କଂସେଇକୁ ମାରିଲା ଇଲେକ୍ଟ୍ରିକ୍‌ ବନ୍ଧୁକଦ୍ବାରା ଆହତ ହୋଇ ଛଟପଟ ହେଉଥିବା ଘୁଷୁରି

ନୂଆଦିଲ୍ଲୀ: ଗୋଟାଏ ଘୁଷୁରିକୁ ମାରିବାକୁ ଉଦ୍ୟମ କରୁଥିବା ବେଳେ ହଂକଂରେ ଜଣେ ୬୧ ବର୍ଷିୟ କଂସେଇଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସସୂତ୍ରରୁ ସୂଚନା ପାଇଁ ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।

ଘଟଣାଟି ସ୍ଥାନୀୟ ସମୟ ଦିନ ୧ଟା ବେଳେ ଘଟିଥିଲା। ଚୀନ୍‌ର ମେନ୍‌ଲାଣ୍ଡ୍‌ ନିକଟବର୍ତ୍ତୀ ସୀମାନ୍ତ ଅଞ୍ଚଳ ଅନ୍ତର୍ଗତ ହଂକଂ ସହରର ଉତ୍ତରପାର୍ଶ୍ବ ଉପକଣ୍ଠରେ ଅବସ୍ଥିତ ସେଉଙ୍ଗ୍‌ ସୁଇ କଂସେଇଖାନାରେ ସେ କଂସେଇଜଣକ କାମ କରନ୍ତି।

ପୁଲିସ କହିବା ଅନୁସାରେ, ଯନ୍ତ୍ରଣାରେ ଛାଟିପିଟି ହେଉଥିବା ଘୁଷୁରିଟି କଂସେଇକୁ ତଳେ ପକାଇ ଦେବାରୁ ଗୋଟାଏ ୧୫ ଇଞ୍ଚିଆ ମାଂସ କଟା ଛୁରିରେ କଂସେଇଜଣକ କ୍ଷତାକ୍ତ ହୋଇଥିଲେ।

Image Courtesy of WHDH

ଘଟଣାକୁ ସ୍ପଷ୍ଟ କରିବାକୁ ଯାଇ ପୁଲିସ କହିଛି, କଂସେଇଜଣକ ପ୍ରଥମେ ଇଲେକ୍ଟ୍ରିକ୍‌ ବନ୍ଧୁକ ମାରି ସେ ଘୁଷୁରିକୁ ଅଚେତ କରିପକାଇଥିଲେ। ତା’ପରେ କାଟିବାକୁ ଗଲାବେଳେ ଘୁଷୁରିର ଚେତା ଫେରିଥିଲା। ସେ ଉଠିପଡ଼ି କଂସେଇକୁ ଠେଲି ତଳେ ପକାଇ ଦେଇଥିଲା।

ସେ କଂସେଇଖାନାରେ କାମ କରୁଥିବା ଆଉ ଜଣେ ବ୍ୟକ୍ତି ଏ କଂସେଇକୁ ହାତରେ ମାଂସକଟା ଛୁରି ଧରି ଅଚେତ ହୋଇ ପଡ଼ିଥିବା ଦେଖିଥିଲେ। ପୁଣି ତାଙ୍କ ବାମ ପାଦରେ କ୍ଷତ ମଧ୍ୟ ହୋଇଥିଲା। ଚିକିତ୍ସା ନିମନ୍ତେ ତାଙ୍କୁ ଡାକ୍ତରଖାନା ନିଆଯାଥିଲା। କିନ୍ତୁ, ସେ ମୃତ ବୋଲି ସେଠାରେ ଡାକ୍ତରମାନେ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାବତ୍‌ ଜଣାପଡ଼ି ନ ଥିବା କଥା ପୁଲିସ କହିଛି।

ହଂକଂ ଶ୍ରମ ବିଭାଗ ମୃତ କଂସେଇଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଘଟଣା ସଂକ୍ରାନ୍ତରେ ତଦନ୍ତ ଚଳାଇଛି। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରମ ବିଭାଗର ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର