ପ୍ରତିଯୋଗିତାରେ ଭାଗ ନିଅନ୍ତୁ, ରାଜ୍ୟପାଳଙ୍କ ପୁରସ୍କାର ଜିତନ୍ତୁ

ଏଭଳି ପ୍ରତିଯୋଗିତା ରାଜ୍ୟରେ ପ୍ରଥମ, ପ୍ରଥମ ୩ ରାଜ୍ୟସ୍ତରୀୟ କୃତୀ ପ୍ରତିଯୋଗୀଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର

ଭୁବନେଶ୍ବର : ଓଡ଼ିଶାର ପିଲାମା‌ନେ ଜନ୍ମମାଟି ସଂପର୍କରେ କ’ଣ ଜାଣିଛନ୍ତି ଏବଂ କ’ଣ ଚିନ୍ତା କରୁଛନ୍ତି? ଏସଂପର୍କରେ ପିଲାମାନଙ୍କର ମନକଥା ଜାଣିବା ଲାଗି ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ପ୍ରତିଯୋଗିତା କରାଇବାକୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଗ୍ରହ ପ୍ରକାଶ କରିଛନ୍ତି। ଏଭଳି ପ୍ରତିଯୋଗିତାର ଆୟୋଜନ ପାଇଁ ‌ସେ ‘ସମ୍ବାଦ’କୁ ଦାୟିତ୍ବ ଦେଇଛନ୍ତି। ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ତାଙ୍କ ପରାମର୍ଶ କ୍ରମେ ଆସନ୍ତା ୧୧ ତାରିଖ ରବିବାର ଦିନ ସମ୍ବାଦ ପରିବାର ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା। ରାଜ୍ୟ ସରକାରଙ୍କ ସହଯୋଗରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ହେଉଥିବା ଏଭଳି ପ୍ରବନ୍ଧ ପ୍ରତିଯୋଗିତା ହେଉଛି ଓଡ଼ିଶାରେ ପ୍ରଥମ। ରାଜ୍ୟସ୍ତରୀୟ କୃତୀ ପ୍ରତିଯୋଗୀମାନଙ୍କୁ ମାନ୍ୟବର ରାଜ୍ୟପାଳଙ୍କ ହାତରୁ ପୁରସ୍କାର ରାଶି ଏବଂ ପ୍ରମାଣପତ୍ର ଗ୍ରହଣ କରିବା ଲାଗି ସୁଯୋଗ ମିଳିବ।

ଓଡ଼ିଆ କିମ୍ବା ଇଂରାଜୀ ମଧ୍ୟରୁ ଯେକୌଣସି ‌ଗୋଟିଏ ଭାଷାରେ ପ୍ରବନ୍ଧ ଲେଖିବା ଲାଗି ବ୍ୟବସ୍ଥା କରାଯାଇଥିବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ପ୍ରତିଯୋଗିତାରେ ଭାଗ ନେବା ଲାଗି ଉଭୟ ଓଡ଼ିଆ ଏବଂ ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ରଛାତ୍ରୀମାନେ ପଞ୍ଜୀକରଣ କରିବା ଆରମ୍ଭ କରିଦେଇଛନ୍ତି। ଏଥିରେ ସେମାନଙ୍କୁ ଅଭିଭାବକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଉତ୍ସାହିତ କରୁଛନ୍ତି।

ସାରା ଓଡ଼ିଶାରେ ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳରେ ୬୦୦ରୁ ଅଧିକ କେନ୍ଦ୍ରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ରାଜ୍ୟସ୍ତରରେ ପ୍ରଥମ ତିନି ଜଣ କୃତୀ ପ୍ରତିଯୋଗୀଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦନ କରାଯିବ। ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୫୦ ହଜାର ଟଙ୍କା, ଦ୍ବିତୀୟ ସ୍ଥାନ ଲାଗି ୩୦ ହଜାର ଏବଂ ତୃତୀୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ୨୦ ହଜାର ଟଙ୍କା ପୁରସ୍କାର ରାଶି ମିଳିବ। ରାଜ୍ୟସ୍ତରୀୟ କୃତୀ ପ୍ରତିଯୋଗୀ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଠାରୁ ପୁରସ୍କାର ଓ ପ୍ରମାଣପତ୍ର ଗ୍ରହଣ କରିବେ।

୩୦ଟି ଜିଲ୍ଲା ଏବଂ ୫ଟି ମହାନଗର (ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା)ରେ ୨୧୦ଟି ଜିଲ୍ଲାସ୍ତରୀୟ ପୁରସ୍କାର ବ୍ୟବସ୍ଥା ମଧ୍ୟ ରହିଛି। ପ୍ରଥମ ସ୍ଥାନରେ ଥିବା ଜିଲ୍ଲାସ୍ତରୀୟ କୃତୀ ପ୍ରତିଯୋଗୀଙ୍କୁ ୩ ହଜାର ଟଙ୍କା, ଦ୍ବିତୀୟ ସ୍ଥାନ ଲାଗି ୨ ହଜାର ଏବଂ ତୃତୀୟ ସ୍ଥାନରେ ଥିବା କୃତୀ ପ୍ରତିଯୋଗୀଙ୍କୁ ଏକ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ।

ଗତ ୩ ତାରିଖରୁ ପଞ୍ଜୀକରରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରତି‌ଯୋଗିତାକୁ ଆଉ ମାତ୍ର ତିନି ଦିନ ବାକି ରହିଥିବାରୁ, ଯେଉଁ ଛାତ୍ରଛାତ୍ରୀମାନେ ପଞ୍ଜୀକରଣ କରି ନାହାନ୍ତି, ସେମାନେ ତୁରନ୍ତ ଏହି ପ୍ରକ୍ରିୟାରେ ସାମିଲ ହେବାଲାଗି ପରାମର୍ଶ ଦିଆଯାଇଛି। ପଞ୍ଜୀକରଣରେ କୌଣସି ଅସୁବିଧା ହେଲେ କିମ୍ବା ଅନ୍ୟ କୌଣସି ସୂଚନା ପାଇଁ ମୋବାଇଲ ନମ୍ବର ୯୧୭୮୭୬୭୫୩୬ ରେ ଛାତ୍ରଛାତ୍ରୀ/ଅଭିଭାବକ ଯୋଗାଯୋଗ କରିପାରିବେ। ଅଧିକ ସୂଚନା ପାଇଁ ନିୟମିତ ସମ୍ବାଦ ପଢ଼ିବା ଲାଗି କୁହାଯାଇଛି।
ରାଜ୍ୟପାଳଙ୍କ ପରାମର୍ଶ ଓ ଦିଗଦର୍ଶନରେ ଏହି ପ୍ରତିଯୋଗିତା ହେଉଥିବାରୁ ଏଥିରେ ଅଧିକରୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନେବାଲାଗି ସମ୍ବାଦ ପରିବାରର ମୁଖ୍ୟ ସୌମ୍ୟରଂଜନ ପଟ୍ଟନାୟକ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର