ଅବସରପ୍ରାପ୍ତ ଏସିପିଙ୍କ ଅଭିଯୋଗ: ମିଥ୍ୟା ଡ୍ରଗ୍ସ ମାମଲାରେ ମୋ ପୁଅକୁ ଫସାଇଛନ୍ତି ଏନସିବି ମୁଖ୍ୟ ସମୀର ୱାଙ୍ଖେଡେ

ମୁମ୍ବାଇ: ଦିନକୁ ଦିନ ବିବାଦରେ ଛନ୍ଦି ହେବାରେ ଲାଗିଛନ୍ତି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ମୁଖ୍ୟ ସମୀର ୱାଙ୍ଖେଡେ। ପୂର୍ବରୁ ତାଙ୍କର ବ୍ୟକ୍ତିଗତ ଏବଂ ପେସାଦାର ଜୀବନକୁ ନେଇ ଅନେକ ପ୍ରଶ୍ନ ଉଠିଥିବା ବେଳେ ଏବେ ମୁମ୍ବାଇର ଜଣେ ଅବସରପ୍ରାପ୍ତ ଏସିପି ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସମୀର ୱ‌ାଙ୍ଖେଡେ ମିଥ୍ୟା ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଶ୍ରେୟସକୁ ଫସାଇଥିବ‌ା କହିଛନ୍ତି ଅବସରପ୍ରାପ୍ତ ଏସିପି ଅନନ୍ତ କେଞ୍ଜଲେ। ଏଥିପାଇଁ ସେ ଏକ ଆଫିଡେଭିଟ ଦାଖଲ କରିଛନ୍ତି।

ଆଫିଡେଭିଟରେ ସେ କହିଛନ୍ତି ଯେ, ପୁଅ ଗିରଫ ପରେ ସେ ଅନେକ ଥର ପଞ୍ଚନାମା ମାଗିଥିଲେ ‌ବି ଏନସିବିର କୌଣସି ଅଧିକାରୀ ତାଙ୍କୁ ଦେଇନଥିଲେ। ଏହା ପରେ ସେ ଏନେଇ ଏନସିବିକୁ ଏକ ମେଲ୍ ପଠାଇଥିଲେ। କିଛି ସମୟରେ ତାଙ୍କ ପୁଅ ଶ୍ରେୟସ ତାଙ୍କ ଫୋନ କରି କହିଥିଲେ ଯେ, ବାପା ଆପଣଙ୍କୁ ମେଲ୍ ପଠାଇବାର ନଥିଲା। କାରଣ ଏମାନେ ଏବେ ମୋ ବିରୋଧରେ ବଡ଼ ମାମଲା ରୁଜୁ କରିପାରନ୍ତି।

ଅନ୍ୟପକ୍ଷରେ ଅଭିଯୁକ୍ତ ଶ୍ରେୟସ କେଞ୍ଜଲେ କୋର୍ଟଙ୍କୁ କହିଛନ୍ତି ଯେ, ଗିରଫ ସମୟରେ ସମୀର ୱାଙ୍ଖେଡେ ଉପସ୍ଥିତ ଥିଲେ, କିନ୍ତୁ ଏହା ପଞ୍ଚନାମାରେ ଲେଖା ହୋଇନାହିଁ। ନିଜ ଦାବିକୁ ସତ ବୋଲି ପ୍ରମାଣ କରିବା ପାଇଁ ଶ୍ରେୟସ ତାଙ୍କ ଆପାର୍ଟମେଣ୍ଟର ସିସିଟିଭି ଫୁଟେଜ ଯାଞ୍ଚ ପାଇଁ କହିଛନ୍ତି। ସେ କହିଛନ୍ତି ଯେ, ମୁଁ ଗିରଫ ହେବା ଦିନ ରାତି ପ୍ରାୟ ୯.୪୭ରେ ସମୀର ୱାଙ୍ଖେଡେ ମୋ ଆପାର୍ଟମେଣ୍ଟକୁ ଆସିଥିଲେ ଏବଂ ୧୦.୫୦ରେ ବାହାରିଥିଲେ। ହେଲେ ଏକଥା ପଞ୍ଚନାମାରେ ଲେଖାଯାଇନାହିଁ। ଏନେଇ ଶ୍ରେୟସ ପ୍ରଶ୍ନ କରିବା ସହ ଯାଞ୍ଚ ପାଇଁ କୋର୍ଟକୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଶ୍ରେୟସଙ୍କୁ ଏନସିବି ଚଳିତ ବର୍ଷ ଜୁନ୍ ୨୨ତାରିଖ ସନ୍ଧ୍ୟା ୮ଟା ସମୟରେ ଏନଡିପିଏସ ଅଧିନିୟମର ଧାରା ୮(ସି), ୨୦(ବି) (ଆଇଆଇ) (ଏ), ୨୨(ସି), ୨୭, ୨୭ଏ, ୨୮ଏବଂ ୨୯ଅନୁଯାୟୀ ଗିରଫ କରାଯାଇଥିଲା। ତାଙ୍କ ନିକଟରୁ ୩୦୦ଗ୍ରାମର ଗଞ୍ଜେଇ ଜବତ କରାଯାଇଥିବା କହିଥିଲା ଏନସିବି।

 

ସମ୍ବନ୍ଧିତ ଖବର