ବାଲେଶ୍ୱରରୁ ୧୩୮୦ ଗ୍ରାମ୍ ବ୍ରାଉନସୁଗାର ଜବତ: ଅଭିଯୁକ୍ତ ଗିରଫ

ବାଲେଶ୍ୱର: ବାଲେଶ୍ୱରରୁ ପୁଣି ବ୍ରାଉନସୁଗାର ଜବତ ହୋଇଛି। ସହରର ଅରଡ଼ ବଜାର ଅଞ୍ଚଳରେ ଭୁବନେଶ୍ବର ଏସଟିଏଫ୍ ଓ ବାଲେଶ୍ୱର ପୁଲିସ ମିଳିତ ଭାବେ ଚଢ଼ାଉ କରି ୧୩୮୦ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରିଛି। ଚଢ଼ାଉ ବେଳେ ନିଶା ମାଫିଆ ସେକ୍ ରଫିକ୍ ଓରଫ୍ ରୁଗାକୁ ଗିରଫ କରାଯାଇଛି।

ଗୁପ୍ତଚର ସୂଚନା ପାଇ ଭୁବନେଶ୍ବର ଏସଟିଏଫ୍ ଓ ବାଲେଶ୍ୱର ପୁଲିସ ପକ୍ଷରୁ ମିଳିତ ଭାବେ ବାଲେଶ୍ୱର ସହରର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ ବଜାରର ମସଜିଦଗଳିରେ ଚଢ଼ାଉ କରାଯାଇଥିଲା। ସେଠାରୁ ୧୩୮୦ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯାଇଥିଲା। ଘଟଣାସ୍ଥଳରୁ ନିଶା ମାଫିଆ ସେକ୍ ରଫିକ୍ ଓରଫ୍ ରୁଗାକୁ ଗିରଫ କରାଯାଇଥିଲା।। ଅଭିଯୁକ୍ତ ରୁଗାର ଘର ପଶ୍ଚିମବଙ୍ଗର ପଞ୍ଚକୁଲାରେ ବୋଲି ଜଣାଯାଇଛି। ଅଭିଯୁକ୍ତ ସେକ୍ ରଫିକକୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ସେକ୍ ରଫିକ ନାଆଁରେ ବାଲେଶ୍ୱରରେ ତିନିଟି ନିଶାଦ୍ରବ୍ୟ ସଂପର୍କୀତ ଅପରାଧିକ ମାମଲା ରହିଛି।

ଏସଟିଏଫ ଏସପି କେ. କେ ପାଣିଗ୍ରାହୀ କହିଛନ୍ତି, ଅଭିଯୁକ୍ତ ନାମରେ ପୂର୍ବରୁ ୩ଟି ମାମଲା ରହିଛି। ବ୍ରାଉନସୁଗାର କାରବାର କରିବା ଅଭିଯୋଗରେ ଗିରଫ ହୋଇଥିଲା ଅଭିଯୁକ୍ତ। ଏବେ ଜାମିନରେ ଆସିବା ପରେ ପୁଣି ଚଳାଇଥିଲା ଏହି ଧନ୍ଦା। ଗିରଫ ଅଭିଯୁକ୍ତ ମୁର୍ସିଦାବାଦରୁ ବ୍ରାଉନସୁଗାର ଆଣି ବେପାର କରେ। ଏହି ଲିଙ୍କରେ କେଉଁମାନେ ଅଛନ୍ତି ସେ ନେଇ ତଦନ୍ତ ଚାଲିଛି। ବ୍ରାଉନସୁଗାର କାରବାରକୁ ନିୟନ୍ତ୍ରଣ କରିବା ପାଇଁ ୨୦୨୦ରୁ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିଥିଲା ଏସଟିଏଫ।

ଉଲ୍ଲେଖଯୋଗ୍ୟ, ୨୦୨୦ରୁ ଏଯାବତ୍ ଏସଟିଏଫ୍  ୫୭ କିଲୋଗ୍ରାମରୁ ଅଧିକ ବ୍ରାଉନସୁଗାର, ୨୦୨ଗ୍ରାମ କୋକେନ ଓ ୧୧୧ କୁଇଣ୍ଟାଲ ଗଂଜେଇ ଜବତ କରିଛି। ଏଭଳି ମାମଲାରେ ୧୫୮ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର