ଭାରତକୁ ଖୁସି କରିବାକୁ ମାଲେସିଆର ଉଦ୍ୟମ, ଭାରତରୁୁ ଚିନି ଆମଦାନି ତିନିଗୁଣ ବଢାଇଲା

ନୂଆଦିଲ୍ଲୀ : ଭାରତ ସହ କୂଟନୈତିକ ତିକ୍ତତାକୁ ହ୍ରାସ କରିବାକୁ ମାଲେସିଆ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଭାରତ ସହ ବାଣିଜ୍ୟ କାରବାର ବୃଦ୍ଧି କରିବାକୁ ମାଲେସିଆ ଏବେ ଭାରତଠାରୁ ଅଧିକ ପରିମାଣରେ ଚିନି କିଣୁଛି । ଗତ ୨୦୧୯ରେ ମାଲେସିଆ ଭାରତଠାରୁ ଯେତିକି ଚିନି କିଣିଥିଲା ଚଳିତ ୨୦୨୦ ମାତ୍ର ଅଢେଇ ମାସ ମଧ୍ୟରେ ତାହା ତିନିଗୁଣ ବୃଦ୍ଧି ପାଇଛି । ୨୦୧୯ରେ ମାଲେସିଆ ଭାରତକୁ ୧୧୦,୦୦୦ ଟନ ଚିନି ଆମଦାନି କରିଥିବାବେଳେ ଚଳିତ ବର୍ଷ ତାହା ରେକର୍ଡ ୩୨୪,୪୦୫ ଟନକୁ ବୃଦ୍ଧି ପାଇଛି ।

ଗତ ଜାନୁଆରି ମାସରେ ମାଲେସିଆର ରାଷ୍ଟ୍ରାୟତ୍ତ ପାମ ଅଏଲ (ତାଳତେଲ) ବିଶୋଧନକାରୀ କମ୍ପାନି ଏଫଜିବି ହୋଲଡିଂର ଶାଖା କମ୍ପାନି ତଥା ମାଲେସିଆର ବୃହତ୍ତମ ଚିନି ବିଶୋଧନକାରୀ କମ୍ପାନି ଏମଏସଏମ ମାଲେସିଆ ହୋଲଡିଂ ବେରହାଡ ଭାରତରୁ ପ୍ରାୟ ୧ ଲକ୍ଷ ୩୦ ହଜାର ଟନ ଚିନି କିଣିବାକୁ ପ୍ରସ୍ତାବ ଦେଇଥିଲା । ଏହାର ମୂଲ୍ୟ ପ୍ରାୟ ୪୯.୨୦ ନିୟୁତ ଡଲାର ହେବ ।

ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦଙ୍କ ଭାରତ ବିରୋଧୀ ବୟାନ ଯୋଗୁଁ ଦୁଇଦେଶ ମଧ୍ୟରେ ସଂପର୍କ ଖରାପ ହୋଇଥିଲା ଓ ଭାରତ ଖାଇବା ତେଲ ଆମଦାନୀ କମାଇଥିଲା । ଭାରତ ମାଲେସିଆର ବୃହତ୍ତମ ଖାଇବା ତେଲ ଗ୍ରାହକ ହୋଇଥିବାରୁ ଭାରତର ଏହି ପଦକ୍ଷେପ ଦ୍ୱାରା ମାଲେସିଆର ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହେଉଛି । କିନ୍ତୁ ଏହାର ଫାଇଦା ପଡ଼ୋଶୀ ଇଣ୍ଡୋନେସିଆ ନେଉଛି ।

ସମ୍ବନ୍ଧିତ ଖବର