କଂଗ୍ରେସ ଏବେ ‘ବେଲ୍‌ ଗାଡ଼ି’ ରାଜସ୍ଥାନରେ ମୋଦିଙ୍କ ତାଚ୍ଛଲ୍ୟ

ନୂଆଦିଲ୍ଲୀ: ରାଜସ୍ଥାନରେ ଚଳିତବର୍ଷ ଶେଷ ଭାଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆଜି ବିଜେପି ପକ୍ଷରୁ ରାଜ୍ୟରେ ନିର୍ବାଚନୀ ବିଗୁଲ୍‌ ବାଜିଛି। ରାଜ୍ୟରେ ଦଳ ପକ୍ଷରୁ ଆୟୋଜିତ ଏକ ର‍୍ୟାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧା କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସର ଅନେକ ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ବିଭିନ୍ନ ମାମଲାରେ ଫସି ବେଲ୍‌ (ଜାମିନ) ଦ୍ୱାରା ବାହାରକୁ ଆସିଛନ୍ତି। ଫଳରେ ଦଳକୁ ଲୋକମାନେ ‘ବେଲ୍‌ଗାଡ଼ି’ ବୋଲି ଡାକିବା ଆରମ୍ଭ କଲେଣି। ଅନ୍ୟପକ୍ଷରେ ବିଜେପି ଦେଶରୁ ଦୁର୍ନୀତିକୁ ସମୂଳେ ଉପାଡ଼ି ଫିଙ୍ଗିବା ପାଇଁ ଉଦ୍ୟମ ଜାରି ରଖିଛି। ଏକ ନବ ଭାରତ ନିର୍ମାଣ ଲାଗି ଦଳ ଏବେ ପ୍ରାଧାନ୍ୟ ଦେଉଛି ବୋଲି ମୋଦୀ କହିଛନ୍ତି। ତାଙ୍କ କହିବାନୁଯାୟୀ, ବିଜେପି ବହୁତ କିଛି କରିବାକୁ ଚାହୁଁଛି। କିଛି ଲୋକ ଏଥିରେ ବାଧକ ସାଜୁଛନ୍ତି। କିନ୍ତୁ ଏହା ଦଳ ଉପରେ କୌଣସି ଫରକ ପକାଇବ ନାହିଁ। ଦଳ ନିଜର ଆଭିମୁଖ୍ୟକୁ ଜାବୁଡ଼ି ବିକାଶ ପ୍ରକ୍ରିୟା ଜାରି ରଖିବ। କାରଣ ଆମେ କେବଳ ବିକାଶ ଉପରେ ହିଁ ବିଶ୍ୱାସ ରଖୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦୀ ଆହୁରି କହିଥିଲେ ଯେ ବସୁନ୍ଧରା ରାଜେ ୨୦୧୩ରେ ଯେତେବେଳେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସେତେବେଳେ ସେ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରୁଥିଲେ। ସେତେବେଳେ ଏଠାକାର କାର୍ଯ୍ୟ ସଂସ୍କୃତି ଆଦୌ ଠିକ୍‌ ନ ଥିଲା। କିନ୍ତୁ ତାଙ୍କ ଉଦ୍ୟମରେ ଏଠାରେ ଅନେକ ପରିବର୍ତ୍ତନ ଆସିପାରିଛି। ବିକାଶ କ୍ଷେତ୍ରରେ ରାଜ୍ୟ ଅନେକ ଆଗେଇଛି। ଉଲ୍ଲେଖଯୋଗ୍ୟ, ମୋଦୀ ଶନିବାର ରାଜସ୍ଥାନ ଗସ୍ତରେ ଆସି ରାଜ୍ୟବାସୀଙ୍କ ପାଇଁ ୨,୧୦୦ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଅନ୍ୟପକ୍ଷରେ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ମୋଦୀଙ୍କ ନିର୍ବାଚନୀ ଭେଟି ବୋଲି କୁହାଯାଉଛି। ଏହି ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ଜନସମ୍ବାଦ ଅଧୀନରେ କାର୍ଯ୍ୟ କରୁଥିବା କେତେକ ସ୍କିମ୍‌ର ପ୍ରାୟ ୨.୫ ଲକ୍ଷ ହିତାଧିକାରୀଙ୍କ ସହ କଥା ହୋଇଥିଲେ।

ହିତାଧିକାରୀଙ୍କୁ ବୋହିବାରେ ୭ କୋଟି ଖର୍ଚ୍ଚ
ଜୟପୁର: ରାଜସ୍ଥାନରେ ଅନୁଷ୍ଠିତ ଏକ ର‍୍ୟାଲିରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ସରକାରଙ୍କ ଦ୍ୱାରା ଲାଗୁ ବିଭିନ୍ନ ସ୍କିମ୍‌ର ପ୍ରାୟ ୨.୫ ଲକ୍ଷ ହିତାଧିକାରୀଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହି ସଭା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ରାଜ୍ୟର ୩୩ ଜିଲ୍ଲାରୁ ହିତାଧିକାରୀମାନଙ୍କୁ ଆଣିବା ପାଇଁ ବନ୍ଦୋବସ୍ତ ହୋଇଥିଲା। ତେବେ ରିପୋର୍ଟ ଅନୁସାରେ ହିତାଧିକାରୀଙ୍କୁ ନେବାଆଣିବାରେ ରାଜସ୍ଥାନର ବିଜେପି ସରକାର ମୋଟ ୭ କୋଟି ଟଙ୍କା ବ୍ୟୟ କରିଛି। ସେମାନଙ୍କ ପାଇଁ ୫,୫୭୯ଟି ବସ୍‌ର ବ୍ୟବସ୍ଥା କରାଯାଇଥିଲା। ବସ୍‌ ଯୋଗେ ‘ଅମୃଦନ୍‌ କା ବାଗ୍‌’ ଷ୍ଟାଡିୟମ୍‌ସ୍ଥିତ ସଭାସ୍ଥଳକୁ ଅଣାଯାଇଥିଲା। ତେବେ ରାଜ୍ୟର ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶକ୍ରମେ ସରକାର ଏଥିପାଇଁ ୭.୨୨ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର