ତାଇୱାନ୍‌କୁ ନେଇ ବାଇଡେନ-ଜିନପିଙ୍ଗ ମୁହାଁମୁହିଁ

ନୁସା ଦୁଆ(ଇଣ୍ଡୋନେସିଆ): ଇଣ୍ଡୋନେସିଆର ବାଲିଠାରେ ଆୟୋଜିତ ଜି-୨୦ ବୈଠକ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ମଧ୍ୟରେ ୨ ଘଣ୍ଟାରୁ ଅଧିକ ସମୟ ଆଲୋଚନା ହୋଇଛି। ବାଇଡେନ ରାଷ୍ଟ୍ରପତି ହେବା ପରେ ଜିନପିଙ୍ଗ୍‌ଙ୍କ ସହିତ ଏହା ତାଙ୍କର ପ୍ରଥମ ପ୍ରତ୍ୟକ୍ଷ ବୈଠକ। ଦୁଇ ନେତାଙ୍କ ମଧ୍ୟରେ ତାଇୱାନ ପ୍ରସଙ୍ଗକୁ ନେଇ ମତପାର୍ଥକ୍ୟ ଦେଖାଦେଇଥିଲେ ମଧ୍ୟ ୟୁକ୍ରେନର କେତେକ ପ୍ରସଙ୍ଗରେ ସେମାନଙ୍କ ମଧ୍ୟରେ ସହମତି ଦେଖାଦେଇଛି। ଏପରିକି ୟୁକ୍ରେନ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ ନକରିବା ଲାଗି ରୁଷ୍‌କୁ ଦୁଇ ଦେଶ ମିଳିତଭାବେ ଚେତାବନୀ ଦେଇଛନ୍ତି। ସଂଘର୍ଷରେ ରୂପାନ୍ତରିତ ହେବା ପୂର୍ବରୁ ଉତ୍ତେଜନାକୁ ରୋକିବା ଉପରେ ଉଭୟ ନେତା ଗୁରୁତ୍ବାରୋପ କରିଛନ୍ତି। ଦୁଇ ଦେଶ ମିଳିତଭାବେ ଆଗକୁ ବଢ଼ିବାର ସ‌ଂକେତ ସ୍ବରୂପ ହ୍ବାଇଟ୍ ହାଉସ ପକ୍ଷରୁ ଏକ ଘୋଷଣା କରାଯାଇଛି।

ସେଥିରେ କୁହାଯାଇଛି ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଚୀନ ଗସ୍ତରେ ଯିବେ। ଆଲୋଚନା ବେଳେ ଜିନପିଙ୍ଗ୍‌ ବାଇଡେନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଦୁଇ ଦେଶ ମଧ୍ୟରେ ଥିବା ସଂପର୍କରେ ପ୍ରଥମ ଲାଲ୍‌ ରେଖା ହେଉଛି ତାଇୱାନ। ତାହାକୁ ଆମେରିକା ଅତିକ୍ରମ କରିବା ଉଚିତ ନୁହେଁ। ଅନ୍ୟପକ୍ଷରେ ବାଇଡେନ୍‌ ଚୀନ ପ୍ରତିପକ୍ଷଙ୍କୁ ଏହା କହିଛନ୍ତି ଯେ ତାଇୱାନରେ କୌଣସି ପ୍ରକାର ପରିବର୍ତ୍ତନକୁ ଆମେରିକା ବିରୋଧ କରିବ। ସାମରିକ ଦୃଷ୍ଟିରୁ ସୁରକ୍ଷା ଯୋଗାଇ ଦେବ। ‌ତାଇୱାନରେ ଚୀନର ଦମନମୂଳକ ନୀତିକୁ ସେ ବିରୋଧ କରିଛନ୍ତି। ତାଇୱାନ ପ୍ରସଙ୍ଗରେ ମତପାର୍ଥକ୍ୟ ଦେଖାଦେଇଥିଲେ ମଧ୍ୟ ୟୁକ୍ରେନରେ ରୁଷର ଆକ୍ରମଣ ପ୍ରସଙ୍ଗକୁ ନେଇ ଦୁଇ ନେତା ‌କିଛିଟା ବିଷୟରେ ସହମତି ପ୍ରକାଶ କରିଛନ୍ତି। ସେହିଭଳି ଉତ୍ତର କୋରିଆକୁ ନିୟନ୍ତ୍ରଣରେ ରଖିବା ପାଇଁ ମଧ୍ୟ ଜିନପିଙ୍ଗକୁ ବାଇଡେନ କହିଛନ୍ତି।

ସମ୍ବନ୍ଧିତ ଖବର