ଭାରତୀୟ ବିମାନ ଅପହରଣକାରୀ ମିସ୍ତ୍ରୀ ଜହୁର୍‌ ଇବ୍ରାହିମ୍‌ଙ୍କୁ କରାଚିରେ ଗୁଳି ମାରି ହତ୍ୟା କରାଯାଇଛି: ସରକାରୀସୂତ୍ର

ନୂଆଦିଲ୍ଲୀ: ୧୯୯୯ରେ କାଠମାଣ୍ଡୁରୁ ନୂଆଦିଲ୍ଲୀ ଆସୁଥିବା ଭାରତୀୟ ଏୟାର୍‌ଲାଇନ୍‌ସ୍‌ର ବିମାନ ‘ଆଇସି-୮୧୪’ ବିମାନକୁ ଅପହରଣ କରି ନେଇଥିବା ଅନ୍ୟତମ ଅପହରଣକାରୀ ମିସ୍ତ୍ରୀ ଜହୁର୍‌ ଇବ୍ରାହିମ୍‌ଙ୍କୁ ପାକିସ୍ତାନର କରାଚିରେ ଗୁଳି ମାରି ହତ୍ୟା କରାଯାଇଥିବା କଥା ସରକାରୀସୂତ୍ରରୁ ଜଣାପଡ଼ିଛି।

ଦୀର୍ଘ ବର୍ଷ ଧରି ‘ଜାହିଦ୍‌ ଅଖୁନ୍ଦ୍‌’ ବୋଲି ମିଥ୍ୟା ପରିଚିତିରେ ବାସ କରୁଥିବା ‘ଜୈଶ୍‌-ଏ-ମହମ୍ମଦ୍‌’ର ଆତଙ୍କବାଦୀ ମିସ୍ତ୍ରୀଙ୍କୁ ମାର୍ଚ ୧ ତାରିଖ ଦିନ କରାଚିର ଅଖତର୍‌ ‌କଲୋନିରେ ଅଜ୍ଞାତ ବନ୍ଧୁକଧାରୀମାନେ ଅତି ନିକଟରୁ ଦୁଇଥର ଗୁଳି ମାରି ହତ୍ୟା କରିଛନ୍ତି।

କରାଚିର ଅଖ୍‌ତର୍‌ କଲୋନି ମଧ୍ୟରେ ଅବସ୍ଥିତ ‘କ୍ରିସେଣ୍ଟ୍‌ ଫର୍ଣ୍ଣିଚର୍‌’ର ମାଲିକ ଥିଲେ ମିସ୍ତ୍ରୀ। ପ୍ରାପ୍ତ ସୂଚନା ଅନୁସାରେ, କରାଚିରେ ଆୟୋଜିତ ଅଖୁନ୍ଦ (ମିସ୍ତ୍ରୀଙ୍କ ଛଦ୍ମନାମ) ଶବଯାତ୍ରାରେ ‘ଜୈଶ୍‌-ଏ-ମହମ୍ମଦ୍‌’ର କାର୍ଯ୍ୟକାରୀ ମୁଖ୍ୟ ତଥା ମସୁଦ୍‌ ଆଝାରଙ୍କ ଭାଇ ‌ରୌଫ୍‌ ଅସ୍‌ଗର୍‌ ଯୋଗ ଦେଇଥିଲେ।

Image Courtesy of Mysuru Today

ଉଲ୍ଲେଖଯୋଗ୍ୟ, ୧୯୯୯ ମସିହା ଡିସେମ୍ବର ୨୪ ତାରିଖ ଦିନ ଇଣ୍ଡିଆନ୍‌ ଏୟାର୍‌ଲାଇନ୍‌ସ୍‌ର ବିମାନ ‘ଆଇସି-୮୧୪’ ୫ଜଣ ଆତଙ୍କବାଦୀ ଅପହରଣ କରି ନେଇଥିଲେ। ଉକ୍ତ ବିମାନରେ ୧୭୯ଜଣ ଯାତ୍ରୀ ଏବଂ ୧୧ଜଣ ପରିଚାରକ ଥିଲେ। ସେତେବେଳେ ତାଲିବାନ ନିୟନ୍ତ୍ରଣରେ ଥିବା ଆଫଗାନିସ୍ତାନର କନ୍ଧାରରେ ଅଟକିବା ପୂର୍ବରୁ ଅମୃତସର, ଲାହୋର ଏବଂ ଦୁବାଇ ଦେଇ ଦୀର୍ଘ ସମୟ ଯାତ୍ରା କରିଥିଲା।

ଅପହରଣକାରୀମାନେ ୨୫ ବର୍ଷିୟ ରୁପିନ୍‌ କାତ୍ୟାଲ୍‌ ନମକ ଜଣେ ଯାତ୍ରୀଙ୍କୁ ହତ୍ୟା କରିଥିଲେ। ଶେଷରେ ପଣବନ୍ଦୀ ଥିବା ଉକ୍ତ ବିମାନର ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ସନ୍ଧି କରାଯିବା ପରେ ୧୯୯୯ ମସିହା ଡିସେମ୍ବର ୩୧ ତାରିଖ ଦିନ ଭାରତୀୟ କାରାଗାରମାନଙ୍କରୁ ଦୁର୍ଦ୍ଦାନ୍ତ ଇସ୍‌ଲାମିଷ୍ଟ୍‌ ଆତଙ୍କବାଦୀ ମାସୁଦ ଆଝାର ଅଲୱି, ସୟେଦ୍‌ ଓମାର ଶେଖ୍‌ ଏବଂ ମୁସ୍ତାକ୍‌ ଅହମଦ୍‌ ଜାର୍ଗର୍‌ଙ୍କୁ ଛଡ଼ାଯାଇଥିଲା।

ସମ୍ବନ୍ଧିତ ଖବର