ସୀମା ବିବାଦର ସମାଧାନ ପାଇଁ ସର୍ତ୍ତ ରଖିଲା ଭାରତ : ଚୀନ୍‌ ୧୦ ହଜାର ସୈନ୍ୟ, ଯୁଦ୍ଧାସ୍ତ୍ର ହଟାଉ

ଭାରତ ସହ ଆଲୋଚନା ସକରାତ୍ମକ: ଚୀନ୍‌

ନୂଆଦିଲ୍ଲୀ : ପୂର୍ବ ଲଦାଖ୍‌ର ୩ଟି ଅଂଚଳରୁ ଚୀନ୍‌ ସେନା ୨.୫ କିମି ପଛକୁ ହଟିବା ସହ ଭାରତ ମଧ୍ୟ କିଛି ଦୂର ପଛକୁ ହଟିଛି। ତେବେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଶାନ୍ତି ଫେରାଇ ଆଣିବା ପାଇଁ ଭାରତ ଚୀନ୍‌ ସମ୍ମୁଖରେ ଏକ ସର୍ତ୍ତ ରଖିଛି ଏବଂ ଏହା କାର୍ଯ୍ୟକାରୀ ହେଲେ ‌ହିଁ ଉଚ୍ଚସ୍ତରୀୟ ସାମରିକ କଥାବାର୍ତ୍ତାର ସୁଫଳ ମିଳିବ ବୋଲି ସ୍ପଷ୍ଟ କରିଦେଇଛି। ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳରେ ଚୀନ୍‌ ଭାରୀ ଯୁଦ୍ଧାସ୍ତ୍ର ଠୁଳ କରିବା ସହ ଅନେକ ସୈନ୍ୟ ଶିବିର ସ୍ଥାପନ କରିଥିଲା। ଏଥିରେ ପ୍ରାୟ ୧୦ ହଜାରରୁ ଅଧିକ ସୈନିକ ଅଛନ୍ତି। ଚୀନ୍‌ ଏହି ୧୦ ହଜାର ସୈନିକ ଏବଂ ସମସ୍ତ ଯୁଦ୍ଧାସ୍ତ୍ରକୁ ସୀମାରୁ ହଟାଇବାକୁ ଭାରତ ଜଣାଇ ଦେଇଛି। ଆଗାମୀ ଦିନରେ ଆଉ ଏକ ପର୍ଯ୍ୟାୟରେ କମାଣ୍ଡର ଜେନେରାଲସ୍ତରରେ ବୈଠକ ଅନୁଷ୍ଠିତ ହେବ ଏବଂ ଏହା ପୂର୍ବରୁ ସ୍ଥିତି ସଂପୂର୍ଣ୍ଣ ସ୍ବାଭାବିକ କରିବା ପାଇଁ ଏହା ଏକ ବଡ଼ ପଦକ୍ଷେପ ହେବ ବୋଲି ଭାରତ ଚୀନ୍‌ର ପିପୁଲ୍ସ ‌ଲିବରେସନ ଆର୍ମି (ପିଏଲ୍‌ଏ)କୁ ଜଣାଇ ଦେଇଛି।

ଚୀନ୍‌ ଗତ ମାସକ ମଧ୍ୟରେ ପ୍ରାୟ ୧୦ ହଜାର ସୈନିକଙ୍କୁ ମୁତୟନ କରିବା ସହ ବିଭିନ୍ନ ଟ୍ୟାଙ୍କ, ତୋପ ଏବଂ ଅନ୍ୟ ଯୁଦ୍ଧାସ୍ତ୍ର ଆଣି ଠୁଳ କରିଥିଲା । ଏହା ସହିତ ପାର୍ବତ୍ୟାଞ୍ଚଳରେ ସମରାଭ୍ୟାସ ମଧ୍ୟ କରିଥିଲା। ଏହାର ଜବାବରେ ଭାରତ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିବାରୁ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଉପୁଜିଥିଲା। ଏବେ ଉଭୟ ସେନା କିଛି ବାଟ ପଛକୁ ହଟିଥିଲେ ମଧ୍ୟ ସୀମାରେ ପୂର୍ଣ୍ଣ ଶାନ୍ତି ପାଇଁ ଚୀନ୍‌ ଏପ୍ରିଲ ମାସରେ ଯେଉଁ ସ୍ଥିତି ଥିଲା, ସେହି ସ୍ଥିତିକୁ ଫେରିଯିବାକୁ ଭାରତ କହିଛି। ମେ ମାସରେ ଚୀନ୍‌ର ଅତିକ୍ରମଣ ଏବଂ ଅଯଥା ଉତ୍ତେଜନା ବଢ଼ାଇବାକୁ ହୋଇଥିବା ପ୍ରୟାସ ବିଶ୍ବବ୍ୟାପୀ ଚର୍ଚ୍ଚାରେ ରହିଛି।

ଭାରତ ସହ ଆଲୋଚନା ସକରାତ୍ମକ: ଚୀନ୍‌
ବେଜିଂ : ସୀମା ବିବାଦର ସମାଧାନ ପାଇଁ ଭାରତ ସହ ସାମରିକସ୍ତରରେ ଆଲୋଚନା ସକରାତ୍ମକ ରହିଛି ଏବଂ ଏହି ଆଧାରରେ ଭାରତ ଏବଂ ଚୀନ୍‌ ସେନା ବିହୀତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଆଜି ଚୀନ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ସୀମାରେ ଶାନ୍ତିପୂର୍ଣ୍ଣ ଭାବେ ବିବାଦର ସମାଧାନ କରିବା ଏବଂ ତୁରନ୍ତ ଉତ୍ତେଜନା ହ୍ରାସ ପାଇଁ କେତେକ ଜରୁରୀ ପଦକ୍ଷେପ ନିଆଯାଇଛି ଏବଂ ଏହି ଆଧାର ଭାରତ ଏବଂ ଚୀନ୍‌ ସେନା କିଛି ଅଂଚଳରେ ପଛକୁ ହଟିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଚୀନ୍‌ କହିଛି। ଭାରତ ସହ ଏ ସଂକ୍ରାନ୍ତରେ ସାମରିକ ଓ କୂଟନୈତିକ ଆଲୋଚନା ଜାରି ରହିବ ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ସମ୍ବନ୍ଧିତ ଖବର