ବେଙ୍ଗାଲୁରୁ ବନ୍ୟା: ଡଙ୍ଗା, ଟ୍ରାକ୍ଟର ହିଁ ଭରସା

କୋଟିପତିଙ୍କ ଘର, କାର୍‌ ଭାସିଲା, ଆହୁରି ୫ ଦିନ ପ୍ରବଳ ବର୍ଷା

ବେଙ୍ଗାଲୁରୁ : କ୍ରମାଗତ ତିନିଦିନ ହେଲା ବେଙ୍ଗାଲୁରୁ ମହାନଗରୀ ବର୍ଷାଜନିତ ବନ୍ୟାଜଳରେ ଉବୁଟୁବୁ ହେଉଛି। ଅଧିକାଂଶ ବିଳାସପୂର୍ଣ୍ଣ ଘରଗୁଡ଼ିକର ତଳମହଲା ବନ୍ୟାଜଳରେ ବୁଡ଼ିଯାଇଥିବାରୁ ଦୁର୍ଦ୍ଦଶାଗ୍ରସ୍ତ ପରିବାର ଗୁଡ଼ିକ ହୋଟେଲ ରୁମ୍‌ଟିଏ ପାଇବା ପାଇଁ ବିକଳ ହେଉଛନ୍ତି। ଏଣେ ଯେଉଁ ହୋଟେଲର ଦୈନିକ ଭଡ଼ା ୧୦ରୁ ୨୦ ହଜାର ଥିଲା, ତାହା ୩୦ରୁ ୪୦ ‌ହଜାର ହୋଇଯାଇଛି ଏବଂ ତାହା ବି ମିଳୁନି।

ପର୍ପଲଫ୍ରଣ୍ଟ ଟେକ୍ନୋଲୋଜିଜ୍‌ର ସିଇଓ ତଥା ପ୍ରତିଷ୍ଠାତା ମୀନା ଗିରିଜାବାଳା କହିଛନ୍ତି ଯେ ୟେମଲୁରରେ ଥିବା ତାଙ୍କ ବିଳାସପୂର୍ଣ୍ଣ ଘରଟି ବନ୍ୟାପାଣିରେ ଭାସୁଥିବାରୁ ସେମାନେ ପୁରୁଣା ବିମାନବନ୍ଦର ମାର୍ଗରେ ଏକ ହୋଟେଲରେ ସପରିବାର ରହୁଛନ୍ତି, ଯେଉଁଠି ତାଙ୍କୁ ରାତିକ ପାଇଁ ୪୨,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ହ୍ବାଇଟ୍‌ଫିଲ୍‌ଡ, ଆଉଟର ରିଙ୍ଗ୍ ରୋଡ୍, ପୁରୁଣା ବିମାନବନ୍ଦର ମାର୍ଗ ଓ କୋରାମଙ୍ଗଳ ଅଞ୍ଚଳରେ ଥିବା ସବୁ ହୋଟେଲ ଶୁକ୍ରବାର ଯାଏ ବୁକ୍ ହୋଇଯାଇଛି। ଯେତେ ଟଙ୍କା ଦେଲେ ବି ହୋଟେଲ ରୁମ୍‌ଟିଏ ପାଇବା ଏବେ ଆଉ ସମ୍ଭବ ହେଉନାହିଁ।

India Today

ବେଙ୍ଗାଲୁରୁର କୋଟିପତି ବ୍ୟବସାୟୀ ଓ ଶିଳ୍ପପତିମାନେ ରହୁଥିବା ଏପସାଇଲନ ଅଞ୍ଚଳ ଅବସ୍ଥା ନ କହିବା ଭଲ। ରିଷଦ ପ୍ରେମଜୀ, ବାଇଜୁ ରବୀନ୍ଦ୍ରନ୍ ଓ ବରୁଣ ବେରୀଙ୍କ ପରି ଅର୍ବୁଦପତିମାନଙ୍କ ଘର ଏହି ଅଞ୍ଚଳରେ। କିନ୍ତୁ ଲଗାଣ ବର୍ଷାରେ ଏହି ଅଞ୍ଚଳ ବନ୍ୟାପ୍ଲାବିତ ହୋଇଯାଇଛି। ଅଧିକାଂଶ ଲୋକଙ୍କୁ ଡଙ୍ଗାରେ ଉଦ୍ଧାର କରିବାକୁ ପଡ଼ୁଛି। ପ୍ରଥମ ମହଲାର ଅର୍ଦ୍ଧାଂଶ ବୁଡ଼ିଯାଇଥିବାରୁ ବିଳାସପୂର୍ଣ୍ଣ ଦାମୀ କାର୍ ଓ ଦାମୀ ଆସବାବପତ୍ର ପାଣିରେ ଭାସୁଥିବା ଦେଖିବାକୁ ମିଳୁଛି। ଅନେକ କାର୍‌କୁ ବନ୍ୟାଜଳ ଭସାଇ ନେଇଯାଇଛି। ଶତାଧିକ ଆଇଟି କମ୍ପାନି ଅଧିକାରୀ ଏବେ, ଡଙ୍ଗା, ଟ୍ରାକ୍ଟର ଏବଂ ଜେସିବିରେ ଅଫିସ୍‌ ଯାଉଥିବା ଦେଖିବାକୁ ମିଳିଛି। ଆଗକୁ ସ୍ଥିତି ଜଟିଳ ହେବା ଆଶଙ୍କାରେ ଅନେକ ବେଙ୍ଗାଲୁରୁ ଛାଡ଼ି ବାହାରକୁ ଯାଉଥିବା ଦେଖିବାକୁ ମିଳିଛି।

Indiatimes.com

ବେଙ୍ଗାଲୁରୁରେ ଆହୁରି ୫ ଦିନ ଲଗାଣ ବର୍ଷା ହେବ ବୋଲି ଆଜି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିପାଇଁ ବେଙ୍ଗାଲୁରୁ ସମେତ ଅନ୍ୟ କେତେକ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି ହୋଇଛି। ସହରରେ ବନ୍ୟା ସ୍ଥିତିକୁ ନେଇ ଲୋକଙ୍କ ଦୁର୍ଦ୍ଦଶା ଆଗକୁ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ପ୍ରାୟ ୩୦ ପ୍ରତିଶତ ଅଂଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ପାନୀୟ ଜଳ ଯୋଗାଣରେ ବିଳମ୍ବ ନେଇ ବିଭିନ୍ନ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି କର୍ଣ୍ଣାଟକ ଆଇଟି ମନ୍ତ୍ରୀ ବିଭିନ୍ନ ଆଇଟି କମ୍ପାନିର ସିଇଓମାନଙ୍କ ସହିତ ବୈଠକ କରି ବନ୍ୟା ସ୍ଥିତିର ମୁକାବିଲା ନେଇ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର