କରୋନାରେ ମରିବା ପୂର୍ବରୁ ବାପାଙ୍କୁ ପୁଅର ଭିଡିଓ ବାର୍ତ୍ତା: ଡାକ୍ତରମାନେ ଭେଣ୍ଟିଲେଟର କାଢ଼ିଦେଲେ, ମୁଁ ନିଶ୍ବାସ ନେଇପାରୁନି

ହାଇଦ୍ରାବାଦ୍: ଶେଷ ନିଶ୍ବାସ ତ୍ୟାଗ କରିବାର ମାତ୍ର କିଛି ମୁହୂର୍ତ୍ତ ପୂର୍ବରୁ ହାଇଦ୍ରାବାଦ୍‌ର ଜଣେ ଯୁବକ ତାଙ୍କ ବାପାଙ୍କ ପାଖକୁ ଏକ ଭିଡିଓ ବାର୍ତ୍ତା ପଠାଇଛନ୍ତି। ଏହି ସେଲ୍‌ଫି ଭିଡିଓଟି ଅତ୍ୟନ୍ତ ହୃଦୟବିଦାରକ ହୋଇଛି। ଜଣେ ପୁଅ ବଞ୍ଚିବାପାଇଁ କିଭଳି ସଂଘର୍ଷ କରୁଛି ଏବଂ ସେ ବଞ୍ଚିବାପାଇଁ ଚାହୁଥିଲେ ମଧ୍ୟ ଡାକ୍ତରମାନେ ତାଙ୍କଠାରୁ ଭେଣ୍ଟିଲେଟର କାଢ଼ି ନେଇଛନ୍ତି ବୋଲି ସେ ତାଙ୍କ ବାପାଙ୍କୁ ଭିଡିଓ ମାଧ୍ୟମରେ ଜଣାଇଛନ୍ତି। ଭିଡିଓଟିରେ ଯୁବକ ଜଣଙ୍କ କହୁଛନ୍ତି, ମୁଁ ନିଶ୍ବାସ ନେଇପାରୁନି। ସେମାନେ ଭେଣ୍ଟିଲେଟର କାଢ଼ିନେଲେ। ୩ ଘଣ୍ଟା‌ ହୋଇଗଲାଣି। ମତେ ଲାଗୁଛି ମୋ ହୃଦ୍ ସ୍ପନ୍ଦନ ଅଟକିଯିବ। ବାଏ ଡାଡି, ବାଏ ଏଭ୍ରିୱାନ୍‌ କହି ଯୁବକ ଜଣଙ୍କ ପ୍ରାଣ ହାରିଥିଲେ।

ଉକ୍ତ ଘଟଣାଟି ଶୁକ୍ରବାର ରାତିରେ ଘଟିଥିଲା। କିନ୍ତୁ ଯୁବକଙ୍କ ଭିଡିଓ ରବିବାର ଦିନ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଉତ୍ତେଜନା ବଢ଼ିଛି। ୩୫ ବର୍ଷୀୟ ଉକ୍ତ ଯୁବକଙ୍କ ନାମ ପି ରବିକୁମାର। ଗତ ୨୪ ତାରିଖରେ ତାଙ୍କ ଛାତିରେ ଯନ୍ତ୍ରଣା ହେବାପରେ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ତେବେ ସ‌ଙ୍ଗେସଙ୍ଗେ ତାଙ୍କୁ ହସ୍ପିଟାଲ୍‌ରେ ବେଡ୍‌ ମିଳିନଥିଲା। ଅନେକ ଘରୋଇ ହସ୍ପିଟାଲ୍‌ ବୁଲିବାପରେ ଶେଷରେ ସେ ଏକ ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଯୁବକଙ୍କ ମୃତ୍ୟୁପରେ ତାଙ୍କ ବାପା ଏହି ଭିଡିଓ ସୋସିଆଲ୍‌ ମିଡିଆରେ ପକାଇଥିଲେ। ସମ୍ପୃକ୍ତ ଘଟଣାର ଏବେ ତଦନ୍ତ ଆରମ୍ଭ ହୋଇଛି। ତେବେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ କହିଛନ୍ତି, ଯୁବକଙ୍କଠାରୁ ଭେଣ୍ଟିଲେଟର କଢ଼ାଯାଇନଥିଲା। ତାଙ୍କ ଅବସ୍ଥା ଅତି ଜଟିଳ ହୋଇଯିବାରୁ ତାଙ୍କୁ ସେମିତି ଲାଗିଥିବ ବୋଲି ହସ୍ପିଟାଲ୍‌ କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର