହେଁ, ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହାଙ୍କ ନେତୃତ୍ୱାଧୀନ ବିଜେପିକୁ ମଧ୍ୟ ‘ଆପ୍‌’ର ବିଜୟ ଶକ୍ତ ଧକ୍କା ଦେଇଛି।

‘ଆପ୍‌’ର ଐତିହାସିକ ବିଜୟ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ସାଂସଦ ରାହୁଳ ଗାନ୍ଧୀ, ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ଵାର୍‌, ପଶ୍ଚିମବଙ୍ଗର ମମତା ବାନାର୍ଜୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଡିଏମ୍‌କେ ନେତା ଏମ୍‌ କେ ଷ୍ଟାଲିନ୍‌ କେଜ୍ରିଓ୍ଵାଲ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର