ସଭାପତି ନିର୍ବାଚନରେ ପ୍ରାର୍ଥୀ ହେବାକୁ ଗାନ୍ଧୀ ପରିବାରଠାରୁ ଅନୁମତିର ଆବଶ୍ୟକତା ନାହିଁ: କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ଦଳର ନୂତନ ସଭାପତି ଚୟନ ପାଇଁ ହେଉଥିବା ସଭାପତି ନିର୍ବାଚନରେ ପ୍ରାର୍ଥୀ ହେବାକୁ ଗାନ୍ଧୀ ପରିବାର ଠାରୁ ଅନୁମତିର ଆବଶ୍ୟକତା ନାହିଁ। ଏ ନେଇ ବୁଧବାର ଦିନ କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି ଯେ ଏହାର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ କିମ୍ବା ଏହାର ନେତା ରାହୁଲ ଗାନ୍ଧୀ କାହାରି ଠାରୁ ହେଲେ ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଆବଶ୍ୟକତା ନାହିଁ। ଦେଶର ସର୍ବ ପୁରାତନ ଦଳ କଂଗ୍ରେସର ସଭାପତି ନିର୍ବାଚନ ଆସନ୍ତା ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।

ଏଆଇସିସି ସାଧାରଣ ସମ୍ପାଦକ ତଥା ଦଳର ଯୋଗାଯୋଗ ପ୍ରଭାରୀ ଜୟରାମ ରମେଶ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସଭାପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଆଶୟୀ ପ୍ରାର୍ଥୀଙ୍କ ନିକଟରେ ଯଦି ୧୦ଜଣ ପିସିସି ପ୍ରତିନିଧିଙ୍କ ସମର୍ଥନ ଥାଏ ତେବେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମୁକ୍ତ ଏବଂ ସ୍ୱାଗତଯୋଗ୍ୟ ହେବେ। ନାମାଙ୍କନ ଦାଖଲ କରିବାକୁ କଂଗ୍ରେସ ସଭାପତି କିମ୍ବା ରାହୁଲ ଗାନ୍ଧୀଙ୍କ ଅନୁମତି ନେବାର କାହାରିକୁ ଆବଶ୍ୟକତା ନାହିଁ। ନିର୍ବାଚନ ନିରପେକ୍ଷ ଏବଂ ସ୍ୱଚ୍ଛ ହେବ। ଦେଶର ଅନ୍ୟ ସମସ୍ତ ରାଜନୈତିକ ଦଳ ସେମାନଙ୍କ ଦଳର ମୁଖ୍ୟ ଚୟନ ପାଇଁ ନିର୍ବାଚନ କରନ୍ତି ନାହିଁ। ବରଂ ମନୋନୀତ କରନ୍ତି।

ଏଥି ସହିତ କଂଗ୍ରେସ ନେତା ଜୟରାମ ରମେଶ ଏହା ମଧ୍ୟ କହିଛନ୍ତି ଯେ କାମରାଜ ମଡେଲ ଅନୁଯାୟୀ ସହମତି ଆଧାରରେ ଦଳର ସଭାପତି ଚୟନରେ ସେ ବିଶ୍ୱାସ କରନ୍ତି। ଏପ୍ରସଙ୍ଗରେ ସେ କିମ୍ବଦନ୍ତୀ କଂଗ୍ରେସ ନେତା କେ କାମରାଜଙ୍କ ଦୃଷ୍ଟିକୋଣ ଦର୍ଶାଇ କହିଛନ୍ତି ଯେ କାମରାଜ ବିଶ୍ୱାସ କରୁଥିଲେ ଦଳର ନେତୃତ୍ୱ ନେବା ପାଇଁ ସମସ୍ତଙ୍କ ସହ କଥାବାର୍ତ୍ତା କରି ଉପଯୁକ୍ତ ଏବଂ ସମସ୍ତଙ୍କ ସହମତି ଆଧାରରେ ଜଣେ ବ୍ୟକ୍ତିଙ୍କୁ ପସନ୍ଦ କରାଯିବା ଉଚିତ।

ତେବେ, ଯଦି ସହମତି ସମ୍ଭବ ନୁହେଁ; ତେବେ ନିର୍ବାଚନ ବାଞ୍ଛନୀୟ। ଆମେ ନିର୍ବାଚନ କରିବାରୁ ପଳାୟନ କରୁନାହୁଁ ବୋଲି ସେ କହିଛନ୍ତି। ତେବେ, ନିର୍ବାଚନରେ କିଏ ସବୁ ପ୍ରତିଦ୍ୱନ୍ଦ୍ୱିତା କରିବେ ଏବଂ କିଏ ବିଜୟ ଶିରୀପା ପିନ୍ଧିବ ତାହା ସେ ଜାଣନ୍ତି ନାହିଁ ବୋଲି ରମେଶ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନାମାଙ୍କନ ଦାଖଲ କରିବେ କି ନାହିଁ ଏବଂ ଯଦି ସେ କରନ୍ତି, ତେବେ ରାଜସ୍ଥାନରେ କ’ଣ ହେବ ସେ ତାହା ମଧ୍ୟ ଜାଣି ନଥିବା କହିଛନ୍ତି।

ସେ କହିଛନ୍ତି, ଏଭଳି ପରିସ୍ଥିତିର ମୁକାବିଲା ପାଇଁ କଂଗ୍ରେସ ଦଳର ଏକ ବ୍ୟବସ୍ଥା ମଧ୍ୟ ରହିଛି। ରାହୁଲ ଗାନ୍ଧୀଙ୍କ ଯୋଜନା ସମ୍ପର୍କରେ ରମେଶ କହିଛନ୍ତି ଯେ ସେପ୍ଟେମ୍ବର ୨୩ ଭାରତ ଯୋଡ଼ୋ ଯାତ୍ରାର ବିଶ୍ରାମ ଦିନ ରହିଛି। ଏବଂ ତେଣୁ ଯଦି ରାହୁଲ ଗାନ୍ଧୀ ଦିଲ୍ଲୀ ଯାଆନ୍ତି ତେବେ ସେ ତାଙ୍କ ଅସୁସ୍ଥ ମା’ଙ୍କୁ ଭେଟିବା ପାଇଁ ଆସିବେ ଯିଏକି ନିକଟରେ କିଛି ଡାକ୍ତରୀ ପରୀକ୍ଷା କରାଇଛନ୍ତି।

ସମ୍ବନ୍ଧିତ ଖବର