ମାସ୍କ୍‌କୁ ଥୋଡ଼ିରେ ଓହଳାଇ ରଖନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ସିଲିଗୁଡ଼ି: ଆପଣମାନେ କୋଭିଡ୍‌ ସୁରକ୍ଷା ସତର୍କତା ଅନୁସରଣ କରିବା ଆବଶ୍ୟକ, ତେଣୁ ମାସ୍କ୍‌କୁ ଥୋଡ଼ିରେ ଓହଳାଇ ରଖନ୍ତୁ ନାହିଁ ବୋଲି ରବିବାର ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସଭାରେ କହିଛନ୍ତି।

ପୂଜାପର୍ବାଣି ଆରମ୍ଭ ସମୟରୁ ପଶ୍ଚିମବଙ୍ଗରେ ବୃଦ୍ଧି ପାଇଥିବା କୋଭିଡ୍‌-୧୯ ସଂକ୍ରମଣ ଦମନ କରିବା ଲାଗି ସୁରକ୍ଷା ନିୟମ ନିଷ୍ଠାପର ଭାବେ ଅନୁସରଣ କରିବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଭୂତାଣୁଜନିତ ଏହି ରୋଗ ସଂକ୍ରମଣ ଏଡ଼ାଇବାକୁ ନାକ ଆବୃତ କରି ‘ଫେସ୍‌ ମାସ୍କ୍‌’କୁ ଠିକ୍‌ ଭାବେ ପରିଧାନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Image Courtesy of The Economic Times

ସେ କହିଛନ୍ତି, ଦୟାକରି ଠିକ୍‌ ରୂପେ ମାସ୍କ୍‌ ପରିଧାନ କରନ୍ତୁ। ଦୁର୍ଗାପୂଜା ପରେ କୋଭିଡ୍‌ ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ସୁତରାଂ, ଆପଣମାନେ କୋଭିଡ୍‌ ସୁରକ୍ଷା ସତର୍କତା ମାନି ଚଳନ୍ତୁ, ମାସ୍କ୍‌କୁ ଥୋଡ଼ିରେ ଝୁଲାଇ ରଖନ୍ତୁ ନାହିଁ।

ଆଗକୁ ଆସୁଥିବା କାଳୀପୂଜା, ଦୀପାବଳି, ଛଟ୍‌ପୂଜା ଏବଂ ଜଗଧାତ୍ରୀପୂଜା ଉତ୍ସବ ସମୟରେ ସମସ୍ତେ କୋଭିଡ୍‌-୧୯ ନିୟମ ମାନିବାକୁ ସେ କହିଛନ୍ତି।

ରାଜ୍ୟରେ ବିଶେଷକରି, ଉତ୍ତରବଙ୍ଗରେ ମ୍ୟାଲେରିଆ ସଂକ୍ରମଣ ବୃଦ୍ଧି ପାଉଥିବା ବିଷୟରେ ମଧ୍ୟ ସେ ଜନସାଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି।

ସେ କହିଛନ୍ତି, କୋଭିଡ୍‌ ମାମଲା ସହ ଉତ୍ତରବଙ୍ଗର କେତେକ ଅଞ୍ଚଳରେ ଆକସ୍ମିକ ଭାବେ ମ୍ୟାଲେରିଆ ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ସମସ୍ତ ଅଞ୍ଚଳ ପରିଚ୍ଛନ୍ନ କରିବା ପାଇଁ ମୁଁ ଜିଲ୍ଲା ପ୍ରଶାସନକୁ କହୁଛି।

ସମ୍ବନ୍ଧିତ ଖବର