ରାଜ୍ୟପାଳଙ୍କ ସହ ବିବାଦ: କେରଳ ମୁଖ୍ୟମନ୍ତ୍ରୀଙ୍କୁ ହାଇକୋର୍ଟ ଝଟ୍‌କା

ତିରୁଅନନ୍ତପୁରମ୍: ବିଶ୍ବବିଦ୍ୟାଳୟଗୁଡ଼ିକର ପରିଚାଳନା ଓ ନିଯୁକ୍ତିକୁ ନେଇ ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ଙ୍କ ସହ ବିବାଦ ଭିତରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କୁ ଲାଗିଛି କୋର୍ଟ ଝଟ୍‌କା। କେରଳ ୟୁନିଭର୍ସିଟି ଅଫ୍ ଫିସରିଜ୍ ଆଣ୍ଡ୍ ଓସେନ ଷ୍ଟଡିଜ୍‌ର କୁଳପତି ଭାବେ ରାଜ୍ୟ ସରକାର ଡ ରିଜି ଜନଙ୍କୁ ନିଯୁକ୍ତି ଦେଇଥିବା ବେଳେ କେରଳ ହାଇକୋର୍ଟ ସୋମବାର ଏହାକୁ ରଦ୍ଦ କରିଦେଇଛନ୍ତି। କୋର୍ଟ ଉକ୍ତ ନିଯୁକ୍ତିକୁ ବେଆଇନ ଦର୍ଶାଇବା ସହ ଏଥିରେ ବିଶ୍ବବିଦ୍ୟାଳୟ ମଞ୍ଜୁରି ଆୟୋଗ (ୟୁଜିସି)ର ନିର୍ଦ୍ଦେଶାବଳିର ଅନୁପାଳନ କରାଯାଇ ନ ଥିବା କହିଛନ୍ତି। ୟୁଜିସି ଗାଇଡଲାଇନ ଅନୁଯାୟୀ ଜଣେ ନୂଆ କୁଳପତିଙ୍କୁ ନିଯୁକ୍ତି ଦେବା ଲାଗି କୋର୍ଟ କୁଳାଧିପତି ତଥା ରାଜ୍ୟପାଳ ଖାନ୍‌ଙ୍କୁ ଆଦେଶ ଦେଇଛନ୍ତି।

ଏହା ପୂର୍ବରୁ ଏପିଜେ ଅବଦୁଲ କଲାମ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତିଙ୍କ ନିଯୁକ୍ତିକୁ ସୁପ୍ରିମ୍‌କୋର୍ଟଙ୍କ ଆଦେଶ ବଳରେ ରଦ୍ଦ କରାଯାଇଥିଲା। ସୁପ୍ରିମ୍‌କୋର୍ଟ କହିଥିଲେ ଯେ ୟୁଜିସି ନିୟମ ଅନୁଯାୟୀ କୁଳପତି ନିଯୁକ୍ତି ନିମନ୍ତେ ରାଜ୍ୟ ସରକାର ତିନିଜଣଙ୍କ ନାମ ରାଜ୍ୟପାଳଙ୍କ ପାଖକୁ ସୁପାରିସ କରି ପଠାଇବେ ଏବଂ ରାଜ୍ୟପାଳ ଜଣଙ୍କୁ ବାଛିବେ। କିନ୍ତୁ ଉକ୍ତ ବିଶ୍ବବିଦ୍ୟାଳୟ କ୍ଷେତ୍ରରେ ରାଜ୍ୟ ସରକାର କେବଳ ଜଣଙ୍କ ନାମ ସୁପାରିସ କରିଥିଲେ। ସୁପ୍ରିମ୍‌କୋର୍ଟଙ୍କ ଉକ୍ତ ରାୟ ପରେ ରାଜ୍ୟପାଳ ଖାନ୍ ରାଜ୍ୟ ସରକାରଙ୍କ ଦ୍ବାରା ଏକତରଫା ଭାବେ ନିଯୁକ୍ତ ସମସ୍ତ ୯ଟି ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ଇସ୍ତଫା ଦେବାକୁ କହିଥିଲେ, ଯାହାକୁ ରାଜ୍ୟ ସରକାର ବିରୋଧ କରିଥିଲେ। ଚଳିତ ମାସରେ ରାଜ୍ୟପାଳଙ୍କୁ ଏକ ସ୍ବତନ୍ତ୍ର ଅଧ୍ୟାଦେଶ ବଳରେ ସମସ୍ତ ବିଶ୍ବବିଦ୍ୟାଳୟର କୁଳାଧିପତି ପଦରୁ ଅପସାରିତ କରିବା ପାଇଁ ରାଜ୍ୟ କ୍ୟାବିନେଟରେ ଭୋଟ ଗ୍ରହଣ ହୋଇଥିଲା। ରାଜ୍ୟ ଆଇନ ମନ୍ତ୍ରୀ ରାଜୀବ କହିଥିଲେ ଯେ ରାଜ୍ୟପାଳଙ୍କ କ୍ଷମତା ସଂକୁଚିତ କରିବାକୁ ସେମାନେ ଚେଷ୍ଟା କରୁନାହାନ୍ତି। ରାଜ୍ୟପାଳ ଏକ ସାମ୍ବିଧାନିକ ପଦ। ସେମାନେ କେବଳ କୁଳାଧିପତି ନିଯୁକ୍ତି ନିମନ୍ତେ ଏକ ଅଧ୍ୟାଦେଶ ଜାରି କରିଛନ୍ତି। ରାଜ୍ୟ ବିଧାନସଭାର ସେ ଅଧିକାର ଅଛି।

ସମ୍ବନ୍ଧିତ ଖବର