ହସ୍ପିଟାଲର ଅପରିଚ୍ଛନ୍ନ ଶଯ୍ୟାରେ ଭିସିଙ୍କୁ ଶୋଇବାକୁ ବାଧ୍ୟ କଲେ ମନ୍ତ୍ରୀ

ଫରିଦକୋଟ: ପଞ୍ଜାବ ସ୍ବାସ୍ଥ୍ୟମନ୍ତ୍ରୀ ଚେତନ ସିଂହ ଜୋରେମାଜ୍ରା ଏକ ପରିଦର୍ଶନରେ ଯାଇଥିବା ବେଳେ ଫରିଦକୋଟ ଭେଷଜ ବିଶ୍ବବିଦ୍ୟାଳୟ କୁଳପତି ଡ. ରାଜ ବାହାଦୁରଙ୍କୁ ‌ରୋଗୀଙ୍କ ଅପରିଚ୍ଛନ୍ନ ଶଯ୍ୟାରେ ଶୋଇବା ପାଇଁ ବାଧ୍ୟ କରିବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହାର ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ବିରୋଧୀ ଦଳ ପକ୍ଷରୁ ଉକ୍ତ ଫଟୋକୁ ସେୟାର କରାଯିବା ସହ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସମାଲୋଚନା କରାଯାଇଛି।

ଏହି ଘଟଣା ପ‌ରେ କୁଳପତି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଉକ୍ତ ବିଶ୍ବବିଦ୍ୟାଳୟଟି ପଞ୍ଜାବର ଫରିଦକୋଟ ଜିଲ୍ଲାରେ ଅବସ୍ଥିତ। ଏହି ଘଟଣା ସ୍ବାସ୍ଥ୍ୟସେବା ସହ ଜଡ଼ିତ ଡାକ୍ତର, କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଛି। ପଞ୍ଜାବ ସିଭିଲ ମେଡିକାଲ ସର୍ଭିସେସ୍ ଆସୋସିଏସନ (ପିସିଏମ୍‌ଏସ୍‌ଏ)ର ଡ. ଅଖିଳ ସାରିନ ଏକ ବିବୃତିରେ କୁଳପତିଙ୍କ ପ୍ରତି ଏପରି ବ୍ୟବହାରକୁ ତୀବ୍ର ନିନ୍ଦା କରିଛନ୍ତି। କାରଣ ଯାହା ବି ହେଉନା କାହିଁକି କୁଳପତିଙ୍କ ପ୍ରତି ଏପରି ବ୍ୟବହାର କରିବା ଉଚିତ ହୋଇନାହିଁ। ବିରୋଧୀ ଦଳ ପକ୍ଷରୁ ମଧ୍ୟ ଏହାର ନିନ୍ଦା କରାଯାଇଛି। ଡ. ରାଜ ବାହାଦୁର ହେଉଛନ୍ତି ଜଣେ ଖ୍ୟାତନାମା ସ୍ପାଇନ୍ ସର୍ଜନ। ମନ୍ତ୍ରୀ ତାଙ୍କୁ ଏପରି ବ୍ୟବହାର କରି ନିଜ ପଦମର୍ଯ୍ୟାଦାର ଉଲ୍ଲଂଘନ କରିଛନ୍ତି। କୁଳପତି କେବଳ ରାଜ୍ୟପାଳଙ୍କ ପାଖରେ ଉତ୍ତରଦାୟୀ, ଅନଭିଜ୍ଞ ମନ୍ତ୍ରୀଙ୍କ ପାଖରେ ନୁହେଁ ବୋଲି କଂଗ୍ରେସର ପୱନ କୁମାର ବନସଲ ଟ୍ବିଟ୍ କରିଛନ୍ତି।

ସମ୍ବନ୍ଧିତ ଖବର