ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ: ପୁରୁଷଙ୍କୁ ଟପିଲେ ମହିଳା, ପ୍ରତି ୧୦୦୦ ପୁରୁଷରେ ୧୦୨୦ ମହିଳା

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଦୁଇବର୍ଷର ଅଧ୍ୟୟନ ପରେ ବୁଧବାର ପ୍ରକାଶିତ ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଦେଶରେ ବର୍ତ୍ତମାନ ପ୍ରତି ୧୦୦୦ ପୁରୁଷରେ ୧୦୨୦ ମହିଳା ଅଛନ୍ତି। ପ୍ରଥମ ଥର ପାଇଁ ପରୁଷ ତୁଳନାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପୃଥିବୀର ଦ୍ବିତୀୟ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଦେଶରେ ମଧ୍ୟ ଜନ୍ମହାର କମୁଥିବା ଏଥିରୁ ଜଣାପଡ଼ିଛି।

ଭାରତରେ ପିତାମାତାମାନେ ଐତିହାସିକ ଭାବେ ଝିଅ ଅପେକ୍ଷା ପୁଅକୁ ଅଧିକ ପସନ୍ଦ କରିଥାନ୍ତି। ଝିଅକୁ ସେମାନେ ବୋଝ ବୋଲି ମନେକରି ଥାନ୍ତି। ଲିଙ୍ଗ ନିର୍ଣ୍ଣୟ କରି କନ୍ୟା ଭ୍ରୂଣହତ୍ୟା କରାଯାଉଥିବାରୁ ସରକାର ଗର୍ଭସ୍ଥ ଭ୍ରୂଣର ଲିଙ୍ଗ ନିର୍ଣ୍ଣୟକୁ ବେଆଇନ ଘୋଷଣା କରିଥିଲେ ହେଁ କିଛି ଲୋକଙ୍କର ସେ ଅଭ୍ୟାସ ଆଜିଯାଏ ବଦଳି ନାହିଁ। ଲୁଚାଛପାରେ ତାହା କରାଯାଉଛି। ଭାରତରେ ପୁରୁଷ-ନାରୀର ଅନୁପାତ ବିଶ୍ବରେ ସବୁବେଳେ ଅଧିକ ରହିଆସିଛି। କିନ୍ତୁ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ ପ୍ରତି ୧୦୦୦ରେ ନାରୀ ସଂଖ୍ୟା ପୁରୁଷଙ୍କଠାରୁ ୨୦ ଅଧିକ ରହିଛି। ୧୮୭୬ ମସିହାରୁ ଭାରତରେ ଜନଗଣନା ହୋଇ ଆସୁଥିବା ବେଳେ ପ୍ରଥମ ଥର ପାଇଁ ଏହି ବ୍ୟତିକ୍ରମ ଦେଖାଦେଇଛି।
ପପୁଲେଶନ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ)ର ସ୍ବାସ୍ଥ୍ୟ ବୈଜ୍ଞାନିକ ସଂଘମିତ୍ରା ସିଂହ କହିଛନ୍ତି ଯେ, ବର୍ତ୍ତମାନ ପୁରୁଷ-ନାରୀର ଲିଙ୍ଗ ଅନୁପାତ ଯୁକ୍ତାତ୍ମକ ହୋଇଛି ସତ ମାତ୍ର ଲୈଙ୍ଗିକ ସମାନତା ନିମନ୍ତେ ଆହୁରି ଅନେକ କିଛି କରିବାର ଅଛି। ବର୍ତ୍ତମାନ ବି ପ୍ରତି ୧୦୦୦ ପୁରୁଷରେ ୯୨୯ ଝିଅ ଜନ୍ମ ହେଉଥିବା ବେଳେ ମହିଳାଙ୍କ ହାରାହାରି ଆୟୁଷ୍କାଳ ବୃଦ୍ଧିକୁ ଅନୁପାତ ଯୁକ୍ତାତ୍ମକ ହେବାର କାରଣ ଭାବେ ଦର୍ଶାଯାଇଛି। ତେଣୁ ଏବେ ବି ଲୋକମାନେ ଝିଅ ଅପେକ୍ଷା ପୁଅକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର