‘ମୋତେ ମାର୍ଗଦର୍ଶନ କରାନ୍ତୁ’, ଅମିତ ଶାହଙ୍କୁ ମହାରାଷ୍ଟ୍ର ରାଜ୍ୟପାଳଙ୍କ ଚିଠି

ମୁମ୍ବାଇ : ଛତ୍ରପତି ଶିବାଜୀଙ୍କ ଉପରେ ମନ୍ତବ୍ୟ ଦେଇ କିଛିଦିନ ତଳେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ବଡ଼ ହରଡ଼ଘଣାରେ ପଡ଼ିଥିଲେ। ତାଙ୍କୁ ଶାସକ ଓ ବିରୋଧୀ ଉଭୟ ଗୋଷ୍ଠୀ ପକ୍ଷରୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ଏପରି କି ତାଙ୍କୁ ରାଜ୍ୟପାଳ ପଦରୁ ବିଦା କରାଯିବା ପାଇଁ ଦାବି ଉଠିଥିଲା। ଏହାକୁ ନେଇ ରାଜ୍ୟପାଳ ଡିସେମ୍ବର ୬ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମାର୍ଗଦର୍ଶନ କରାଇବା ପାଇଁ ନିବେଦନ କରି ଏକ ପତ୍ର ଲେଖିଛନ୍ତି।

ମହାରାଷ୍ଟ୍ର ରାଜ୍ୟପାଳ ଲେଖିଛନ୍ତି – ‘‘ଅମିତ ଭାଇ, ଆପଣ ଜାଣନ୍ତି, ୨୦୧୬ରେ ଆପଣ ଯେତେବେଳେ ହଲଦୱାନି (ଉତ୍ତରାଖଣ୍ଡ)ରେ ଥିଲେ, ମୁଁ ସର୍ବସାଧାରଣରେ ୨୦୧୯ ନିର୍ବାଚନ ଲଢ଼ିବି ନାହିଁ ଓ ସକ୍ରିୟ ରାଜନୀତିରୁ ଦୂରେଇ ରହିବି ବୋଲି ଘୋଷଣା କରିଥିଲି। କିନ୍ତୁ ପ୍ରଧାନମନ୍ତ୍ରୀ (ନରେନ୍ଦ୍ର ମୋଦୀ) ଓ ଆପଣଙ୍କ ଅନୁରୋଧକୁ ଏଡ଼ାଇ ନ ପାରି ଜଣେ ନମ୍ର କର୍ମୀ ଭାବରେ ମହାରାଷ୍ଟ୍ରର ରାଜ୍ୟପାଳ ହେବାକୁ ସମ୍ମତି ପ୍ରକାଶ କରିଥିଲି। ଆପଣ ଜାଣନ୍ତି ମୋ ଦ୍ବାରା ଗୋଟିଏ ଭୁଲ୍ ଅନିଚ୍ଛାକୃତ ଭାବେ ହୋଇଯାଇଛି। ମୁଁ ସଙ୍ଗେ ସଙ୍ଗେ ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିବାକୁ କୁଣ୍ଠାବୋଧ କରିନାହିଁ। ମହାରାଣା ପ୍ରତାପ, ଗୁରୁ ଗୋବିନ୍ଦ ସିଂହ ବା ଶିବାଜୀଙ୍କ ପରି ମହାପୁରୁଷଙ୍କୁ ଅସମ୍ମାନ କରିବା କଥା ମୁଁ ସ୍ବପ୍ନରେ ସୁଦ୍ଧା ଭାବିପାରିବି ନାହିଁ। ଏ ପରିସ୍ଥିତିରେ ଆପଣ ମୋତେ ମାର୍ଗଦର୍ଶନ କରନ୍ତୁ।’’

ସୂଚନାଯୋଗ୍ୟ, ଗତମାସରେ ଏକ କାର୍ଯ୍ୟକ୍ରମରେ କୋଶୟାରୀ କହିଥିଲେ ଯେ, ଜୀବନ‌ର ଆଦର୍ଶ କିଏ ବୋଲି ପଚାରିଲେ ଲୋକେ କହନ୍ତି ଜବାହରଲାଲ ନେହରୁ, ସୁଭାଷ ବୋଷ ଓ ମହାତ୍ମା ଗାନ୍ଧୀ। କିନ୍ତୁ ମହାରାଷ୍ଟ୍ରରେ ଅନେକ ଆଦର୍ଶ ଅଛନ୍ତି। ଛତ୍ରପତି ଶିବାଜୀ ପୁରୁଣା ଦିନର ଆଦର୍ଶ ହୋଇଥିବା ବେଳେ ବିଆର୍ ଆମ୍ବେଦକର, ନୀତୀନ ଗଡ଼କରୀ ପ୍ରଭୃତି ଏବେକାର ଆଦର୍ଶ। କୋଶୟାରୀ ଶିବାଜୀ ମହାରାଜଙ୍କୁ ପୁରୁଣା ଦିନର ଆଦର୍ଶ ବୋଲି କହିବାରୁ ପ୍ରତିବାଦ ଉଠିଥିଲା। ଶିବାଜୀ ସବୁ ସମୟର ଆଦର୍ଶ, କେବଳ ଅତୀତର ନୁହନ୍ତି। ମହାରାଷ୍ଟ୍ରର ଇତିହାସ ଜାଣି ନ ଥିବା ଓ ମରାଠାମାନଙ୍କ ଭାବାବେଗ ସହ ପରିଚିତ ନ ଥିବା ଜଣେ ଲୋକ ରାଜ୍ୟର ରାଜ୍ୟପାଳ ହେବା ପାଇଁ ଅଯୋଗ୍ୟ ବୋଲି ଉଭୟ ବିରୋଧୀ ଓ ଶାସକ ଦଳର ନେତାମାନେ କହିଥିଲେ।

ସମ୍ବନ୍ଧିତ ଖବର