ଆନ୍ନା ହଜାରେଙ୍କ ଆମରଣ ଅନଶନ

ଓଡ଼ିଶାରୁ ଯୋଗଦେବେ ୫୦୦ ପ୍ରତିନିଧି

ନୂଆଦିଲ୍ଲୀ: ଲୋକପାଳ ନିଯୁକ୍ତିରେ ସରକାରଙ୍କ ଟାଳଟୁଳ ନୀତିର ପ୍ରତିବାଦ ଏବଂ ଚାଷୀମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ସମେତ ଅନ୍ୟାନ୍ୟ ଦାବି ପୂରଣ ପାଇଁ କରି ଆଜି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ସ୍ଥାନୀୟ ରାମଲୀଳା ମଇଦାନରେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଅପରପକ୍ଷେ, ଆନ୍ଦୋଳନସ୍ଥଳକୁ କୌଣସି ରାଜନୈତିକ ନେତାଙ୍କୁ ପ୍ରବେଶ କରାଇ ଦିଆଯିବନି ଏବଂ ସରକାରଙ୍କ ମୌଖିକ ଆଶ୍ୱାସନରେ ଅନଶନରୁ ସେ ହଟିବେ ନାହିଁ ବୋଲି ଆନ୍ନା ସ୍ପଷ୍ଟ କରିଛନ୍ତି। ଦୁର୍ନୀତିମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ଲୋକପାଳ ନିଯୁକ୍ତି ଏବଂ ଚାଷୀମାନଙ୍କ ସ୍ୱାର୍ଥ ସାଧନ ପାଇଁ ସ୍ୱାମୀନାଥନ୍‌ କମିସନ୍‌ଙ୍କ ସୁପାରିସ ଲାଗୁ କରିବା ପାଇଁ ଆନ୍ନା ଦାବି କରିଆସୁଛନ୍ତି। ପୂର୍ବର ଯୁପିଏ ସରକାର ଆନ୍ନାଙ୍କ ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ମଧ୍ୟ ନିର୍ବାଚନ ପ୍ରଚାର ବେଳେ ଆନ୍ନାଙ୍କୁ ସମର୍ଥନ କରିଥିଲା। ମାତ୍ର ମୋଦି ସରକାରଙ୍କୁ ଏ ବାବଦରେ ୪୨ ଥର ଚିଠି ଲେଖି ମଧ୍ୟ କୌଣସି ସୁଫଳ ନମିଳିିବାରୁ ଆଜିଠାରୁ ଆମରଣ ଅନଶନ କରିବାକୁ ବାଧ୍ୟ ହେଲେ ବୋଲି ଆନ୍ନା କହିଛନ୍ତି। ଆଜିର ଦିନରେ ବ୍ରିଟିଶ ସରକାର ଭଗତ ସିଂହ, ରାଜଗୁରୁ ଏବଂ ସୁଖଦେବଙ୍କ ଭଳି ଦେଶପ୍ରେମୀଙ୍କୁ ଫାଶୀ ଦେଇଥିବାରୁ ଏହି ପବିତ୍ର ଦିବସରୁ ହିଁ ଆନ୍ନା ଆନ୍ଦୋଳନ କରିବାକୁ ପସନ୍ଦ କରିଛନ୍ତି।

ଆଜି ଆନ୍ଦୋଳନ ପୂର୍ବରୁ ଆନ୍ନା ରାଜଘାଟରେ ବାପୁଜୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ଶତାଧିକ ସମର୍ଥକଙ୍କ ସହ ଆନ୍ଦୋଳନସ୍ଥଳ ରାମଲୀଳା ମଇଦାନରେ ପହଞ୍ଚିଥିଲେ। ତାଙ୍କୁ ସମର୍ଥନ ଜଣାଇ ଅନଶନ ସ୍ଥଳରେ ସୁପ୍ରିମରୋର୍ଟର ପୂର୍ବତନ ବିଚାରପତି ତଥା କର୍ଣ୍ଣାଟକର ପୂର୍ବତନ ଲୋକାୟୁକ୍ତ ଏନ୍‌ ସନ୍ତୋଷ ହେଗ୍‌ଡ଼େ, ହରିଆନାର ପୂର୍ବ ଲୋକାୟୁକ୍ତ ପ୍ରୀତମ୍‌ ପାଲ୍‌ ଏବଂ ଜଳମାନବ ରାଜେନ୍ଦ୍ର ସିଂହ ପ୍ରମୁଖ ପହଞ୍ଚିଥିଲେ। ଆସନ୍ତାକାଲି ଓଡ଼ିଶାରୁ ୫୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଆନ୍ଦୋଳନରେ ସାମିଲ ହେବେ ବୋଲି ଆନ୍ଦୋଳନର କୋର୍‌ କମିଟି ସଦସ୍ୟ ତଥା ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର