ଭାରତ ସହ ଆଲୋଚନା ଲାଗି ମାଲେସିଆ ବ୍ୟାକୁଳ, କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ : ଭାରତ ପକ୍ଷରୁ ଆମଦାନୀ କଟକଣା ଓ ଚୀନରେ କରୋନା ଭାଇରସ ଯୋଗୁଁ ମାଲେସିଆର ପାମ ଅଏଲ (ତାଳତେଲ) ରପ୍ତାନି ହ୍ରାସ ପାଇଛି । ଏହା ମାଲେସିଆର ଅର୍ଥନୀତିକୁ ପ୍ରଭାବିତ କରିବା ଆରମ୍ଭ କରିଛି । ଏହା ଫଳରେ ମାଲେସିଆ ଭାରତ ସହ କଥାବାର୍ତ୍ତା ମାଧ୍ୟମରେ ସମସ୍ୟା ସମାଧାନ କରିବାକୁ ଆଗଭର ହୋଇଛି ।

ମାଲେସିଆର ପାଲ ଅଏଲ ପରିଷଦ ପକ୍ଷରୁ କୁହାଯାଇଛି ଯେ ଭାରତ ଦ୍ୱାରା ଲଗାଯାଇଥିବା କଟକଣା ସାମୟିକ । ଆଲୋଚନା ମାଧ୍ୟମରେ ଦୁଇଦେଶ ଏହି ସମସ୍ୟାର ସମାଧାନ ବାହାର କରିବେ । ଦୁଇଦେଶ ମଧ୍ୟରେ ଲମ୍ବା ସମୟ ଧରି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଆସିଛି । ଏଣୁ ଦୁଇପକ୍ଷକୁ ସୁହାଇଲା ଭଳି ସମାଧାନ ବାହାର କରାଯିବ । ଅନ୍ୟପକ୍ଷରେ ମାଲେସିଆ ଗସ୍ତରେ ଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କହିଛନ୍ତି ଯେ ତାଙ୍କ ଦେଶ ମାଲେସିଆରୁ ଅଧିକ ପାମ ଅଏଲ କିଣିବ ।

ମାଲେସିଆର ପ୍ରଧାନମନ୍ତ୍ରୀ ମହାଥୀର ବାରମ୍ବାର ଭାରତ ବିରୋଧରେ ବୟାନ ଦେଉଥିବାରୁ ଭାରତ ମାଲେସିଆରୁ ପାମ ଅଏଲ କିଣିବା ବନ୍ଦ କରିଦେଇଛି । ଗତ ଫେବ୍ରୁଆରି ୧ରେ ପ୍ରକାଶିତ ସରକାରୀ ବିଜ୍ଞପ୍ତି ଅନୁସାରେ ଅଶୋଧିତ ପାମ ଅଏଲ ଉପରେ ଭାରତ ସରକାର ୪୦ ପ୍ରତିଶତ ଆମଦାନି ଟିକସ ଲଗାଇଛନ୍ତି ।

ଗତ ବର୍ଷ ମହାଥୀର କଶ୍ମୀର ସଂପର୍କରେ ଓ ନିକଟରେ ନାଗରିକତା ଆଇନ ସଂପର୍କରେ ମନ୍ତବ୍ୟ ଦେଇଥିଲେ । ତାଙ୍କ ମନ୍ତବ୍ୟକୁ ଭାରତ ବିରୋଧ କରୁଛି । ପୂର୍ବେ ଭାରତ ମାଲେସିଆର ବୃହତମ ଖାଇବା ତେଲ ଗ୍ରାହକ ଥିଲା । କିନ୍ତୁ ଭାରତ ଆମଦାନି କମାଇଥିବାରୁ ମାଲେସିଆର ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହେଉଛି ।

ସମ୍ବନ୍ଧିତ ଖବର