ମହାନଦୀରେ ବୁଡ଼ିଗଲେ ୪ ସ୍କୁଲ ଛାତ୍ର; ଜଣଙ୍କ ମୃତଦେହ ଉଦ୍ଧାର; ୩ ଛାତ୍ର ନିଖୋଜ

କଟକ-ମହାନଦୀବିହାର : ଚାଉଳିଆଗଂଜ ଥାନା ପୋତାପୋଖରୀ ଓ ବିନାୟକ ନଗର ଅଞ୍ଚଳର ଚାରି ଜଣ ସ୍କୁଲ ଛାତ୍ର ମହାନଦୀରେ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ ଜଣ ନିଖୋଜ ଅଛନ୍ତି।

ସୂଚନା ଅନୁଯାୟୀ ଗୁରୁବାର ଅପରାହ୍ନରେ ଏହି ୪ ଜଣ ସାଙ୍ଗ ଗାନ୍ଧୀପଲ୍ଲୀ ବାଲିଗଡାରେ ଦୁଇଟି ସାଇକେଲ ରଖି ପଠାକୁ କୋଳି ତୋଳିବାକୁ ଯାଇଥିବାବେଳେ ନଦୀସ୍ରୋତରେ ଭାସି ଯାଇଥିଲେ। ଭାସି ଯିବା ସମୟରେ ନଦୀ ଭିତରଟି ଅନ୍ଧାରୁଆ ହୋଇ ଯାଇଥିଲା। ଫଳରେ, ଏ ସଂପର୍କରେ କେହି ଜାଣି ପାରି ନଥିଲେ। ବିଳମ୍ବିତ ରାତିରେ କିଛି ଯୁବକ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ସେଠାରେ ଦୁଇଟି ସାଇକେଲ ପଡ଼ିଥିବା ଦେଖି ଆଖପାଖ ଲୋକଙ୍କୁ ଖବର ଦେଇଥିଲେ। ଖବର ଦେବା ପରେ ନୂଆବଜାର ପୋତାପୋଖରୀ ଅଞ୍ଚଳର ଦୁଇ ଜଣ ସ୍କୁଲ ଛାତ୍ର ଘରୁ ନଦୀକୁ କୋଳି ତୋଳିବାକୁ ଯାଉଛନ୍ତି ବୋଲି କହି ଆଉ ଘରକୁ ଫେରି ନଥିବା ଜଣାପଡ଼ିଥିଲା। ଘର ଲୋକ ଏ ସଂକ୍ରାନ୍ତରେ ଖବର ପାଇବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜାଖୋଜି କରି ଭଦିମୂଳ ଘାଟ ନିକଟରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହଟି ପୋତାପୋଖରୀ ଅଞ୍ଚଳର ମୁନା ବେହେରାଙ୍କ ପୁଅ ଜଗା ବେହେରା(୧୩)ଙ୍କର ବୋଲି ସ୍ପଷ୍ଟ ହୋଇଥିବା ବେଳେ ଏହି ସାହିର ରବି ସେଠୀଙ୍କ ପୁଅ ଶୁଭମ ସେଠୀ (୧୩), ଅଜୟ ବେହେରାଙ୍କ ପୁଅ ଚନ୍ଦନ ବେହେରା ଏବଂ ଅନ୍ୟଜଣେ ଛାତ୍ରଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ରାତି ହୋଇ ଯାଇଥିବା ଯୋଗୁଁ ଓଡ୍ରାଫ ଓ ଅଗ୍ନିଶମ ବିଭାଗକୁ ଖୋଜାଖୋଜି କରିବାରେ ସମସ୍ୟା ହେଉଛି।

ଘଟଣାସ୍ଥଳରେ କଟକ ଡିସିପି ପ୍ରତୀକ ସିଂହ ପହଁଚି ନଦୀପଠା ମଧ୍ୟକୁ ଏକ ଉଦ୍ଧାରକାରୀ ଦଳକୁ ପଠାଇବା ସହ କାଲି ସକାଳ ୫ଟାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗାନ୍ଧୀ ପଲ୍ଲୀ ବାଲିଗଡ଼ା ପାଖରେ ପଡ଼ିଥିବା ଦୁଇଟି ସାଇକେଲକୁ ଚାଉଳିଆଗଞ୍ଜ ଥାନା ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର