ୟୁକ୍ରେନ ପ୍ରସଙ୍ଗରେ ପୁଟିନଙ୍କୁ ଦ୍ବନ୍ଦ୍ବ ଯୁଦ୍ଧ ପାଇଁ ଚ୍ୟାଲେଞ୍ଜ କଲେ ବିଶ୍ବର ୧ନମ୍ବର ଧନୀ ଏଲନ ମସ୍କ

ନୂଆଦିଲ୍ଲୀ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଚ୍ୟାଲେଞ୍ଜ କଲେ ଟେସଲା ଓ ସ୍ପେସଏକ୍ସର ସିଇଓ ଏଲନ ମସ୍କ। ଟ୍ବିଟ କରି ସେ ପୁଟିନଙ୍କୁ ଯୁଦ୍ଧ କରିବା ପାଇଁ ଆହ୍ବାନ ଦେଇଥିବା ଦେଖାଯାଇଛି। ଟ୍ବିଟରେ ସେ ପୁଟିନଙ୍କ ସହ ଦ୍ବନ୍ଦ୍ବ ଯୁଦ୍ଧ କରିବାକୁ କହିଥିବା ଦେଖାଯାଇଛି। ଟ୍ବିଟରେ ଲେଖାଯାଇଛି ଯେ, ମୁଁ ଭ୍ଲାଦିମିର ପୁଟିନଙ୍କୁ ଦ୍ବନ୍ଦ୍ବ ଯୁଦ୍ଧ ପାଇଁ ଚ୍ୟାଲେଞ୍ଜ କରୁଛି। ପୁଟିନଙ୍କର ବ୍ୟକ୍ତିଗତ ଟ୍ବିଟର ଆକାଉଣ୍ଟ ନଥିବା ବେଳେ ‌ଏଲନ ମସ୍କ ରୁଷିଆର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଅଧିକାରୀକ ଟ୍ବିଟର ହ୍ୟାଣ୍ଡେଲକୁ ଟ୍ୟାଗ୍ କରି ଲଢ଼ିବାକୁ ରାତି କି? ବୋଲି ପ୍ରଶ୍ନ କରିଛନ୍ତି ମସ୍କ।

ତେବେ ଏମଧ୍ୟରେ ଯୁଦ୍ଧକୁ ଶେଷ କରିବା ପାଇଁ ଆଜି ଦୁଇ ଦେଶ ମଧ୍ୟରେ ଚତୁର୍ଥ ରାଉଣ୍ଡ ଆଲୋଚନା ଚାଲିଛି। ଉଭୟ ଦେଶ ମଧ୍ୟରେ ଏହି ବାର୍ତ୍ତାଳାପ ଭର୍ଚୁଆଲ୍ ମୋଡରେ କରାଯାଉଥିବା ଜଣାପଡ଼ିଛି। ବର୍ତ୍ତମାନ ପର୍ଯ୍ୟନ୍ତ ତିନି ରାଉଣ୍ଡ ଆଲୋଚନା ବିଫଳ ହୋଇଥିବା ବେଳେ ଚତୁର୍ଥ ରାଉଣ୍ଡ ପରେ କ’ଣ ଫଳାଫଳ ଆସିବ, ଏହା ଉପରେ ସମସ୍ତଙ୍କ ନଜର ରହିଛି।

ଆଲୋଚନା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହଯୋଗୀ ମାଇଖାଇଲୋ ପୋଡୋଲିକ କହିଥିଲେ ଯେ ଭିଡିଓ କନଫରେନ୍ସ ମାଧ୍ୟମରେ ପୁଣିଥରେ ଆଲୋଚନା ହେବ। ଅନେକ ସମସ୍ୟା ଉପରେ ନିରନ୍ତର ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି। ଏହାପୂର୍ବରୁ ତୁର୍କୀର ଆଣ୍ଟାଲିଆ ସହରରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ତ୍ରିପାକ୍ଷିକ ବୈଠକ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ ଏବଂ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଡିମିଟ୍ରୋ କୁଲେବାଙ୍କ ମଧ୍ୟରେ ହୋଇଥିଲା। ଦୁଇ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନା‌ ପରେ ବି ସମସ୍ୟାର ସମାଧାନ ହୋଇପାରିନଥିଲା।

ଏହି ବୈଠକ ପରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଡିମିଟ୍ରୋ କୁଲେବା କହିଥିଲେ ଯେ ରୁଷର ବୈଦେଶିକ ମନ୍ତ୍ରୀ ଲାଭ୍ରୋଭଙ୍କ ସହ ଚୁକ୍ତି କରିବା ଅତ୍ୟନ୍ତ କଷ୍ଟକର। ଆଲୋଚନା ସମୟରେ ଅସ୍ତ୍ରବିରତି ଉଲ୍ଲଂଘନ ଉପରେ କୌଣସି ଆଲୋଚନା ହୋଇନଥିଲା। ରୁଷର ପ୍ରତ୍ୟେକ ଚାହିଦା ପୂରଣ କରିବା ଆମର ଉଦ୍ଦେଶ୍ୟ ନୁହେଁ। ତେବେ ଆଜିର ବୈଠକ ପରେ କୌଣସି ସମାଧାନର ବାଟ ବାହାରୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର