କିବ୍‌ ଏବେ ୱାର୍‌ଜୋନ୍‌, ରାସ୍ତାଘାଟରେ ଗରିଲା ଲଢ଼େଇ

ଜନବସତି ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ଼, କିବ୍‌ ଛାଡ଼ିବା ପାଇଁ ଆମେରିକା ପ୍ରସ୍ତାବକୁ ରାଷ୍ଟ୍ରପତି ଜେଲେନସ୍କିଙ୍କ ପ୍ରତ୍ୟାଖ୍ୟାନ

କିବ୍‌ : ରୁଷ୍‌ ତୃତୀୟ ଦିନରେ ୟୁକ୍ରେନ୍‌ ଉପ‌ରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ୟୁକ୍ରେନ୍‌ ରାଜଧାନୀ କିବ୍‌ ଅକ୍ତିଆର କରିବା‌ ରୁଷ୍‌ର ପ୍ରମୁଖ ଲକ୍ଷ୍ୟ ଥିବା ବେଳେ ଯେ କୌଣସି ମୂହର୍ତ୍ତରେ କିବ୍‌ର କେନ୍ଦ୍ରାଞ୍ଚଳରେ ରୁଷ୍‌ ସେନା ପହଞ୍ଚିଯିବ ବୋଲି ଜଣାପଡ଼ିଛି । ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତକାଲି ୟୁକ୍ରେନ୍‌ ସେନାକୁ କ୍ଷମତା ଦଖଲ କରିନେବାପାଇଁ ଆହ୍ବାନ ଦେଇଥିଲେ। କଥାବାର୍ତ୍ତା ପାଇଁ ଏହା ହିଁ ଏକମାତ୍ର ମାଧ୍ୟମ ବୋଲି ସେ କହିଥିଲେ। ତେବେ ୟୁକ୍ରେନ ସେନା ଆଜି ରୁଷ୍‌ ବିରୋଧରେ ଏହାର ଲଢ଼େଇକୁ ଜୋର୍‌ଦାର କରିବାରୁ ରୁଷ୍‌ ଏବେ ସବୁଦିଗରୁ କିବ୍‌କୁ ଘେରିଯାଇ ଆକ୍ରମଣ କରୁଛି। ରାଜଧାନୀରେ ପ୍ରାୟ ୭୦ ହଜାର ଲୋକଙ୍କୁ ୟୁକ୍ରେନ୍‌ ସେନା ସ୍ବୟଂଚାଳିତ ବନ୍ଧୁକ ଯୋଗାଇ ଦେଇଥିବାରୁ ପରିସ୍ଥିତି ଅଣାୟତ୍ତ ହୋଇଉଠିଛି। ଲୋକେ ବନ୍ଧୁକ ଧରି ରାସ୍ତାଘାଟରେ ରୁଷ୍‌ ସେନା ସହ ମୁକାବିଲା କରୁଛନ୍ତି ଏବଂ ଗରିଲା ଯୁଦ୍ଧ ଆରମ୍ଭ ହୋଇଯାଇଛି। ସମଗ୍ର କିବ୍‌ ଏବେ ୱାର୍‌ଜୋନ୍‌ ପାଲଟିଯାଇଥିବାରୁ ବହୁ ସଂଖ୍ୟାରେ ନାଗରିକ ମୃତାହତ ହେବା ଆଶଙ୍କା ରହିଛି। ଶେଷ ରକ୍ତବିନ୍ଦୁ ଥିବା ଯାଏ ଲ‌ଢ଼େଇ ଜାରି ରହିବ ବୋଲି ୟୁକ୍ରେନ୍‌ ସେନା ପକ୍ଷରୁ ଆଜି ଏକ ବିବୃତି ଜାରି କରି କୁହାଯାଇଛି। ତେବେ ରୁଷ୍‌ ସେନା ମଧ୍ୟ କିବ୍‌ ଦଖଲ ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛି ଏବଂ ରୁଷ୍‌ର ବିଶାଳ ସୈନ୍ୟ ଶକ୍ତି ଆଗରେ ୟୁକ୍ରେନ୍‌ ଅଧିକ ଦିନ ତିଷ୍ଠି ପାରିବ ନାହିଁ ବୋଲି ସାମରିକ ବିଶେଷଜ୍ଞମାନେ କହିଛନ୍ତି।

Foreign Policy

କିବ୍‌ରେ ଗତରାତିରୁ ତୁହାକୁ ତୁହା କ୍ଷେପଣାସ୍ତ୍ର ମାଡ଼ ହେଉଛି। ଜନବସତି ଅଞ୍ଚଳ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ। ସହରର ପ୍ରମୁଖ ଆବାସିକ ଅଂଚଳରେ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଇତି ମଧ୍ୟରେ ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି , କିବ୍‌ ଏବେ ବି ୟୁକ୍ରେନ୍‌ ନିୟନ୍ତ୍ରଣରେ ରହିଛି। ରୁଷ୍‌ର ଆକ୍ରମଣ ଯୋଜନାକୁ ଆମେ ବିଗାଡ଼ି ଦେଇଛୁ ବୋଲି ଜେଲେନସ୍କି କହିଛନ୍ତି। ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଆମ ସହଯୋଗୀ ରାଷ୍ଟ୍ରମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଆସୁଛି। ଯୁଦ୍ଧ ବିରୋଧୀ ମେଣ୍ଟ କାମ କରୁଛି ଏବଂ ଆମେ ରୁଷ୍‌କୁ ରୋକି ପାରିବୁ ବୋଲି ସେ କହିଛନ୍ତି।

globeecho.com

ୟୁକ୍ରେନ୍‌ରେ ୩ ଦିନ ମଧ୍ୟରେ ୨୦୦ରୁ ଅଧିକ ଲୋକଙ୍କ ଜଣଙ୍କ ମୃତ୍ୟୁ ହେଲାଣି। ସେହିପରି ୩୫ ଶିଶୁ ସମେତ ମୋଟ୍‌ ୧୧୧୫ ଜଣ ରୁଷ୍‌ ଆକ୍ରମଣରେ ଆହତ ହୋଇଥିବା କୁହାଯାଇଛି। ଦେଶକୁ ସୁରକ୍ଷା ଦେବାପାଇଁ ସାଧାରଣ ନାଗରିକ ଏବେ ବନ୍ଧୁକ ଧରି ରାସ୍ତାକୁ ଓହ୍ଲାଉଥିବାରୁ ଥିବାରୁ ଦୀର୍ଘଦିନ ଧରି ଗରିଲା ଯୁଦ୍ଧ ଚାଲିବ ବୋଲି ଆଶଙ୍କା କରାଯାଉଛି। ଆମେରିକା ଆଜି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ କିବ୍‌ରୁ ଉଦ୍ଧାର କରିବାପାଇଁ କହିଥିଲା। କିନ୍ତୁ ରାଷ୍ଟ୍ରପତି ଜେଲେନସ୍କି ଆମେରିକାର ଉଦ୍ଧାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଜେଲେନସ୍କି କହିଛନ୍ତି, ଲଢ଼େଇ ଏଇଠି ‌ହେଉଛି ତେଣୁ ମୁଁ ଏଠାରେ ରହିଛି। ମୁଁ ଅସ୍ତ୍ର ଚାହେଁ, ଦେଶ ଛାଡ଼ିବାକୁ ଚାହେଁନା ବୋଲି ସେ ଆମେରିକାକୁ କହିଛନ୍ତି।

ସମ୍ବନ୍ଧିତ ଖବର