ଜୈସ୍‌ର ୨୫ କମାଣ୍ଡର ନିପାତ: ମସୁଦ୍‌କୁ ଲୁଚାଇ ରଖିଛି ପାକ୍‌ ସେନା

୪୨ ପ୍ରଶିକ୍ଷିତ ଆତ୍ମଘାତୀ ନିପାତ

ନୂଆଦିଲ୍ଲୀ: ପାକିସ୍ତାନରେ ଭାରତୀୟ ବାୟୁସେନା କରିଥିବା ବିମାନ ଆକ୍ରମଣରେ ଆତଙ୍କବାଦୀ ସଂଗଠନ ଜୈସ୍‌ର ୨୫ ଜଣ କମାଣ୍ଡର ନିପାତ ହୋଇଛନ୍ତି। ଏହି କମାଣ୍ଡରମାନେ ବାଲାକୋଟ୍‌ ସ୍ଥିତ ଜୈସ୍‌ର ସବୁଠାରୁ ବଡ଼ ଶିବିରରେ ଥିଲେ ଏବଂ ଭାରତର ଆକ୍ରମଣରେ ଏହି ବିଶାଳ ଶିବିର ମାଟିରେ ମିଶିଯାଇଛି । ବାୟୁସେନା ଏବଂ ଗୁଇନ୍ଦା ତଥ୍ୟକୁ ଆଧାର କରି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ୍‌ ଏ ସମ୍ପର୍କିତ ତଥ୍ୟ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍‌ ବୈଠକରେ ରଖିଛନ୍ତି। ବାଲାକୋଟରେ ଜୈସ୍‌ର କମାଣ୍ଡ୍‌ ସେଣ୍ଟର, ଯୁଦ୍ଧ ତାଲିମ ପ୍ରତିଷ୍ଠାନ, ବିସ୍ଫୋରକ ପରୀକ୍ଷାଗାର, ଅସ୍ତ୍ରାଗାର, ଶୀତତାପ ନିୟନ୍ତ୍ରିତ କାର୍ଯ୍ୟାଳୟ, ଆତଙ୍କବାଦୀ ତାଲିମ କେନ୍ଦ୍ର ଏବଂ ବାରାକ୍‌ ସଂପୂର୍ଣ୍ଣ ଧ୍ବଂସ କରିଦିଆଯାଇଛି। ଜୈସ୍‌ର ଏହି ବିଶାଳ ପ୍ରତିଷ୍ଠାନ ପାକିସ୍ତାନ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହାୟତାରେ ସ୍ଥାପନ କରାଯାଇଥିଲା। ତେବେ ଜୈସ୍‌ ମୁଖ୍ୟ ମସୁଦ୍‌ ଆଝାରକୁ ଏବେ ପାକିସ୍ତାନ ସେନା ନିଜର ସୁରକ୍ଷା ବଳୟ ମଧ୍ୟରେ ବାହାବଳପୁରର କୌଣସି ଅଜ୍ଞାତ ସ୍ଥାନରେ ରଖିଥିବା ଜଣାପଡ଼ିଛି। ପୁଲୱାମା ଭଳି ଅଧିକ ଆତ୍ମଘାତୀ ଆକ୍ରମଣ ପାଇଁ ଜୈସ୍‌ ବଡ଼ ଯୋଜନା କରିଥିଲା ଏବଂ ଏହାକୁ ସାକାର କରିବା ପାଇଁ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରାଯାଉଥି‌ଲା। ତେବେ ଭାରତର ସମୟୋଚିତ ଆକ୍ରମଣ ଜୈସ୍‌ର ସବୁ ଯୋଜନାକୁ ପଣ୍ଡ ‌କରିଦେଇଛି।

୪୨ ଜଣ ଉଚ୍ଚ ପ୍ରଶିକ୍ଷିତ ଆତ୍ମଘାତୀ(ମାନବ ବୋମା) ନିହତ ହୋଇଛନ୍ତି

 ସୋମବାର ବିଳମ୍ବିତ ରାତିରେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ବାଲାକୋଟ ସ୍ଥିତ ଜୈସ-ଏ-ମହମ୍ମଦର ପ୍ରମୁଖ ଆତଙ୍କବାଦ ତାଲିମ ଶିବିର ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ମର୍କାଜ୍ ସୟଦ ଅହମଦ ସହିଦ ତାଲିମ ଶିବିର ନାମକ ଉକ୍ତ ପ୍ରଶିକ୍ଷଣ କେନ୍ଦ୍ର ଉପରେ ବୋମା ମାଡ଼ ବେଳେ ସେଠାରେ ଅବସ୍ଥାନ କରୁଥିବା ଅତି କମ୍‌ରେ ୪୨ ଜଣ ଉଚ୍ଚ ପ୍ରଶିକ୍ଷିତ ଆତ୍ମଘାତୀ(ମାନବ ବୋମା) ନିହତ ହୋଇଛନ୍ତି। ଜୈସ୍ ମୁଖ୍ୟ ମସୁଦ ଆଝାରର ଶଳା ମହମ୍ମଦ ସଲିମ୍ ଓରଫ ଉସ୍ତାଦ ଘୌରି ଦ୍ବାରା ପରିଚାଳିତ ଉକ୍ତ ଶିବିରରେ ରହି ଭାରତ ଉପରେ ବଡ଼ ଧରଣର ଆକ୍ରମଣ ଯୋଜନା କରୁଥିବା ସଂଗଠନର ୨୫ ଜଣ ଶୀର୍ଷ କମାଣ୍ଡର ମଧ୍ୟ ନିପାତ ହୋଇଛନ୍ତି। ଜୈସର ଏକ ପ୍ରମୁଖ ସକ୍ରିୟ ଲଞ୍ଚିଂ ପ୍ୟାଡ୍ ଭାବେ ବିବେଚିତ ଏହି ବାଲାକୋଟ ଶିବିରରୁ ଯେ କୌଣସି ମୁହୂର୍ତ୍ତରେ ଭାରତ ଉପରେ ଆକ୍ରମଣ କରିବାକୁ ସମୟ ଓ ସୁଯୋଗ ଅପେକ୍ଷାରେ ଥିବା ୩୨୫ରୁ ଅଧିକ ଆତଙ୍କବାଦୀ ଶେଷରେ ଭାରତୀୟ ବାୟୁସେନା ନିଶାଣରୁ ବର୍ତ୍ତିପାରିନାହାନ୍ତି।

ସମ୍ବନ୍ଧିତ ଖବର