ତୈଳ ଦରବୃଦ୍ଧି ବିରୋଧରେ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ

କେନ୍ଦ୍ରକୁ ସମାଲୋଚନା କଲେ ସୋନିଆ, ରାହୁଲ

ନୂଆଦିଲ୍ଲୀ: କ୍ରମାଗତ ଭାବେ ପେଟ୍ରୋଲ ଏବଂ ଡିଜେଲ୍‌ ଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ଆଜି ଦେଶବ୍ୟାପୀ ବିଭିନ୍ନ ସହରରେ ବିକ୍ଷୋଭ ଏବଂ ଆନ୍ଦୋଳନ କରିଛି। ତୈଳଦର ହ୍ରାସ କରିବା ଦାବିରେ କଂଗ୍ରେସ ପକ୍ଷରୁ ଆଜି ଦେଶବ୍ୟାପୀ ଆନ୍ଦୋଳନ ପରିଚାଳନା ହୋଇଥିବାବେଳେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗ‌ରେ ସରକାରଙ୍କୁ ସମାଲୋଚନା କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରକୁ ବର୍ଷି କହିଛନ୍ତି ଯେ, ଲକ୍‌ଡାଉନ୍‌ ଆରମ୍ଭ ହେବା ପରଠାରୁ ସରକାର ୨୨ ଥର ତୈଳ ଦଳ ବୃଦ୍ଧି କରିଛନ୍ତି। ସୋନିଆ ଅଭି‌ଯୋଗ କରିଛନ୍ତି, ସଙ୍କଟ ସମୟରେ ସରକାର ଲୋକଙ୍କୁ ସହଯୋଗ କରିବା ଉଚିତ୍‌। କିନ୍ତୁ ସରକାର ତାହା ନକରି ଲୋକମାନଙ୍କ କଷ୍ଟ ଅର୍ଜିତ ଟଙ୍କାର ଫାଇଦା ଉଠାଉଛନ୍ତି।

ପେଟ୍ରୋଲ ଓ ଡିଜେଲ୍‌ ଦରରୁ ଲବ୍‌ଧ ଅର୍ଥ ଗରିବ ପକେଟ୍‌କୁ ଯାଏ, ଦଲାଲ୍‌ଙ୍କ ପାଖକୁ ନୁହେଁ
ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ

ରାହୁଲ ଗାନ୍ଧୀ ମଧ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ମୋଟର ତୈଳରୁ ଲାଭ ଉଠାଇବା ବନ୍ଦ କରିବାକୁ କହିଛନ୍ତି। ରାଜସ୍ଥାନରେ କଂଗ୍ରେସ ସଭାପତି ସଚିନ ପାଇଲଟ୍‌ ଏହି ତୈଳ ଦର ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିବା ସହ ତାଙ୍କ ନେତୃତ୍ବରେ ଜୋରଦାର ଆନ୍ଦୋଳନ ହୋଇଥିଲା। ମହାରାଷ୍ଟ୍ରରେ ମଧ୍ୟ ଅନେକ କଂଗ୍ରେସ ମନ୍ତ୍ରୀ ମୁମ୍ବାଇ ସ୍ଥିତ ଦଳର ଅଫିସ୍‌ ପାଖରେ ଆନ୍ଦୋଳନ କରିଥିଲେ। କଂଗ୍ରେସ ମନ୍ତ୍ରୀ ବାଳସା‌ହେବ ଥୋରଟ, ଅଶୋକ ଚୌହାନ, ନୀତିନ ରାଉତ ଆନ୍ଦୋଳନରେ ଯୋଗ ଦେଇଥିଲେ। ଗୁଜରାଟ ଏବଂ ହରିୟାଣାରେ ମଧ୍ୟ ରାଜ୍ୟବ୍ୟାପୀ କଂଗ୍ରେସ କର୍ମୀମାନେ ତୈଳଦର ବୃଦ୍ଧି ନେଇ ଆନ୍ଦୋଳନ କରିଛନ୍ତି।

ସମ୍ବନ୍ଧିତ ଖବର