ନଭେମ୍ବର ୯ରେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ

ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଆୟୁକ୍ତଙ୍କ ସ୍ପଷ୍ଟୀକରଣ, ବ୍ୟବହାର ହେବ ‘ଭିଭିପିଏଟି’ ମେସିନ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ବିଗୁଲ ବାଜିଛି। ଆଗାମୀ ନଭେମ୍ବର ୯ରେ ବିଧାନସଭା ନିର୍ବାଚନ ହେବ। ଡିସେମ୍ବର ୧୮ରେ ମତଗଣନା ହେବ। ସମସ୍ତ ପ୍ରକାର ରାଲିର ଭିଡ଼ିଓଗ୍ରାଫି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଆୟୁକ୍ତ ଅଚଳ କୁମାର ଜ୍ୟୋତି ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଏହା  କହିଛନ୍ତି। ନିର୍ବାଚନ ଆୟୁକ୍ତ ଓମପ୍ରକାଶ ରାଓ୍ୱତ୍ ଓ ନିର୍ବାଚନ ଆୟୁକ୍ତ ସୁନୀଲ ଅରୋରାଙ୍କ ଉପସ୍ଥିତିରେ ମୁଖ୍ୟ ନିର୍ବାଚନ ଆୟୁକ୍ତ କହିଛନ୍ତି, ସମସ୍ତ ମତଦାନ କେନ୍ଦ୍ରରେ ‘ଭିଭିପିଏଟି’ ମେସିନର ବ୍ୟବହାର କରାଯିବ। ନିର୍ବାଚନ ଆୟୋଗ କହିଛନ୍ତି ମତଦାତା ଭୋଟ ପରିଚୟ ପତ୍ର ନେଇ ନିର୍ବାଚନ କେନ୍ଦ୍ରକୁ ଯିବେ। ଆୟୋଗ ତରଫରୁ ସୂଚନା ଦିଆଯାଇଛି ଯେ, ହିମାଚଳ ପ୍ରଦେଶରେ ୭ ହଜାର ୫ଶହ ୨୧ଟି ମତଦାନ କେନ୍ଦ୍ର ହେବ। ସମସ୍ତ ମତଦାନ କେନ୍ଦ୍ର ତଳ ମହଲାରେ ହେବ। ହିମାଚଳ ପ୍ରଦେଶରେ ସମୁଦାୟ ୬୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି।

ଗୁଜୁରାଟ ଓ ହିମାଚଳ ପ୍ରଦେଶ ଭୋଟ ପାଇଁ ଗୁରୁବାର ତାରିଖ ଘୋଷଣା ହୋଇ ପାରେ ବୋଲି କୁହାଯାଉଥିଲା। କିନ୍ତୁ ଗୁଜୁରାଟ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇ ପାରି ନାହିଁ। ଆସନ୍ତା ଅକ୍ଟୋବର ୧୬ କିମ୍ବା ଦୀପାବଳି ଛୁଟି ପରେ ଗୁଜୁରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ। ହିମାଚଳ ଓ ଗୁଜୁରାଟରେ ବହୁ ବର୍ଷ ହେଲା ଏକ ସମୟରେ ବିଧାନସଭା ନିର୍ବାଚନ ହୋଇ ଆସୁଛି। ନିର୍ବାଚନ ଆୟୋଗ କହିଛନ୍ତି, ପ୍ରାର୍ଥୀ ୨୮ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିପାରିବେ ନାହିଁ।

ଗୁଜୁରାଟରେ ୨ ଓ ହିମାଚଳରେ ଗୋଟିଏ ପର୍ଯ୍ୟାୟରେ ଭୋଟ
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗୁଜୁରାଟ ବିଧାନସଭା ନିର୍ବାଚନ ଡିସେମ୍ବରରେ ୨ଟି ପର୍ଯ୍ୟାୟରେ ହୋଇପାରେ। ୨୦୧୨ରେ ଗୁଜୁରାଟରେ ୨ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହୋଇଥିଲା। ହିମାଚନ ପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ।

ସମ୍ବନ୍ଧିତ ଖବର