ସିଆର୍‌ପିଏଫ୍‌ କ୍ୟାମ୍ପ୍‌ରେ ଆକ୍ରମଣ

୫ ଯବାନ ସହିଦ, ୩ ଆତଙ୍କବାଦୀ ନିପାତ

ଶ୍ରୀନଗର: ବର୍ଷର ଶେଷ ଦିନରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀମାନେ ଆଜି ଦକ୍ଷିଣ କଶ୍ମୀରରେ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ କରିଛନ୍ତି। ପୁଲଓ୍ଵାମା ଜିଲ୍ଲାର ଲେଥପୋରାଠାରେ ଥିବା ୧୮୫ ବାଟାଲିୟନ ସିଆରପିଏଫ କ୍ୟମ୍ପ ଉପରେ ହୋଇଥିବା ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଯାଇଛନ୍ତି। ଆଉ ୩ ଜଣ ଯବାନ ଗୁଳିମାଡ଼ରେ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଶ୍ରୀନଗର ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଆଜି ଭୋର୍‌ ୨ଟା ସମୟରେ ୩ ଜଣ ଜୈଶ ଆତଙ୍କବାଦୀ ସ୍ୱୟଂଚାଳିତ ବନ୍ଧୁକରୁ ଆଖିବୁଜା ଗୁଳିମାଡ଼ କରିବା ସହ ଗ୍ରେନେଡ ଆକ୍ରମଣ କରିଥିଲେ। ଅନ୍ଧାରର ସୁଯୋଗ ନେଇ ଆତଙ୍କବାଦୀମାନେ କାମ୍ପ୍‌ର ଦୁଇଟି ଦିଗରୁ ଆକ୍ରମଣ କରିଥିଲେ। ସିଆରପିଏଫ୍‌ର ଜବାବୀ କାର୍ଯ୍ୟାନୁଷ୍ଠାନରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ତେବେ ଆଉ ଜଣେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଥିବାରୁ ମିଳିତ ସର୍ଚ୍ଚ ଅପରେସନ ଜାରି ରହିଛି। ସମଗ୍ର ଦକ୍ଷିଣ କଶ୍ମୀରରେ ହାଇ ଆଲର୍ଟ ଜାରି ହୋଇଛି । ଆତଙ୍କବାଦୀଙ୍କ ଆକ୍ରମଣ ନେଇ ପୂର୍ବରୁ ଗୁଇନ୍ଦା ସୂଚନା ରହିଥିଲେ ମଧ୍ୟ ଏହି ଆତ୍ମଘାତୀ ଆକ୍ରମଣ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ହୋଇଥିବାରୁ ଏହାକୁ ତତ୍‌୍‌କ୍ଷଣାତ ନିୟନ୍ତ୍ରଣ କରିବା ସମ୍ଭବ ହୋଇନଥିଲା। ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ଉପରେ ଆକ୍ରମଣ ପାଇଁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ୍‌-ଏ-ମହମ୍ମଦ ନିଜକୁ ଦାୟୀ କରିଛି। ଗତ ୨୬ ତାରିଖରେ ଜୈସ୍‌-ଏ-ମହମ୍ମଦ କମାଣ୍ଡର ନୁର ମହମ୍ମଦ ସୁରକ୍ଷାବାହିନୀ ଗୁଳିରେ ନିପାତ ହୋଇଥିବାରୁ ଏହାର ପ୍ରତିଶୋଧ ନେବାପାଇଁ ସେନା ଉପରେ ଏଭଳି ଆକ୍ରମଣ କରାଯାଇଥିବା ଜଣାପଡ଼ିଛି।

ପୁଲଓ୍ଵାମା ଲେଥପୋରା ସେକ୍ଟରଠାରେ ଥିବା ସିଆର୍‌ପିଏଫ ତାଲିମ କେନ୍ଦ୍ର କଡ଼ା ସୁରକ୍ଷା ବଳୟରେ ରହିଥିଲେ ମଧ୍ୟ ଆତଙ୍କବାଦୀମାନେମାନେ ଗ୍ରେନେଡ ଓ ରକେଟ୍‌ ଲଞ୍ଚର୍‌ରେ ଆକ୍ରମଣ କରି ଭିତରେ ପଶିବାକୁ ସକ୍ଷମ ହୋଇଥିଲେ। ଆତଙ୍କବାଦୀ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଆକ୍ରମଣ କରିଥିଲେ। ଗୋଟିଏ ପଟୁ ଦୁଇ ଜଣ ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରିଥିବା ବେଳେ ଅନ୍ୟପଟୁ ଆଉ ଜଣେ ଆତଙ୍କବାଦୀ ସେନା କ୍ୟାମ୍ପ ଉପରକୁ ଘନ ଘନ ଗ୍ରେନେଡ ମାଡ଼ କରିଥିଲା। ଅନ୍ଧାରରେ ଲୁଚି ରହି ଆତଙ୍କବାଦୀ ଏହି ଆକ୍ରମଣ କରୁଥିବାରୁ ସେମାନଙ୍କୁ ତତ୍‌କ୍ଷଣାତ ଠାବ କରିବା ସେନା ପାଇଁ କଷ୍ଟକର ହୋଇପଡ଼ିଥିଲା। ଏହାର ସୁଯୋଗ ନେଇ ୨ ଜଣ ଆତଙ୍କବାଦୀ କ୍ୟମ୍ପ ମଧ୍ୟକୁ ପଶିବାରେ ମଧ୍ୟ ସକ୍ଷମ ହୋଇଥିଲେ। ଘଟଣାସ୍ଥଳରେ ୭ ଜଣ ଯବାନ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସିଆର୍‌ପିଏଫ୍‌ ଆଇଜି ରବିଦୀପ ସାହି କହିଛନ୍ତି। ୧୪ ଘଣ୍ଟାର ଗୁଳି ବିନିମୟ ପରେ ୩ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆଉ ଜଣେ ଆତଙ୍କବାଦୀ ନିକଟବର୍ତ୍ତୀ ଅଂଚଳରେ ଲୁଚି ରହିଥିବା ସନ୍ଦେହ କରି ବ୍ୟାପକ ତଲାସୀ ଅଭିଯାନ ଚାଲିଛି। ଆତଙ୍କବାଦୀ ନୁର ମହମ୍ମଦକୁ ସେନା ନିପାତ କରିବା ପରେ ଜୈସ୍‌-ଏ-ମହମ୍ମଦ ଏଭଳି ଆକ୍ରମଣ କରିବା ନେଇ ଯୋଜନା କରୁଥିବା ସଂପର୍କରେ ଗୁଇନ୍ଦା ସୂଚନା ମିଳିଥିଲା। ସିଆର୍‌ପିଏଫ୍‌ ମଧ୍ୟ ଏଭଳି ଆକ୍ରମଣର ମୁକାବିଲା କରିବାକୁ ପ୍ରସ୍ତୁତ ରହିଥିଲା ବୋଲି ଆଇଜି କହିଛନ୍ତି।
ନୁର ଅହମ୍ମଦକୁ ୨୦୦୩ ମସିହାରେ ଦିଲ୍ଲୀରୁ ଗିରଫ କରାଯିବା ପରେ ୨୦୧୧ ମସିହାରେ କୋର୍ଟ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ମାତ୍ର ପରେ ସେ ପାରୋଲ୍‌ରେ ବାହାରକୁ ବାହାରି ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲା। ଗତ ୨୬ ତାରିଖରେ ସୁରକ୍ଷାବାହିନୀ ଗୁଳିରେ ନୁର୍‌ ନିପାତ ହୋଇଥିଲା।

ପଠାନ୍‌କୋଟ ପାର୍ଟ-୨ ପାଇଁ ଜୈଶ୍‌ର ଷଡ଼ଯନ୍ତ୍ର
ଶ୍ରୀନଗର: ପୁଲଓ୍ଵାମା ଜିଲ୍ଲାରେ ଅବସ୍ଥିତ ସିଆର୍‌ପିଏଫ୍‌ ତାଲିମ କେନ୍ଦ୍ରରେ ଆଜି ଜୈଶ୍‌ର ଆତ୍ମଘାତୀ ଆକ୍ରମଣ ପରେ ବ୍ୟାପକ ଅଂଚଳରେ କମ୍ବିଂ ଆରମ୍ଭ ହୋଇଛି। ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଏକ ଧମକପୂର୍ଣ୍ଣ ଭିଡ଼ିଓ ସୋସିଆଲ ମିଡିିଆରେ ଭାଇରାଲ ହୋଇଛି। ୨୦୧୬ରେ ପଠାନକୋଟ ବାୟୁସେନା ଘାଟିରେ ହୋଇଥିବା ଆକ୍ରମଣ ଭଳି ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ କରିବାକୁ ଜୈଶ ଏବେ ଷଡ଼ଯନ୍ତ୍ର ଜାରି ରଖିଛି। ନିକଟରେ ଏକ ଭିଡିଓରେ କୁଖ୍ୟାତ ଆତଙ୍କବାଦୀ ମାସୁଦ୍‌ ଆଝାରର ଭାଇ ରାଉଫ ଅସ୍‌ଗର ଏଭଳି ଆକ୍ରମଣ କରିବା ପାଇଁ ଜୈଶ ପ୍ରସ୍ତୁତ ହେଉଥିବା କହିବା ପରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇି। ଏହି ଭିଡିଓଟି ପାକିସ୍ତାନର ବାହାବଲପୁରର ଏକ ମସ୍‌ଜିଦ୍‌ରୁ ଜାରି ହୋଇଥିବା ଜଣାପଡ଼ିଛି। ମସଜିଦ୍‌ର ଲାଉଡସ୍ପିକରରେ ଭାରତ ବିରୋଧୀ ସ୍ଳୋଗାନ ବାଜୁଥିବା ବେଳେ ଭାରତକୁ ଧ୍ୱଂସ କରିଦିଆଯିବ ବୋଲି ଅସ୍‌ଗର ଧମକ ଦେଇଛି।

ସମ୍ବନ୍ଧିତ ଖବର