କର୍ଣ୍ଣାଟକ ଲୋକାୟୁକ୍ତଙ୍କୁ ଛୁରୀମାଡ଼

ବେଙ୍ଗାଲୁରୁ: କର୍ଣ୍ଣାଟକ ଲୋକାୟୁକ୍ତ ଜଷ୍ଟିସ ବିଶ୍ୱନାଥ ସେଟ୍ଟିଙ୍କୁ ଆଜି ତାଙ୍କ ଅଫିସରେ ଘାତକ ଆକ୍ରମଣ ହୋଇଛି। ଲୋକାୟୁକ୍ତ ସେଟ୍ଟି ଆଜି ତାଙ୍କ କାର୍ଯ୍ୟାଳୟରେ ଏକ ମାମଲାର ଶୁଣାଣି କରୁଥିବା ସମୟରେ ତାଙ୍କୁ ଜଣେ ଠିକାଦାର ୩ ଥର ଛୁରୀମାଡ଼ କରିଥିଲେ। ଲୋକାୟୁକ୍ତ ଅଫିସ ରେଜିଷ୍ଟରରୁ ଜଣାଯାଇଛି ଯେ ଆକ୍ରମଣକାରୀ ତେଜରାଜ ଶର୍ମା ଜଣେ ଠିକାଦାର ଏବଂ ତାଙ୍କୁ କେତେକ ନିର୍ଦ୍ଦିଷ୍ଟ ଠିକା ନ ମିଳିବାରୁ ସେ ସ୍ଥାନୀୟ କେତେକ ସରକାରୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଶର୍ମା ଆଉ ଏକ ନୂଆ ମାମଲା ରୁଜୁ କରିବା ବାହାନାରେ ଲୋକାୟୁକ୍ତଙ୍କ ଅଫିସ ମଧ୍ୟକୁ ପ୍ରବେଶ କରିଥିଲେ। ତେବେ ସେ ଅଫିସ ମଧ୍ୟକୁ ପ୍ରବେଶ କରିବାର ମାତ୍ର ୫ ମିନିଟ୍‌ ପରେ ହଠାତ୍‌ ଖୁବ୍‌ ଜୋରରେ୍‌ ଚିତ୍କାର ଶୁଭିଥିଲା। ଅଫିସ ବାହାରେ ଥିବା ଲୋକେ ତୁରନ୍ତ ଦୌଡ଼ି ଯାଇ ଦେଖିବାକୁ ବେଳକୁ ସେଟ୍ଟି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ଏବଂ ତାଙ୍କ ଶରୀରର ୩ଟି ସ୍ଥାନରେ ଛୁରୀମାଡ଼ ହୋଇଥିଲା। ତାଙ୍କୁ ତୁରନ୍ତ ନିକଟସ୍ଥ ମାଲ୍ୟା ହସ୍ପିଟାଲ୍‌ ନିଆଯାଇ ଜରୁରୀ ଚିକିତ୍ସା କରାଯାଇଥିଲା ଏବଂ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୁଲିସ ଅଭିଯୁକ୍ତ ଶର୍ମାଙ୍କୁ ଗିରଫ କରିଛି। ଶର୍ମା ରୁଜୁ କରିଥିବା ମାମଲାରେ ନିଜ ସପକ୍ଷରେ ରାୟ ଆସିବ ନାହିଁ ବୋଲି ଅନୁମାନ କରି ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଗୃହମନ୍ତ୍ରୀ ରାମଲିଙ୍ଗା ରେଡ୍ଡି ଜଷ୍ଟିସ ସେଟ୍ଟିଙ୍କୁ ହସ୍ପିଟାଲ୍‌ରେ ଭେଟି ସାରିଛନ୍ତି। ସିଦ୍ଦରମେୟା କହିଛନ୍ତି ଯେ ସମ୍ପୃକ୍ତ ଅଭିଯୁକ୍ତ ଜଣକ ଜଷ୍ଟିସ ସେଟ୍ଟିଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟ ରଖିଥିଲା। ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରି ବିଜେପି କହିଛିି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଛି।

ସମ୍ବନ୍ଧିତ ଖବର