ବିଭିନ୍ନ ଦେଶରେ ବେଆଇନ ଥାନା ଖୋଲୁଛି ଚୀନ୍: ରିପୋର୍ଟ

ବେଜିଂ: ବିଶ୍ବର ସୁପରପାୱାର ହେବା ଲକ୍ଷ୍ୟରେ ଚୀନ୍ ସରକାର କାନାଡ଼ା ଓ ଆୟର୍ଲାଣ୍ଡ ପରି ବିକଶିତ ଦେଶ ସମେତ ବିଭିନ୍ନ ଦେଶରେ ଅନେକ ବେଆଇନ ଥାନା ଖୋଲିଛି, ଯାହାକୁ ନେଇ ଅନେକ ମାନବାଧିକାର ଗୋଷ୍ଠୀ ଚିନ୍ତା ପ୍ରକଟ କରିଛନ୍ତି। ଏପରି ଅଣ-ଆନୁଷ୍ଠାନିକ ପୁଲିସ ସେବା କେନ୍ଦ୍ରଗୁଡ଼ିକ କାନାଡ଼ାରେ ପବ୍ଲିକ୍ ସିକ୍ୟୁରିଟି ବ୍ୟୁରୋ (ପିଏସ୍‌ବି) ସହ ଅନୁବନ୍ଧିତ ଏବଂ ଏଗୁଡ଼ିକ ଚୀନ୍ ବିରୋଧୀ ତତ୍ତ୍ବଗୁଡ଼ିକୁ ଦମନ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଇନ୍‌ଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଜିମ୍ ରିପୋର୍ଟିକା (ଆଇଜେଆର୍) ପ୍ରକାଶ କରିଛି।

ଏକ ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁସାରେ, ଚୀନ୍‌ର ଫୁଜିଆନ ପ୍ରଦେଶର ରାଜଧାନୀ ଫୁଜୁ ପକ୍ଷରୁ ପିଏସ୍‌ବିର ସହବନ୍ଧନରେ କାନା‌ଡ଼ାରେ ଅନେକ ଥାନା ପ୍ରତିଷ୍ଠା କରାଯାଇଛି। ଏହିସବୁ ଥାନା ଜରିଆରେ ଚୀନ୍ ସରକାର କେତେକ ଦେଶରେ ନିର୍ବାଚନକୁ ମଧ୍ୟ ପ୍ରଭାବିତ କରନ୍ତି। ଫୁଜୁ ‌ପୁଲିସର କହିବା ଅନୁସାରେ ୨୧ଟି ଦେଶରେ ଏହା ପ୍ରାୟ ୩୦ଟି ଥାନା ଖୋଲିଛି। ୟୁକ୍ରେନ୍, ଫ୍ରାନ୍ସ, ସ୍ପେନ, ଜର୍ମାନୀ ଓ ଇଂଲଣ୍ଡ ପରି ଦେଶରେ ଏପରି ଚାଇନିଜ୍ ଥାନା ପାଇଁ ବ୍ୟବସ୍ଥା ରହିଛି। ପୁଣି ଏହିସବୁ ଦେଶର ନେତାମାନେ ଚୀନ୍‌ରେ ବ୍ୟାପକ ମାନବାଧିକାର ଉଲ୍ଲଂଘନ ନେଇ ପ୍ରଶ୍ନ ଉଠାନ୍ତି। ଅନ୍ୟପକ୍ଷରେ ଚୀନ୍ ସଫେଇ ଦେଇଛି ଯେ ଏହି ପ୍ରତିଷ୍ଠାନ (ଥାନା)ଗୁଡ଼ିକ ହେଉଛି ‘ଭୋକେସନାଲ ସ୍କିଲ୍‌ସ ଟ୍ରେନିଂ ସେଣ୍ଟର’ (ପେସା କୌଶଳ ତାଲିମ କେନ୍ଦ୍ର) ଏବଂ ଏଗୁଡ଼ିକ ଉଗ୍ରବାଦ ବିରୋଧରେ ଲଢ଼ିବା ସହ ଲୋକଙ୍କ ଜୀବନଜୀବିକାରେ ଉନ୍ନତି ଆଣିଥାଏ। ୨୦୧୯ରେ ଚୀନ୍ କହିଥିଲା ଯେ ଅଧିକାଂଶ ‘ଶିକ୍ଷାନବୀସ’ ଉକ୍ତ କେନ୍ଦ୍ରଗୁଡ଼ିକରୁ ‘ସ୍ନାତକ’ ହୋଇ ବାହାରିଛନ୍ତି।

ସମ୍ବନ୍ଧିତ ଖବର