ବେଙ୍ଗଲ୍‌ ସଫାରିରେ ଏକତ୍ର ରହୁଛନ୍ତି ସିଂହୀ ‘ସୀତା’ ଓ ସିଂହ ‘ଆକବର’; ଅଦାଲତଙ୍କ ଦ୍ବାରସ୍ଥ ହେଲା ହିନ୍ଦୁ ସଂଗଠନ

କୋଲ୍‌କାତା: ସିଲିଗୁଡ଼ିର ସଫାରି ପାର୍କରେ ‘ସୀତା’ ନାମ୍ନୀ ଗୋଟାଏ ସିଂହୀ ଖୁଆଡ଼ରେ ‘ଆକବର’ ନାମରେ ଏକ ସିଂହକୁ ରଖିଥିବା କାରଣରୁ ବିଶ୍ବ ହିନ୍ଦୁ ପରିଷଦ୍‌ର ପଶ୍ଚିମବଙ୍ଗ ଶାଖା ବନ ବିଭାଗ ବିରୋଧରେ କାଲ୍‌କାଟା ହାଇକୋର୍ଟର ଜଳପାଇଗୁଡ଼ି ସର୍କିଟ ବେଞ୍ଚ୍‌ରେ ପିଟିସନ୍‌ ଫାଇଲ୍‌ କରିଥିବା କଥା ‘ଲଇଭ୍‌ ଲ’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଫେବ୍ରୁଆରି ୧୩ ତାରିଖରେ ଉକ୍ତ ସିଂହ ଓ ସିଂହୀଙ୍କୁ ତ୍ରିପୁରାରେ ଥିବା ଗୋଟାଏ ଚିଡ଼ିଆଖାନାରୁ ଅଣାଯାଇଥିଲା। କିନ୍ତୁ, ସିଂହୀ ‘ସୀତା’ ନାମ ପରିବର୍ତ୍ତନ କରିବା ଲାଗି ବିଶ୍ବ ହିନ୍ଦୁ ପରିଷଦ୍‌ ବନ ବିଭାଗକୁ ଅନୁରୋଧ କରିଥିଲା। ଏହାର ପ୍ରତ୍ୟୁତ୍ତର ଦେଇ ବନ ବିଭାଗ କହିଲା ଯେ, ଏଠାକୁ ଆସିବା ଆଗରୁ ‘ସୀତା’ ଓ ‘ଆକବର’ ଭାବେ ଦୁହିଁଙ୍କର ନାମକରଣ ସରିଥିଲା। ଦୁହିଁଙ୍କର ପୁନଃନାମକରଣରେ ସେମାନଙ୍କର କୌଣସି ଭୂମିକା ନାହିଁ।

Image Courtesy of India Today

ଏହାପରେ, ବିଶ୍ବ ହିନ୍ଦୁ ପରିଷଦ୍‌ କର୍ମୀ ଅନୁପ କୁମାର ମଣ୍ଡଳ ଓ ଲକ୍ଷ୍ମଣ କୁମାର ଅଗ୍ରୱାଲ୍‌ ସିଂହୀଟିର ନାମ ‘ସୀତା’ କାହିଁକି ରଖାଗଲା ବୋଲି ଅଭିଯୋଗ କରି ମାମଲା ରୁଜୁ କଲେ। ଶୁକ୍ରବାର ଦିନ ବିଚାରପତି ସୌଗତ ଭଟ୍ଟାଚାର୍ଯ୍ୟଙ୍କ ଖଣ୍ଡପୀଠରେ ଆଗତ କରାଯାଇଥିବା ଏହି ମାମଲାର ଶୁଣାଣି ଫେବ୍ରୁଆରି ୨୦ ତାରିଖ, ମଙ୍ଗଳବାର ଦିନ କରାଯିବା ଲାଗି ତାଲିକାଭୁକ୍ତ ହୋଇଛି।

ବିଶ୍ବ ହିନ୍ଦୁ ପରିଷଦ୍‌ କହିଛି ଯେ, ପଶ୍ଚିମବଙ୍ଗ ବନ ବିଭାଗର କର୍ତ୍ତୃପକ୍ଷମାନେ ଉକ୍ତ ସିଂହୀର ପୁନଃନାମକରଣ କରି ହିନ୍ଦୁ ଧର୍ମକୁ ଅପମାନିତ କରିଛନ୍ତି।

ସମ୍ବନ୍ଧିତ ଖବର