ବନ୍ୟା ପ୍ରପୀଡ଼ିତ ବେଙ୍ଗାଲୁରୁରେ ହୋଟେଲ୍‌ ରୁମ୍‌ ଭଡ଼ା ମାତ୍ରାଧିକ ବୃଦ୍ଧି: ରାତିକ ପାଇଁ ୩୦ରୁ ୪୦ ହଜାର ଟଙ୍କା

ବେଙ୍ଗାଲୁରୁ: ଭୀଷଣ ବୃଷ୍ଟିପାତଜନିତ ବନ୍ୟା ପରିସ୍ଥିତି ଯୋଗୁଁ ବେଙ୍ଗାଲୁରୁରେ ହୋଟେଲ୍‌ ରୁମ୍‌ ପାଇଁ ଚାହିଦା ବୃଦ୍ଧି ପାଇବା ସହ ରୁମ୍‌ ଭଡ଼ା ବି ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି।

ଏଲ୍‌. ବି. ଶାସ୍ତ୍ରୀ ନଗରରେ ଥିବା ବହୁ ଆପାର୍ଟମେଣ୍ଟ୍‌ ଭଳି ସହରର ବହୁ ଅଞ୍ଚଳରେ ଥିବା ଜଳପ୍ଳାବିତ ଆପାର୍ଟମେଣ୍ଟ୍‌କୁ ଜଳ ଓ ବିଜୁଳି ଯୋଗାଣ ବ୍ୟାହତ ହୋଇଥିବାରୁ ଅନେକ ପରିବାର ହୋଟେଲ୍‌ରେ ରହିବାକୁ ଚାଲିଆସୁଛନ୍ତି। ଚାହିଦା ବଢୁଥିବା ଦେଖି ହୋଟେଲ୍‌ଗୁଡ଼ିକ ମଧ୍ୟ ସେମାନଙ୍କ ଭଡ଼ା ଦର ବୃଦ୍ଧି କରିଛନ୍ତି। ସାଧାରଣ ହୋଟେଲ୍‌ଗୁଡ଼ିକର ରୁମ୍‌ ଭଡ଼ା ଏବେ ରାତିକ ପାଇଁ ହାରାହାରି ୩୦ରୁ ୪୦ ହଜାର ଟଙ୍କା ପଡୁଛି। ଯାହା ପୂର୍ବରୁ ୧୦ରୁ ୨୦ ହଜାର ଟଙ୍କାରେ ସୀମିତ ଥିଲା।

ବନ୍ୟା ପ୍ଳାବିତ ହ୍ବାଇଟ୍‌ଫିଲ୍‌ଡ୍‌, ଆଉଟର୍‌ ରିଙ୍ଗ୍‌ ରୋଡ୍‌, ଓଲ୍‌ଡ୍‌ ଏୟାର୍‌ପୋର୍ଟ ରୋଡ୍‌ ଏବଂ କ‌ୋରାମଙ୍ଗଳା ଅଞ୍ଚଳରେ ଥିବା ସବୁ ହୋଟେଲ୍‌ ରୁମ୍‌ ଶୁକ୍ରବାର ପର୍ଯ୍ୟନ୍ତ ବୁକ୍‌ ହୋଇସାରିଛି।

Image Courtesy of Flipboard

କିନ୍ତୁ, ବନ୍ୟା ଅଞ୍ଚଳରେ ଥିବା ‘ଓୟୋ’ ‌ରୁମ୍‌ ସବୁ ଅପେକ୍ଷାକୃତ ଶସ୍ତା ରହିଛି। ସ୍ଥାନ ବିଶେଷ ଅନୁସାରେ, ରାତିକପିଛା ‘ଓୟୋ’ ରୁମ୍‌ଗୁଡ଼ିକର ଦର ୧୦୦୦ଟଙ୍କା, ୧,୨୦୦ ଟଙ୍କା ଓ ୧୩୦୦ ଟଙ୍କା ରହିଛି।

ଏହାଛଡ଼ା, ଆଗାମୀ ୫ ଦିନ ଧରି ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ, ରେଡ୍‌ ଆଲର୍ଟ ଜାରି କରାଯିବା ସହିତ ଗ୍ରାଉଣ୍ଡ୍‌ ଫ୍ଲୋର୍‌ରେ ରହୁଥିବା ବ୍ୟକ୍ତିମାନଙ୍କୁ ସତର୍କତା ଅବଲମ୍ବନ କରିବା କିଂବା ନିରାପଦ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର