ହଜିଗଲା ‘ବିକ୍ରମ’! ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ, ଡାଟା ଅନୁଧ୍ୟାନ କରୁଛି ଇସ୍ରୋ

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆଜି ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‌ ‘ବିକ୍ରମ’କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରାଇବାରେ ସଫଳତା ପାଇନାହିଁ। ଚନ୍ଦ୍ର ପୃଷ୍ଠରୁ ୨.୧ କିମି ଦୂରତାରେ ଲ୍ୟାଣ୍ଡର୍‌ ବିକ୍ରମ ସହିତ ଇସ୍ରୋ କମାଣ୍ଡ ସେଣ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ବିକ୍ରମର ସୂକ୍ଷ୍ମ ଅବତରଣ ସଫଳ ହୋଇଥିଲେ ଭାରତ ଏ କ୍ଷେତ୍ରରେ ଆମେରିକା, ରୁଷ୍‌ ଏବଂ ଚୀନ୍‌କୁ ପଛରେ ପକାଇଥାନ୍ତା। କିନ୍ତୁ ବିକ୍ରମ ଆଶାନୁରୂପ କାମ କରିପାରିନାହିଁ। ଜୁଲାଇ ୨୨ ତାରିଖ ଦିନ ଚନ୍ଦ୍ରଯାନ-୨ର ସଫଳ ଉତ୍‌କ୍ଷେପଣ ହୋଇଥିଲା ଏବଂ ଆଜି ଏହାର ଲ୍ୟାଣ୍ଡର୍‌ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରି ଚନ୍ଦ୍ର ଅଭିଯାନକୁ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚାଇଥାନ୍ତା। ପୂର୍ବରୁ କୌଣସି ରାଷ୍ଟ୍ରର ଚନ୍ଦ୍ର ଅଭିଯାନ ଏହି ପାର୍ଶ୍ବକୁ ଛୁଇଁ ପାରିନାହିଁ। ତେଣୁ ପ୍ରଥମ ଅବତରଣ ଅଭିଯାନରେ ଭାରତ ଏକ ବିରଳ ସଫଳତା ହାସଲ କରିବ ବୋଲି ନାସାର ବୈଜ୍ଞାନିକମାନେ ଆଶା ପ୍ରକାଶ କରିଥିଲେ। ଚନ୍ଦ୍ରର ଦକ୍ଷିଣ ମେରୁ ସଂପର୍କରେ ଏ ପର୍ଯ୍ୟନ୍ତ ଅଧିକ ତଥ୍ୟ ମିଳିନାହିଁ । ତେଣୁ ଦକ୍ଷିଣ ମେରୁରେ ଚନ୍ଦ୍ରାଯାନ-୨ର ଅବତରଣ ପରେ ଚନ୍ଦ୍ରର ଅନେକ ରହସ୍ୟ ଉନ୍ମୋଚିତ ହୋଇଥାନ୍ତା। ପୂର୍ବରୁ ରୁଷ୍‌ ଓ ଆମେରିକା ଚନ୍ଦ୍ରରେ ଅବତରଣ କରି ସଫଳତା ହାସଲ କରିଥିଲେ ମଧ୍ୟ ବିଭିନ୍ନ କାରଣରୁ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଦକ୍ଷିଣ ପାର୍ଶ୍ବରେ ଅବତରଣ କରିପାରି ନାହାନ୍ତି। ସମସ୍ତଙ୍କ ଅଭିଯାନ କେବଳ ଚନ୍ଦ୍ରର ଉତ୍ତର ମେରୁରେ ସୀମିତ ରହିଥିଲା। ଭାରତର ଚନ୍ଦ୍ରଯାନ-୧ ମିସନରୁ ଦକ୍ଷିଣ ମେରୁରେ ଜଳର ସନ୍ଧାନ ମିଳିଥିଲା।

ଡାଟା ଅନୁଧ୍ୟାନ କରୁଛି ଇସ୍ରୋ

ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆଜି ମହାକାଶ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରିବାରୁ ଅଳ୍ପକେ ବଞ୍ଚିତ ହୋଇଛି। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର୍‌ ‘ବିକ୍ରମ’ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ବରେ ସଫଳ ଅବତରଣ କରିପାରିନାହିଁ। ବିକ୍ରମ ସହ ଯୋଗାଯୋଗ ଛିନ୍ନ ହେବାପରେ ଇସ୍ରୋ ଏବେ ଏହାର ଡାଟା ଅନୁଧ୍ୟାନ ଜାରି ରଖିଛି। ଚନ୍ଦ୍ରଯାନ-୧ ଅଭିଯାନର ସଫଳତାକୁ ପାଥେୟ କରି ଚନ୍ଦ୍ରଯାନ-୨ ଅଭିଯାନକୁ ଅଧିକ ବ୍ୟାପକ କରାଯାଇଥିଲା। ଆଜି ଏହି ଜଟିଳ ମିସନର ସମସ୍ତ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ଭାରତ ସଂପୂର୍ଣ୍ଣ ନିଜସ୍ବ ପ୍ରୟାସରେ ମାନବ ମିସନ ମଧ୍ୟ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଥିଲା। ଏ ପର୍ଯ୍ୟନ୍ତ ଚନ୍ଦ୍ରରେ ୧୨ ଜଣ ଅବତରଣ କରିଛନ୍ତି। ଆମେରିକୀୟ ମହକାଶଚାରୀ ନିଲ ଆର୍ମଷ୍ଟ୍ରଙ୍ଗ୍‌ ୨୦ ଜୁଲାଇ ୧୯୬୯ରେ ପ୍ରଥମେ ଚନ୍ଦ୍ରରେ ପାଦ ଦେଇଥିଲେ।

ଭାରତ ଚନ୍ଦ୍ରଯାନ-୨କୁ ତା’ର ସବୁଠାରୁ ଶକ୍ତିଶାଳୀ ରକେଟ୍‌ ଜିଏସ୍‌ଏଲ୍‌ଭି ଏମ୍‌କେ-୩ ଦ୍ବାରା ଉତ୍‌କ୍ଷେପଣ କରିଥିଲା । ଗତ ୨ ତାରିଖ ଦିନ ‘ଚନ୍ଦ୍ରଯାନ-୨’ ଅର୍ବିଟରରୁ ଲ୍ୟାଣ୍ଡର୍‌ ‘ବିକ୍ରମ’ ସଫଳତାର ସହ ଅଲଗା ହୋଇଥିଲା। ଅର୍ବିଟରରୁ ଅଲଗା ହେବାମାତ୍ରେ ହିଁ ‘ବିକ୍ରମ’ ଚନ୍ଦ୍ରମା ଆଡ଼କୁ ତା’ର ନିର୍ଦ୍ଧାରିତ ବେଗରେ ଅଗ୍ରସର ହୋଇଥିଲା ଏବଂ ନିର୍ଦ୍ଧାରିତ ସମୟ ଭିତରେ ହିଁ ଆଜି ସୂକ୍ଷ୍ମ ଅବତରଣ କରିବ ବୋଲି ଧାର୍ଯ୍ୟ ହୋଇଥିଲା। ରୋଭର ‘ପ୍ରଜ୍ଞାନ’ ସଂପର୍କରେ ମଧ୍ୟ କୌଣସି ଯୋଗାଯୋଗ ନାହିଁ। ସୂକ୍ଷ୍ମ ଅବତରଣ ସଫଳ ହୋଇଥିଲେ ଏହା ୫୦୦ ମିଟର ଦୂରତା ଅତିକ୍ରମ କରି ତଥ୍ୟ ସଂଗ୍ରହ କରିଥାନ୍ତା । ‘ବିକ୍ରମ’ ମାଧ୍ୟମରେ ଚନ୍ଦ୍ରମାଠାରୁ ପୃଥିବୀର ବାସ୍ତିବକ ଦୂରତା ସଂପର୍କରେ ଜଣାପଡ଼ିଥାନ୍ତା, ଯାହାକି ଏ ପର୍ଯ୍ୟନ୍ତ ଅନେକ ଦୃଷ୍ଟିରୁ ଏକ ରହସ୍ୟ ହୋଇ ରହିଛି।

ଆମେରିକାର ମହାକାଶ ପ୍ରତିଷ୍ଠାନ ନାସା ଚନ୍ଦ୍ରଯାନ-୨ ସହିତ ନିଜର ଏକ ଲୁନାର ‘ଲେଜର ରେଟ୍ରୋରିଫ୍ଲେକ୍ଟର ଏରେ’ ପଠାଇଥିଲା ଯାହାକି ବୈଜ୍ଞାନିକଙ୍କୁ ଚନ୍ଦ୍ରମାର ପ୍ରକୃତ ଦୂରତା ସଂପର୍କରେ ଜଣାଇଥାନ୍ତା

ପରିକଳ୍ପନାରୁ ଉତ୍‌କ୍ଷେପଣ ପର୍ଯ୍ୟନ୍ତ

ନଭେମ୍ବର ୨୦୦୭: ଇସ୍ରୋ ଏବଂ ରୁଷ୍‌ ମହାକାଶ ସଂସ୍ଥା ମଧ୍ୟରେ ଚନ୍ଦ୍ରରେ ମିଳିତ ଅବତରଣ ମିସନ୍‌ ପାଇଁ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଚୁକ୍ତି ଅନୁଯାୟୀ ଇସ୍ରୋ ଅର୍ବିଟର ଓ ରୋଭର ଓ ଏବଂ ରୋସ୍‌କସ୍‌ମସ୍‌ ଲ୍ୟାଣ୍ଡର ଦେବ ବୋଲି ନିଷ୍ପତ୍ତି ହୋଇଥିଲା।
ସେପ୍ଟେମ୍ବର ୨୦୦୮: ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସରକାର ଚନ୍ଦ୍ରଯାନ-୨ ପ୍ରକଳ୍ପକୁ ମଂଜୁରି ଦେଇଥିଲେ।
୨୦୦୯: ମହାକାଶ ଡିଜାଇନ୍‌ ପ୍ରସ୍ତୁତ ହେଲା ଏବଂ ଉଭୟ ରାଷ୍ଟ୍ରର ମହାକାଶ ସଂସ୍ଥା ଦ୍ବାରା ଏହାର ସମୀକ୍ଷା କରାଗଲା।
୨୦୧୫: ଭାରତ ଏକାକୀ ଚନ୍ଦ୍ରଯାନ-୨ ଅଭିଯାନରେ କାମ କରିବ ବୋଲି ନିଷ୍ପତ୍ତି ନେଲା। ୨୦୧୬ରେ ଚନ୍ଦ୍ରଯାନ-୨ର ଉତ୍‌‌‌କ୍ଷେପଣ ସ୍ଥିର କରାଯାଇଥିଲା। କିନ୍ତୁ ପରେ ମାର୍ଚ୍ଚ ୨୦୧୮ରେ ଚନ୍ଦ୍ରଯାନ-୨ ଉତ୍‌‌କ୍ଷେପଣ କରାଯିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଗଲା।
ଫେବ୍ରୁଆରି ୨୦୧୯: ୫ ମାସ ପର୍ଯ୍ୟନ୍ତ ଉତ୍‌କ୍ଷେପଣ ବିଳମ୍ବିତ ହେଲା। ଲ୍ୟାଣ୍ଡର୍‌ର କେତେକ ଯନ୍ତ୍ରାଂଶ ପରୀକ୍ଷଣ ସମୟରେ ନଷ୍ଟ ହୋଇଯିବାରୁ ଉତ୍‌କ୍ଷେପଣ ହେବାରେ ବିଳମ୍ବ ‌ହୋଇଥିଲା।
ଜୁଲାଇ ୧୫ , ୨୦୧୯: ଯାନ୍ତ୍ରିକ ତ୍ରୁଟି ପାଇଁ ଉତ୍‌କ୍ଷେପଣ ସ୍ଥଗିତ ରହିଲା ।
ଜୁଲାଇ ୨୨, ୨୦୧୯: ଚନ୍ଦ୍ରଯାନ-୨ ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ କରାଗଲା।

ସମ୍ବନ୍ଧିତ ଖବର