ହରିୟାଣା ବିଧାନସଭା ନିର୍ବାଚନ: ୭୮ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

୮୦% ବିଧାୟକ କୋଟିପତି, ୧୦ଜଣଙ୍କ ବିରୋଧରେ ଅପରାଧିକ ମାମଲା

ନୂଆଦିଲ୍ଲୀ: ଆସନ୍ତାମାସ ୨୧ ତାରିଖରେ ହରିୟାଣା ବିଧାନସଭା ପାଇଁ ହେବାକୁ ଥିବା ନିର୍ବାଚନ ନିମନ୍ତେ ବିଜେପି ଆଜି ପ୍ରଥମ ପର୍ଯ୍ୟାୟରେ ୭୮ ଆସିନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏମାନଙ୍କ ମଧ୍ୟରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ସମେତ ଅନ୍ୟମାନଙ୍କ ନାମ ରହିଛି। ଶ୍ରୀ ଖଟ୍ଟର କର୍ନଲରୁ ନିର୍ବାଚନ ଲଢ଼ିବାକୁ ଥିବାବେଳେ କୁସ୍ତିଯୋଦ୍ଧା ବବିତା ଫୋଗତ ଦାଦ୍ରିରୁ, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସନ୍ଦୀପ ସିଂହ ପେହୋୱାରୁ ଏବଂ ଅଲିମ୍ପିକ୍ ପଦକ ବିଜେତା ଯୋଗେଶ୍ବର ଦତ୍ତ ବରୋଦା ଆସନରୁ ନିର୍ବାଚନ ଲଢ଼ିବେ। ଏଥିସହିତ ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଦଳ ୩୮ ଜଣ ଏମଏଲଏଙ୍କୁ ଏଥର ଟିକଟ ଦେଇଥିବାବେଳେ ୭ ଏମଏଲଏଙ୍କୁ ଟିକଟ ଦେଇନାହିଁ। ଘୋଷିତ ତାଲିକାରେ ୯ ଜଣ ମହିଳାଙ୍କୁ ଏବଂ ଦୁଇ ଜଣ ମୁସଲିମଙ୍କୁ ପ୍ରାର୍ଥୀ କରାଯାଇଛି। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଗତକାଲି ଏହି ନିଷ୍ପତ୍ତି ନିଆଯାଇଛି।

୮୦% ବିଧାୟକ କୋଟିପତି, ୧୦ଜଣଙ୍କ ବିରୋଧରେ ଅପରାଧିକ ମାମଲା
ନୂଆଦିଲ୍ଲୀ : ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭା ପାଇଁ ଆସନ ୨୧ ତାରିଖରେ ନିର୍ବାଚନ ହେବ ଏବଂ ୨୪ରେ ଫଳାଫଳ ପ୍ରକାଶ ପାଇବ। ‌ତେବେ ଏବେ ଥିବା ୯୦ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୭୫ ଜଣ ବିଧାୟକ କୋଟିପତି ବୋଲି ଜଣାପଡ଼ିଛି। ୪୮ ବିଜେପି ବିଧାୟକଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୧୦.୩୪ ‌କୋଟି, ୮ ଆଇଏନ୍‌ଏଲଡି ବିଧାୟକଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୩.୬୩ କୋଟି, ୧୫ କଂଗ୍ରେସ ବିଧାୟକଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୨.୪୩ କୋଟି ଏବଂ ୨ ଜଣ ହରିୟାଣା ଜନହିତ କଂଗ୍ରେସ (ବିଏଲ୍‌) ବିଧାୟକଙ୍କ ସମ୍ପତ୍ତିର ମୂଲ୍ୟ ୮୦.୧୨ କୋଟି, ୫ ସ୍ବାଧୀନ ବିଧାୟକଙ୍କ ସମ୍ପତ୍ତିର ମୂଲ୍ୟ ୧୩.୯୩ କୋଟି ଟଙ୍କା ହେବ ବୋଲି ଏଡିଆର ରିପୋର୍ଟରେ କୁହାଯାଇଛି। ୯୦ ବିଧାୟକଙ୍କ ମଧ୍ୟରୁ ୧୦ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ବି‌ରୋଧରେ ଗୁରୁତର ଅପରାଧିକ ମାମଲା ରହିଛି। ୨୦୧୪ ବିଧାନସଭା ନିର୍ବାଚନରେ ବିଧାୟକଙ୍କ ଦ୍ବାରା ପ୍ରାର୍ଥିପତ୍ର ଦାଖଲ ସମୟରେ ଦେଇଥିବା ସତ୍ୟପାଠ ଆଧାରରେ ଏଡିଆର ଏହି ରିପୋର୍ଟ ପ୍ରସ୍ତୁତ କରିଛି।

ଖଟ୍ଟରଙ୍କ ବିରୋଧରେ ଲଢ଼ିବେ ବହିଷ୍କୃତ ବିଏସଏଫ୍‌ ଯବାନ
ଚଣ୍ଡିଗଡ଼: ବହିଷ୍କୃତ ବିଏସଏଫ୍‌ ଯବାନ ତେଜ ବାହାଦୁର ଯାଦବ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। କର୍ନଲ୍‌ ବିଧାନସଭା ଆସନରୁ ସେ ଖଟ୍ଟରଙ୍କ ବିରୋଧରେ ପ୍ରାର୍ଥୀ ହେବେ। ଗତକାଲି ଜେ‌ଜେପି (ଜନନାୟକ ଜନତା ଦଳ)ରେ ଯୋଗ ଦେଇଥିବା ତେଜବାହାଦୁର ଗତ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବାରଣା‌ସୀରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ଶେଷ ମୁହୁର୍ତ୍ତରେ ତାଙ୍କ ପ୍ରାର୍ଥୀପତ୍ର ରଦ୍ଦ କରାଯାଇଥିଲା।

ସମ୍ବନ୍ଧିତ ଖବର