ଧାର୍ଯ୍ୟ କକ୍ଷପଥରେ ୧୯ ଉପଗ୍ରହକୁ ସ୍ଥାନିତ କଲା ଇସ୍ରୋ

ଇ-ଗୀତା, ମୋଦୀଙ୍କ ଫଟୋ ମଧ୍ୟ ମହାକାଶକୁ ଗଲା

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ରବିବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଵନ ମହାକାଶ କେନ୍ଦ୍ରରୁ ୨୦୨୧ ମସିହାର ପ୍ରଥମ ତଥା ୫୩ତମ ପିଏସ୍‌ଏଲ୍‌ଭି ରକେଟ୍‌ର ଉତ୍‌କ୍ଷେପଣ ସଫଳତାର ସହ ସଂପନ୍ନ ହୋଇଛି। ପୂର୍ବାହ୍ନ ୧୦ଟା ୨୪ରେ ଭୂପୃଷ୍ଠ ଛାଡ଼ିଥିବା ଏହି ରକେଟ୍‌ ୧୯ଟି କୃତ୍ରିମ ଉପଗ୍ରହକୁ ସେମାନଙ୍କର ନିର୍ଦ୍ଧାରିତ କକ୍ଷପଥମାନଙ୍କରେ ମଧ୍ୟ ସ୍ଥାନିତ କରିଛି।

ପିଏସ୍‌ଏଲ୍‌ଭି-ସି୫୧ ରକେଟ୍‌ ପରିବହନ କରିଥିବା ସଂପୃକ୍ତ ଉପଗ୍ରହଗୁଡ଼ିକ ମଧ୍ୟରେ ବ୍ରାଜିଲ୍‌ର ୬୩୭ କେଜି ଓଜନ ବିଶିଷ୍ଟ ଭୂନିରୀକ୍ଷଣ ଉପଗ୍ରହ ଆମାଜୋନିଆ-୧ ସମେତ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନମାନଙ୍କ ଦ୍ବାରା ପ୍ରସ୍ତୁତ ୩ଟି ଉପଗ୍ରହ, ସ୍ପେସ୍‌ କିଡ୍‌ଜ ଇଣ୍ଡିଆର ଗୋଟିଏ ଓ ଇସ୍ରୋର ନ୍ୟୁସ୍ପେସ୍‌ ଇଣ୍ଡିଆ ଲି.(ଏନ୍‌ଏସ୍‌ଆଇଏଲ୍‌) ନାମକ ପ୍ରଥମ ବ୍ୟାବସାୟିକ ଅଭିଯାନ ଦ୍ବାରା ପ୍ରସ୍ତୁତ ୧୪ଟି ଉପଗ୍ରହ ରହିଛି। ଏଥି ସହିତ ଏସ୍‌ଡି କାର୍ଡରେ ସୁରକ୍ଷିତ ଥିବା ଭଗବତ ଗୀତାର ଏକ ଇ-କପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଖୋଦେଇ ପ୍ରତିଛବିକୁ ମଧ୍ୟ ଉକ୍ତ ରକେଟ ପରିବହନ କରିଥିଲା।

ସମ୍ବନ୍ଧିତ ଖବର