ଏୟାର ଇଣ୍ଡିଆ ବିମାନ ଭିିତରେ ମୋବାଇଲ ଛାଡ଼ିଦେଲେ ଗ୍ରାଉଣ୍ଡ ଷ୍ଟାଫ୍‌; ଫେରାଇବାକୁ ଯାଇ ହରଡ଼ଘଣାରେ ପଡ଼ିଲେ ବିମାନ କମାଣ୍ଡର

ମୁମ୍ବାଇ: ଲଣ୍ଡନରୁ ଅହମ୍ମଦାବାଦ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଏୟାର ଇଣ୍ଡିଆର ଏକ ବିମାନ ମଧ୍ୟରେ ଜଣେ ଗ୍ରାଉଣ୍ଡ ଷ୍ଟାଫ୍‌ ନିଜ ମୋବାଇଲ୍‌ ଫୋନ୍‌କୁ ଛାଡ଼ିଦେବା ଏବଂ ସଂପୃକ୍ତ ଷ୍ଟାଫ୍‌ଙ୍କୁ ତାଙ୍କ ମୋବାଇଲ୍‌ ଫେରାଇ ପୁଣିଥରେ ବିମାନଟି ଉଡ଼ାଣ ଭରିବାରେ ଦୁଇଘଣ୍ଟା ବିଳମ୍ବ ଘଟିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି। ଅନ୍ୟପକ୍ଷରେ ଏହି ଘଟଣାକୁ କେନ୍ଦ୍ରକରି ଏୟାର ଇଣ୍ଡିଆ ପକ୍ଷରୁ ମଧ୍ୟ ଏକ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ ହୋଇଥିବା ଜାଣିବାକୁ ମିଳିଛି। ଏହି ଘଟଣାଟି ଘଟିଥିଲା ଗତ ମାର୍ଚ୍ଚ ୧୮ ତାରିଖରେ ଲଣ୍ଡନର ହିଥ୍ରୋ ଅନ୍ତର୍ଜାତିକ ବିମାନ ବନ୍ଦରରେ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଗତ ମାର୍ଚ୍ଚ ୧୮ ତାରିଖରେ ଲଣ୍ଡନର ହିଥ୍ରୋ ଅନ୍ତର୍ଜାତିକ ବିମାନ ବନ୍ଦରରୁ ଅହମ୍ମଦାବାଦ ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଏୟାର ଇଣ୍ଡିଆର ଏକ ବିମାନ ପ୍ରସ୍ତୁତ ହେଉଥିବା ବେଳେ, ବିମାନର କମାଣ୍ଡର ଜାଣିବାକୁ ପାଇଲେ ଯେ ବିମାନ ବନ୍ଦରର ଜଣେ ଗ୍ରାଉଣ୍ଡ ଷ୍ଟାଫ୍‌ ତାଙ୍କ ମୋବାଇଲ୍‌ ଫୋନ୍‌ଟିକୁ ବିମାନ ମଧ୍ୟରେ ଛାଡ଼ି ଦେଇଛନ୍ତି। ଏପରିସ୍ଥିତିରେ କ’ଣ କରିବେ, କ’ଣ ନକରିବେ ସେଥିନେଇ ଦୋ’ଦୋ ପାଞ୍ଚ ହେବାପରେ ମୋବାଇଲଟିକୁ ସଂପୃକ୍ତ ଷ୍ଟାଫ୍‌ଙ୍କୁ ଫେରାଇ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ।

ପରେ ସେ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ସହ ଯୋଗାଯୋଗ କରି ଜାଣିବାକୁ ପାଇଲେ ଯେ ସଂପୃକ୍ତ ମୋବାଇଲଟି ହେଉଛି ଜଣେ ମେଣ୍ଟେନାନ୍ସ ଇଞ୍ଜିନିୟରଙ୍କର। ଯିଏକି ଉଡ଼ାଣ ପୂର୍ବରୁ ବିମାନଟିକୁ ଯାଞ୍ଚ କରୁଥିଲେ। ପରେ ସେ ବିମାନର ସଂପୃକ୍ତ ଇଞ୍ଜିନିୟରଙ୍କୁ ବିମାନ ନିକଟକୁ ଡକାଇବା ସହ କ୍ୟାବିନ୍‌- କ୍ର୍ୟୁ- ଇନ୍‌ଚାର୍ଜଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ବିମାନର କବାଟ ଖୋଲି ମୋବାଇଲ୍‌ଟିକୁ ଗୋଟିଏ ତକିଆ ଭିତରରେ ପୂରାଇ ଫୋନ୍‌ ଥିବା ତକିଆଟିକୁ ବିମାନ ଉପରୁ ତାଙ୍କ ନିକଟକୁ ଫୋପାଡ଼ି ଦେବା ପାଇଁ। ବିମାନର କମାଣ୍ଡରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କଲେ କ୍ୟାବିନ୍‌- କ୍ର୍ୟୁ- ଇନ୍‌ଚାର୍ଜ। ହେଲେ, ବିଡ଼ମ୍ବନା ହେଲା, ବନ୍ଦ ହୋଇ ଯାଇଥିବା ବିମାନର କବାଟକୁ ଖୋଲିଦେବା ପରେ ତାହା ଆଉ ବନ୍ଦ ହୋଇ ନଥିଲା। ଏଥିପାଇଁ ବିମାନଟିର ଉଡ଼ାଣ ଭରିବାରେ ଦୀର୍ଘ ଦୁଇଘଣ୍ଟାର ବିଳମ୍ବ ଘଟିଥିଲା। ଆଉ ଯେଉଁଥିପାଇଁ ହରଡ଼ଘଣାରେ ପଡ଼ିଗଲେ ବିମାନ କମାଣ୍ଡର।

ସମ୍ବନ୍ଧିତ ଖବର