ତ୍ରୁଟିଯୁକ୍ତ ବିମାନର ଉଡ଼ାଣ ରଦ୍ଦ ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛ ଜଣାଅ: ଡିଜିସିଏଙ୍କୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦେଶରେ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଚଳାଚଳ କରୁଥିବା ତ୍ରୁଟିଯୁକ୍ତ ଏ-୩୨୦ ନିଓ ଇଞ୍ଜିନ୍‌ ଯୁକ୍ତ ଏୟାରବସ୍‌ଗୁଡ଼ିକର ବାରମ୍ବାର ଉଡ଼ାଣ ରଦ୍ଦ (ଗ୍ରାଉଣ୍ଡେଡ୍‌) ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯାଇଛି, ସେ ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଦିଲ୍ଲୀ ହାଇକୋର୍ଟ ଆଜି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏସଂପର୍କରେ ଆଗତ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟର ଏକ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେବା ସହ ପରବର୍ତ୍ତୀ ଶୁଣାଣିକୁ ଅପ୍ରେଲ ୧୩ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୮ ରୁ ୧୯ ଦୁଇଦିନ ମଧ୍ୟରେ ନୂଆଦିଲ୍ଲୀ, ଶ୍ରୀନଗର, ଜମ୍ମୁ ଏବଂ ମୁମ୍ବାଇ ବିମାନ ବନ୍ଦରରେ ଉଡ଼ାଣ ଭରିବାକୁ ଥିବା ଇଣ୍ଡିଗୋ ଏୟାରଲାଇନ୍ସର ୫ଟି ଏ-୩୨୦ ନିଓ ବିମାନର ଇଞ୍ଜିନ୍‌ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ସଂପୃକ୍ତ ବିମାନଗୁଡ଼ିକର ଉଡ଼ାଣକୁ ରଦ୍ଦ କରି ଦିଆ ଯାଇଥିଲା। ଆଜି ଏହି ମାମଲାର ଶୁଣାଣି କାଳରେ ସୁରକ୍ଷା ଓ ନିରାପତ୍ତା ପାଇଁ ଏୟାରକ୍ରାଫ୍ଟ ରୁଲ୍‌ର ଧାରା ୧୯୩୭ ଅନୁଯାୟୀ ବର୍ତ୍ତମାନ ଦେଶର ବିଭିନ୍ନ ବିମାନ ବନ୍ଦରମାନଙ୍କରୁ ଉଡ଼ାଣ ଭରୁଥିବା ଏ-୩୨୦ ନିଓ ଇଞ୍ଜିନ୍‌ ଯୁକ୍ତ ବିମାନଗୁଡ଼ିକର ପୂର୍ଣ୍ଣାଙ୍ଗ ତାଲିକା କୋର୍ଟରେ ଦାଖଲ କରିବା ପାଇଁ ଖଣ୍ଡପୀଠ ଡିଜିସିଏଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିମାନ ଉଡ଼ାଣ ସହ ଜଡ଼ିତ ଥିବା ପ୍ରତ୍ୟେକଟି ଘଟଣା ଓ ଦୁର୍ଘଟଣା ସଂପର୍କିତ ସମସ୍ତ ତଥ୍ୟ ୨୪ ଘଣ୍ଟା ମଧ୍ୟରେ େଓ୍ଵବ୍‌ସାଇଟ୍‌ରେ ପ୍ରକାଶ କରିବା ସହ ଘରୋଇ ଏୟାରଲାଇନ୍‌ ଅପରେଟରମାନଙ୍କର ସୁରକ୍ଷା ଅଡିଟ୍‌ ରିପୋର୍ଟକୁ ୭ ଦିନ ମଧ୍ୟରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଗତ ମାର୍ଚ୍ଚ ୧୩ ତାରିଖରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିବା ଇଣ୍ଡିଗୋ ଏୟାରଲାଇନ୍ସ ଓ ଗୋଏୟାରର ତ୍ରଟିପୂର୍ଣ୍ଣ ଏ-୩୨୦ ନିଓ ଇଞ୍ଜିନ୍‌ ଯୁକ୍ତ ୧୧ଟି ଏୟାରବସ୍‌ର ଉଡ଼ାଣ ଉପରେ ନିଷେଧାଦେଶ ଜାରି କରିଥିଲେ।

ସମ୍ବନ୍ଧିତ ଖବର