ଜ୍ଞାନବାପୀର ମୁଖ୍ୟ ପିଟିସନରଙ୍କ ଇଚ୍ଛାମୃତ୍ୟୁ ପାଇଁ ଆବେଦନ

ନୂଆଦିଲ୍ଲୀ : ବାରାଣସୀର ଜ୍ଞାନବାପୀ ମସଜିଦରେ ଦୈନିକ ପୂଜା ପାଇଁ ଅନୁମତି ଦେବାକୁ ଦାବି କରିଥିବା ମୁଖ୍ୟ ପିଟିସନର ରାକ୍ଷୀ ସିଂହ ଅଭିଯୋଗ କରିଛନ୍ତି ଯେ ତାଙ୍କର ସହ-ପିଟିସନର ଓ ଓକିଲମାନେ ତାଙ୍କ ବିରୋଧରେ ମିଥ୍ୟା ପ୍ରଚାର କରି ତାଙ୍କୁ ମାନସିକ କଷ୍ଟ ଦେଉଛନ୍ତି। ଏହାକୁ ସହି ନ ପାରି ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଖକୁ ଇଚ୍ଛାମୃତ୍ୟୁ ପାଇଁ ନିବେଦନ କରି ଏକ ପତ୍ର ଲେଖିଛନ୍ତି। ରାକ୍ଷୀ ଓ ଅନ୍ୟ ଚାରିଜଣ ହିନ୍ଦୁ ମହିଳା ୨୦୨୧ ଅଗଷ୍ଟ ମାସରେ ବାରାଣସୀର ସିଭିଲ ଜଜ୍ (ବରିଷ୍ଠ ଡିଭିଜନ)ଙ୍କ କୋର୍ଟରେ ଜ୍ଞାନବାପୀ ପରିସରସ୍ଥ ମା’ ଶୃଙ୍ଗାରଗୌରୀ ସ୍ଥଳରେ ନିତ୍ୟ ପୂଜା ପାଇଁ ଆବେଦନ କରି ପିଟିସନ ଦାଏର କରିଥିଲେ। ବାରାଣସୀ ଜିଲ୍ଲା କୋର୍ଟରେ ଏବେ ଉକ୍ତ ମାମଲାର ଶୁଣାଣି ଚାଲିଛି।

ରାକ୍ଷୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ସହଯୋଗୀ ଲକ୍ଷ୍ମୀ ଦେବୀ, ସୀତା ସାହୁ, ମଞ୍ଜୁ ବ୍ୟାସ, ରେଖା ପାଠକ ଓ ବରିଷ୍ଠ ଓକିଲ ହରିଶଙ୍କର ଜୈନ ତାଙ୍କ ବିଷୟରେ ମିଥ୍ୟା ପ୍ରଚାର କରି ତାଙ୍କୁ ଏବଂ ତାଙ୍କର କକା-ଖୁଡ଼ୀଙ୍କୁ ବଦନାମ କରିଛନ୍ତି। ରାକ୍ଷୀ କହିଛନ୍ତି,- ମୁଁ ମକଦ୍ଦମା ପ୍ରତ୍ୟାହାର କରିନେବାକୁ ଚାହୁଛି ବୋଲି ସେମାନେ ମିଥ୍ୟା ପ୍ରଚାର କରିଛନ୍ତି କିନ୍ତୁ ମୋ ପକ୍ଷରୁ ଏପରି ସୂଚନା କାହାକୁ ଦିଆଯାଇ ନାହିଁ। ଏହି ମିଥ୍ୟା ପ୍ରଚାର ଯୋଗୁ ସାରା ଦେଶର ହିନ୍ଦୁ ସମାଜ ବର୍ତ୍ତମାନ ମୋର ଓ ମୋ ପରିବାରର ବିରୋଧୀ ହୋଇଯାଇଛି। ମୋ ଉପରେ ପ୍ରବଳ ମାନସିକ ଚାପ ପଡ଼ୁଛି। ଏଣୁ ମୋତେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଆଯାଉ ବୋଲି ରାକ୍ଷୀ ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖି ନିବେଦନ କରିବା ସହ ରାଷ୍ଟ୍ରପତିଙ୍କ ଉତ୍ତରକୁ ସେ ଜୁନ ୯, ୨୦୨୩ ସକାଳ ୯ଟା ପର୍ଯ୍ୟନ୍ତ ଅପେକ୍ଷା କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର